ଭୁବନେଶ୍ୱର : ଓଡ଼ିଶାର ବିଭିନ୍ନ ସ୍ଥାନର ଅଧିକୃତ ଇଂରାଜୀ ବନାନ ବ୍ୟବହାରକୁ ନେଇ ରାଜ୍ୟ ସରକାର ପୁଣିଥରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ଯଦି କୌଣସି ସ୍ଥାନର ପୁରୁଣା ଇଂରାଜୀ ବନାନ ଥିବା ସାଇନ୍ବୋର୍ଡ ରହିଛି, ତେବେ ତାହାକୁ ଶୀଘ୍ର ବଦଳାଇବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ ଏହି କାମ ୭ ଦିନ ମଧ୍ୟରେ ଶେଷ କରିବାକୁ ପଡ଼ିବ। ଏଥିସହ କାର୍ଯ୍ୟ ସମ୍ପନ୍ନ ହେବା ପରେ ବିଭାଗକୁ ଅନୁପାଳନ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି। ନୂଆ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ଜିଲ୍ଲାରେ ସରକାରୀ ସାଇନ୍ବୋର୍ଡର ସ୍ଥିତି ଯାଞ୍ଚ କରାଯିବ। ଯେଉଁଠାରେ ପୁରୁଣା ବନାନ ରହିଛି, ସେଠାରେ ନୂଆ ବୋର୍ଡ ଲଗାଯିବ।
କାମ ଶେଷ ହେବା ପରେ ଜିଲ୍ଲାସ୍ତରରେ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିଭାଗକୁ ରିପୋର୍ଟ ପଠାଇବାକୁ ମଧ୍ୟ କଲେକ୍ଟରମାନଙ୍କୁ କୁହାଯାଇଛି।
ସ୍ଥାନ ନାମର ଅଧିକୃତ ଇଂରାଜୀ ବନାନକୁ ସମସ୍ତ ସରକାରୀ ସ୍ଥାନରେ ସମାନ ଭାବେ ବ୍ୟବହାର କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ସ୍ଥାନର ନାମ ଭିନ୍ନ ଭିନ୍ନ ବନାନରେ ବ୍ୟବହୃତ ହେଲେ ସାଧାରଣ ଲୋକ, ପର୍ଯ୍ୟଟକ ଓ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହେବାର ସମ୍ଭାବନା ରହେ।
ତେଣୁ ସରକାରୀ ରେକର୍ଡ ଓ ସାଇନ୍ବୋର୍ଡରେ ସଂଶୋଧିତ ବନାନର ଏକରୂପ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
