କ୍ରିକେଟ ଜଗତରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରୁଛନ୍ତି ୧୫ ବର୍ଷୀୟ ଯୁବ ଭାରତୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ। ଏବେ ତାଙ୍କ କ୍ୟାରିଅରରେ ଯୋଡ଼ି ହୋଇଛି ଆଉ ଏକ ବଡ଼ ଅଧ୍ୟାୟ। ଅଳ୍ପ ବୟସରେ ସିନିୟର ଟିମର ଅଧିନାୟକତ୍ୱ ସମ୍ଭାଳିବାର ସୁଯୋଗ ପାଇଛନ୍ତି ବୈଭବ।
ଦଲିପ ଟ୍ରଫି ସେମିଫାଇନାଲରେ ସେଣ୍ଟ୍ରାଲ ଜୋନ୍ ବିପକ୍ଷ ମ୍ୟାଚରେ ଇଷ୍ଟ ଜୋନ ପାଇଁ ଏହି ଯୁବ କ୍ରିକେଟରଙ୍କୁ ହଠାତ ଅଧିନାୟକତ୍ୱ ଦାୟିତ୍ୱ ନେବାକୁ ପଡ଼ିଥିଲା। ମ୍ୟାଚ ଆରମ୍ଭରେ ବୈଭବ ଉପଅଧିନାୟକ ଭାବେ ଦଳରେ ଥିଲେ। କିନ୍ତୁ ଏକ ଅପ୍ରତ୍ୟାଶିତ ଘଟଣା ପରେ ତାଙ୍କ ହାତକୁ ଆସିଥିଲା ଟିମର ନେତୃତ୍ୱ।
କାହିଁକି ହଠାତ୍ ମିଳିଲା ଅଧିନାୟକତ୍ୱ?
ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଏହି ମୁକାବିଲା ସମୟରେ ଇଷ୍ଟ ଜୋନ୍ର ଅଧିନାୟକ ଈଶାନ କିଷନ ଆହତ ହୋଇଥିଲେ। ୱିକେଟକିପିଂ କରୁଥିବା ବେଳେ ତାଙ୍କ ଡାହାଣ ହାତରେ ଆଘାତ ଲାଗିଥିଲା।
ତେବେ ଈଶାନଙ୍କୁ କିଛି ସମୟ ପାଇଁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ଏହାପରେ ଉପଅଧିନାୟକ ଥିବା ବୈଭବ ସୂର୍ଯ୍ୟବଂଶୀ ଦଳର ଅଧିନାୟକତ୍ୱ ସମ୍ଭାଳିଥିଲେ। ପରେ ଈଶାନକିଷନ ହାତରେ ପଟି ବାନ୍ଧି ପୁଣିଥରେ ପଡ଼ିଆକୁ ଫେରିଥିଲେ। କିନ୍ତୁ ସେ ୱିକେଟ କିପିଂ କରିନଥିବାବେଳେ କୁମାର କୁଶାଗ୍ର ୱିକେଟ ପଛର ଦାୟିତ୍ୱ ସମ୍ଭାଳିଥିଲେ।
ଦଲିପ ଟ୍ରଫି ପାଇଁ ଇଷ୍ଟ ଜୋନ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପଅଧିନାୟକ ଭାବେ ଚୟନ କରାଯାଇଥିଲା। ତାଙ୍କ କମ୍ ବୟସକୁ ଦେଖି ଏହି ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା। ତେବେ ଚୟନକର୍ତ୍ତାମାନେ ସ୍ପଷ୍ଟ କରିଥିଲେ ଯେ ଏହି ଦାୟିତ୍ୱ କେବଳ ବର୍ତ୍ତମାନ ପାଇଁ ନୁହେଁ । ଭବିଷ୍ୟତ ପାଇଁ ଜଣେ ଯୁବ ଖେଳାଳିଙ୍କୁ ନେତୃତ୍ୱ ଦେବାର ଅଭିଜ୍ଞତା ପ୍ରଦାନ କରିବା ମଧ୍ୟ ଏହାର ଉଦ୍ଦେଶ୍ୟ ଥିଲା ।
ବୈଭବ ସୂର୍ଯ୍ୟବଂଶୀ ୨୦୨୪ ମସିହାରେ ରଣଜୀ ଟ୍ରଫି ମାଧ୍ୟମରେ ନିଜର ଫାର୍ଷ୍ଟ କ୍ଲାସ୍ କ୍ୟାରିଅର ଆରମ୍ଭ କରିଥିଲେ। ଏପର୍ଯ୍ୟନ୍ତ ସେ ୯ଟି ଫାର୍ଷ୍ଟ କ୍ଲାସ ମ୍ୟାଚ ଖେଳି ୨୧୫ ରନ କରିଛନ୍ତି । ଏହା ମଧ୍ୟରେ ରହିଛି ଗୋଟିଏ ଅର୍ଦ୍ଧଶତକ । ଅଭିଜ୍ଞତା କମ ଥିଲେ ମଧ୍ୟ ଏତେ କମ ବୟସରେ ସିନିୟର ଖେଳାଳିଙ୍କୁ ନେଇ ଗଠିତ ଦଳର ନେତୃତ୍ୱ ନେବା ବୈଭବଙ୍କ ପାଇଁ ଏକ ବଡ଼ ସୁଯୋଗ ସହ ବଡ଼ ପରୀକ୍ଷା ମଧ୍ୟ।
ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ରେ ନର୍ଥ ଇଷ୍ଟ ବିପକ୍ଷରେ ବୈଭବ ୮ ରନ୍ କରିଥିଲେ। ବୋଲିଂରେ ସେ ୨ଟି ୱିକେଟ ମଧ୍ୟ ନେଇଥିଲେ। ସେହି ମ୍ୟାଚ୍ରେ ଇଷ୍ଟ ଜୋନ୍ ଏକ ଇନିଂସ ଓ ୨୧୦ ରନରେ ବିଜୟୀ ହୋଇଥିଲା।
ମାତ୍ର ୧୫ ବର୍ଷ ବୟସରେ ଉପଅଧିନାୟକରୁ ହଠାତ ଅଧିନାୟକତ୍ୱ ସମ୍ଭାଳିବା ବୈଭବ ସୂର୍ଯ୍ୟବଂଶୀଙ୍କ କ୍ରିକେଟ କ୍ୟାରିଅରରେ ଆଉ ଏକ ସ୍ମରଣୀୟ ମୁହୂର୍ତ୍ତ ହୋଇରହିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
