Explore

Search

September 3, 2026 8:54 pm

ଗୁରୁ ଦିବସ ଓ ଶିଶୁ ଦିବସରେ ଆଉ ବନ୍ଦ ହେବନି ପାଠପଢ଼ା

ଭୁବନେଶ୍ୱର : ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏଣିକି ଗୁରୁ ଦିବସ ଓ ଶିଶୁ ଦିବସ ଅବସରରେ ପାଠପଢ଼ା ବନ୍ଦ ରହିବ ନାହିଁ। ଏହି ଦୁଇଟି ବିଶେଷ ଦିନରେ ସ୍କୁଲରେ ଉତ୍ସବ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ କରାଯିବା ସହିତ ନିୟମିତ ଶିକ୍ଷାଦାନ ମଧ୍ୟ ଜାରି ରହିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

ବିଭାଗୀୟ ନିର୍ଦ୍ଦେଶନାମା ଅନୁସାରେ, ପ୍ରତିବର୍ଷ ଭଳି ସ୍କୁଲ ପରିସରରେ ଗୁରୁ ଦିବସ ଓ ଶିଶୁ ଦିବସ ଉତ୍ସାହର ସହ ପାଳନ କରାଯିବ। ଏହି ଅବସରରେ ଶିକ୍ଷକ, ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ।

ଏହି ଦିବସ ଗୁଡ଼ିକର ମହତ୍ତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯିବା ସହ ସେମାନଙ୍କ ମଧ୍ୟରେ ଶିକ୍ଷକଙ୍କ ପ୍ରତି ସମ୍ମାନ ଓ ଶିଶୁଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ।

ତେବେ କେବଳ ଉତ୍ସବ ପାଳନ କରି ସେହି ଦିନ ପାଠପଢ଼ା ବନ୍ଦ କରାଯିବ ନାହିଁ । କାର୍ଯ୍ୟକ୍ରମ ସମାପ୍ତ ହେବା ପରେ ନିୟମିତ ଭାବେ ଶ୍ରେଣୀଗୃହରେ ପାଠପଢ଼ା ଚାଲିବ। ଏହି ଦୁଇ ଦିନରେ ଛାତ୍ରଛାତ୍ରୀଙ୍କୁ ଅଧା ଦିନିଆ ଛୁଟି କିମ୍ବା ଅତିରିକ୍ତ ବିଶ୍ରାମ ସମୟ ଦିଆଯିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରାଯାଇଛି।

ପୂର୍ବରୁ ଅନେକ ବିଦ୍ୟାଳୟରେ ଗୁରୁ ଦିବସ କିମ୍ବା ଶିଶୁ ଦିବସରେ କାର୍ଯ୍ୟକ୍ରମ ଶେଷ ହେବା ପରେ ଛାତ୍ରଛାତ୍ରୀଙ୍କୁ ଘରକୁ ଛାଡ଼ି ଦିଆଯାଉଥିଲା। ଫଳରେ ସେହି ଦିନର ନିର୍ଦ୍ଧାରିତ ପାଠପଢ଼ା ବାଧାପ୍ରାପ୍ତ ହେଉଥିଲା। ପାଠ୍ୟକ୍ରମ ନିର୍ଦ୍ଧାରିତ ସମୟରେ ଶେଷ କରିବା ଏବଂ ପ୍ରତ୍ୟେକ ଶିକ୍ଷାଦାନ ଦିବସର ସଠିକ୍ ସଦୁପଯୋଗ କରିବା ଲକ୍ଷ୍ୟରେ ବିଭାଗ ଏହି ନୂଆ ବ୍ୟବସ୍ଥା କରିଥିବା କୁହାଯାଉଛି।
ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ତେଣୁ ଏଣିକି ଗୁରୁ ଦିବସ ଓ ଶିଶୁ ଦିବସ କେବଳ ଉତ୍ସବର ଦିନ ନୁହେଁ, ବରଂ ଉତ୍ସବ ସହ ଶିକ୍ଷାଦାନ ଜାରି ରହିବାର ଦିନ ଭାବେ ପରିଗଣିତ ହେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score