ଭୁବନେଶ୍ୱର : ରାଜ୍ୟର ଚାଷୀଙ୍କ ପାଇଁ ଆସିଛି ଖୁସି ଖବର। ମୁଖ୍ୟମନ୍ତ୍ରୀ କିଷାନ ଯୋଜନାର ପଞ୍ଚମ କିସ୍ତି ଅର୍ଥ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଛି। ପ୍ରତ୍ୟେକ ଯୋଗ୍ୟ ଚାଷୀ ପରିବାରଙ୍କୁ ୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ମିଳିଛି।
ଭୁବନେଶ୍ୱରସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି କିସ୍ତି ମାଧ୍ୟମରେ ରାଜ୍ୟର ୪୧ ଲକ୍ଷରୁ ଅଧିକ କୃଷକ ପରିବାର ଉପକୃତ ହୋଇଛନ୍ତି ।
ଏହି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସହିତ ଅନୁନ୍ନତ ଜନଜାତି ସମୂହ ଏବଂ ଭୂମିହୀନ କୃଷି ପରିବାରଙ୍କୁ ମଧ୍ୟ ସହାୟତା ଦିଆଯାଉଛି।
୮୩୩ କୋଟିରୁ ଅଧିକ ଟଙ୍କା DBT ମାଧ୍ୟମରେ ପ୍ରଦାନ
ସରକାରଙ୍କ ପକ୍ଷରୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ବା DBT ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୮୩୩ କୋଟିରୁ ଅଧିକ ଟଙ୍କା ସିଧାସଳଖ ପଠାଯାଇଛି। ଏହି ଆର୍ଥିକ ସହାୟତା ଚାଷୀମାନଙ୍କୁ ବିହନ, ସାର ଓ ଅନ୍ୟାନ୍ୟ ଆବଶ୍ୟକୀୟ କୃଷି ସାମଗ୍ରୀ କିଣିବାରେ ସହାୟକ ହେବ।
ବିଶେଷକରି ଚାଷ ସମୟରେ ଏହି ଅର୍ଥ ଚାଷୀ ପରିବାରଙ୍କ ପାଇଁ ବେଶ୍ ଉପଯୋଗୀ ହେବ ବୋଲି କୁହାଯାଉଛି। ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ କିଷାନ ଯୋଜନା ଅଧୀନରେ ବର୍ଷକୁ ଦୁଇଟି କିସ୍ତିରେ ଯୋଗ୍ୟ ଚାଷୀଙ୍କୁ ମୋଟ ୪ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।
ସିଏମ କିଷାନ ଯୋଜନାର ପଞ୍ଚମ କିସ୍ତି ପ୍ରଦାନକୁ ନେଇ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ରାଜ୍ୟର ଚାଷୀଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ଏବଂ କୃଷି କାର୍ଯ୍ୟରେ ସହଯୋଗ କରିବା ଏହି ଯୋଜନାର ପ୍ରମୁଖ ଲକ୍ଷ୍ୟ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
