ବ୍ରହ୍ମପୁର : ଜମ୍ମୁ-କାଶ୍ମୀର ବୁଲିବାକୁ ଯାଇ ଗଞ୍ଜାମର ପୂର୍ବତନ ସରପଞ୍ଚଙ୍କ ଅକାଳ ମୃତ୍ୟୁ ଘଟିଛି। ପାହାଡ଼ରୁ ଏକ ବିରାଟ ପଥର ଖସି କାର ଉପରେ ପଡ଼ିବାରୁ ନାରାୟଣପୁର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଆର. ହିମାଂଶୁ ପ୍ରସାଦ ରାଓଙ୍କ ଜୀବନ ଚାଲିଯାଇଛି।
ସୂଚନା ଅନୁସାରେ, ୫୫ ବର୍ଷୀୟ ହିମାଂଶୁ ଗତ ୨୮ ତାରିଖରେ ୬ ଜଣ ସାଙ୍ଗଙ୍କ ସହ ଜମ୍ମୁ-କାଶ୍ମୀର ଯାତ୍ରାରେ ଯାଇଥିଲେ। ପହଲଗାମରୁ ଶ୍ରୀନଗର ଫେରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। କାରର ଆଗ ସିଟ୍ରେ ବସିଥିବା ହିମାଂଶୁ ପଥର ତଳେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ। ମୁଣ୍ଡରେ ଗଭୀର ଆଘାତ ଯୋଗୁଁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ତୁରନ୍ତ ଅନନ୍ତନାଗ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ଦୁର୍ଘଟଣାରେ ତାଙ୍କ ସହ ଥିବା ଅନ୍ୟ ପାଞ୍ଚ ଜଣ ସୁରକ୍ଷିତ ରହିଛନ୍ତି।
୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ହିମାଂଶୁ ରଙ୍ଗେଇଲୁଣ୍ଡା ବ୍ଲକ ନାରାୟଣପୁର ପଞ୍ଚାୟତର ସରପଞ୍ଚ ଥିଲେ। ଏଥିସହ ସେ ବ୍ଲକ ସରପଞ୍ଚ ସଂଘର ସଭାପତି ମଧ୍ୟ ଥିଲେ। ଜଣେ ମେଳାପି, ଲୋକପ୍ରିୟ ଓ ସମାଜସେବୀ ବ୍ୟକ୍ତି ଭାବେ ସେ ଅଞ୍ଚଳରେ ପରିଚିତ ଥିଲେ।
ମୃତଦେହ ନାରାୟଣପୁରରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଦୁଃଖଦ ଖବର ପାଇ ବହୁ ଲୋକ ତାଙ୍କ ପରିବାରକୁ ସାନ୍ତ୍ୱନା ଦେଇଥିଲେ। ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମଧ୍ୟ ପରିବାରକୁ ଭେଟି ସମବେଦନା ଜଣାଇବା ସହ ମୃତଦେହ ଫେରାଇ ଆଣିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
