ଗଞ୍ଜାମ : ଗଣେଶ ପୂଜା ସହ ଆଗାମୀ ପାର୍ବଣ ଋତୁକୁ ଶାନ୍ତି ଓ ସୁରକ୍ଷାର ସହ ଆୟୋଜନ କରିବା ପାଇଁ ଗଞ୍ଜାମ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏନେଇ ଗଞ୍ଜାମ ଏସ୍ପି ହରିଶ ବି. ସି. ଜନସାଧାରଣ ଏବଂ ବିଭିନ୍ନ ପୂଜା କମିଟି ପାଇଁ ଏକାଧିକ ସୁରକ୍ଷା ନିୟମ ଜାରି କରିଛନ୍ତି।
ପୂଜା ଆୟୋଜନ କରୁଥିବା କମିଟି ଗୁଡ଼ିକୁ ମଣ୍ଡପ ନିର୍ମାଣ ପୂର୍ବରୁ ସମ୍ପୃକ୍ତ ପ୍ରଶାସନ ଓ ପୋଲିସ ବିଭାଗର ଅନୁମତି ନେବାକୁ କୁହାଯାଇଛି। ଏଥିସହ ଚାନ୍ଦା ଆଦାୟକୁ ନେଇ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। କୌଣସି ବ୍ୟକ୍ତିଙ୍କଠାରୁ ଜବରଦସ୍ତି କିମ୍ବା ବାଧ୍ୟତାମୂଳକ ଭାବେ ଚାନ୍ଦା ନେବା ଉପରେ କଟକଣା ରହିବ।
ପୂଜା ସମୟରେ ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ମଧ୍ୟ ପୋଲିସ ଗୁରୁତ୍ୱ ଦେଇଛି। ରାତି ୧୦ଟା ପରେ ସକାଳ ୬ଟା ପର୍ଯ୍ୟନ୍ତ ଲାଉଡସ୍ପିକର୍, ଡିଜେ କିମ୍ବା ଅନ୍ୟ ଉଚ୍ଚଶବ୍ଦ ଯନ୍ତ୍ର ବ୍ୟବହାର ନକରିବାକୁ ନିର୍ଦ୍ଦେଶ ରହିଛି। ଏହାସହ ସମ୍ବେଦନଶୀଳ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିପାରୁଥିବା ଗୀତ କିମ୍ବା ଅତ୍ୟଧିକ ଶବ୍ଦରେ ସଙ୍ଗୀତ ପରିବେଷଣ ନକରିବାକୁ କୁହାଯାଇଛି।
ପୂଜା ମଣ୍ଡପରେ ଭିଡ଼ ନିୟନ୍ତ୍ରଣ ଓ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ପୂଜା କମିଟିଗୁଡ଼ିକୁ ପରାମର୍ଶ ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଲାଗି ଆବଶ୍ୟକ ସ୍ଥାନରେ CCTV କ୍ୟାମେରା ଲଗାଇବାକୁ ମଧ୍ୟ କୁହାଯାଇଛି।
ଅନ୍ୟପଟେ, ଶୋଭାଯାତ୍ରା, ପୂଜା ମଣ୍ଡପ ଏବଂ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ମଦ୍ୟପାନକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। ନିର୍ଦ୍ଦେଶ ଉଲ୍ଲଂଘନ କରି କେହି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କଲେ ତାଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନିଆଯିବ ବୋଲି ଏସ୍ପି ଚେତାବନୀ ଦେଇଛନ୍ତି।
ପାର୍ବଣ ସମୟରେ ଜିଲ୍ଲାରେ ଶାନ୍ତି, ସୁରକ୍ଷା ଓ ଭାଇଚାରାର ପରିବେଶ ବଜାୟ ରଖିବା ପାଇଁ ସମସ୍ତେ ନିୟମ ମାନିବା ସହ ପୋଲିସ ଓ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଗଞ୍ଜାମ ଏସ୍ପି ହରିଶ ବି. ସି. ଅନୁରୋଧ କରିଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
