Explore

Search

September 22, 2026 8:53 pm

ଗଭୀର ଅବପାତ ଆଶଙ୍କା : ଗଞ୍ଜାମରେ ପ୍ରଶାସନର ପ୍ରସ୍ତୁତି ଜୋରଦାର

ବ୍ରହ୍ମପୁର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବା ଆଶଙ୍କା ମଧ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ସମ୍ଭାବ୍ୟ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଶ୍ରୟସ୍ଥଳୀ, ଉଦ୍ଧାରକାରୀ ଦଳ ଓ ଯାତାୟତ ବ୍ୟବସ୍ଥାକୁ ସଜାଗ ରଖାଯାଇଛି।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜରୁରୀ ବୈଠକ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ସେହିପରି କନ୍ଧମାଳ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇ କଳିଙ୍ଗା ଘାଟି ଦେଇ ଯାତାୟତକୁ ନେଇ ନିଷ୍ପତ୍ତି ନିଆଯାଇଛି ।

୨୩ରୁ କଳିଙ୍ଗା ଘାଟିରେ ଯାତାୟତ ବନ୍ଦ

ସମ୍ଭାବ୍ୟ ବର୍ଷା ଓ ଭୂସ୍ଖଳନ ଆଶଙ୍କାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୩ ତାରିଖରୁ ୨୪ ତାରିଖ ସକାଳ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାତାୟତ ବନ୍ଦ ରଖାଯିବ। ଏହି ସମୟରେ ଯାତ୍ରୀ ଓ ଯାନବାହନ ଗୁଡ଼ିକ ପାଇଁ ବିକଳ୍ପ ରାସ୍ତାରେ ଯାତାୟତ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳରେ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଗୁଡ଼ିକ ନଜର ରଖିବେ।

ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ଭାବେ ଥଇଥାନ କରିବା ପାଇଁ ଜିଲ୍ଲାର ୧୧୦ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଏହା ବ୍ୟତୀତ ୧,୦୦୦ରୁ ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀ ମଧ୍ୟ ପ୍ରସ୍ତୁତ କରାଯାଇଛି । ଆବଶ୍ୟକତା ପଡ଼ିଲେ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ଏହି ସ୍ଥାନ ଗୁଡ଼ିକରେ ଆଶ୍ରୟ ଦିଆଯିବ ।

ଜରୁରୀକାଳୀନ ଉଦ୍ଧାର ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଦୁଇଟି ସ୍ୱତନ୍ତ୍ର ଓଡ୍ରାଫ ଟିମକୁ ଜିଲ୍ଲାରେ ନିୟୋଜିତ କରାଯାଇଛି । ଗୋଟିଏ ଟିମ୍‌ ଭଞ୍ଜନଗର ଅଞ୍ଚଳରେ ଏବଂ ଅନ୍ୟ ଟିମ୍‌ ଚିକିଟି-ପାତ୍ରପୁର ଅଞ୍ଚଳରେ ମୁତୟନ ରହିଛନ୍ତି। ଜରୁରୀ ପରିସ୍ଥିତିରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଆବଶ୍ୟକ ସହାୟତା ଯୋଗାଇବା ନେଇ ଟିମ୍‌ ଗୁଡ଼ିକ ପ୍ରସ୍ତୁତ ରହିଛନ୍ତି ବୋଲି ଜିଲ୍ଲପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score