ବ୍ରହ୍ମପୁର: ଆକାଶକୁ ଦେଖି ଆରମ୍ଭ ହୋଇଥିଲା ସ୍ୱପ୍ନ। ପିଲାବେଳୁ ମହାକାଶ ଓ ଅଜଣା ବିଶ୍ୱକୁ ନେଇ ମନରେ ଉଠୁଥିବା ଅନେକ ପ୍ରଶ୍ନ ଆଜି ଜଣେ ଯୁବ ବିଜ୍ଞାନୀଙ୍କୁ ନେଇଯାଇଛି ଏରୋସ୍ପେସ୍ ଗବେଷଣାର ଅତ୍ୟାଧୁନିକ କ୍ଷେତ୍ରକୁ। ବ୍ରହ୍ମପୁରର ଯୁବକ ବିଶ୍ୱଜିତ୍ ଦାସ ମହାକାଶ ଗବେଷଣା ଓ ସ୍ପେସ୍ ଆର୍କିଟେକ୍ଚର୍ କ୍ଷେତ୍ରରେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି।
ମହାକାଶରେ ମାନବ ଶରୀର କିପରି କାର୍ଯ୍ୟ କରେ, ଅତ୍ୟଧିକ ଗୁରୁତ୍ୱାକର୍ଷଣ ଶକ୍ତିର ପ୍ରଭାବ କ’ଣ ଏବଂ ପ୍ରତିକୂଳ ପରିବେଶରେ କିପରି ଗବେଷଣା ଜାରି ରଖାଯାଇପାରିବ—ଏଭଳି ପ୍ରଶ୍ନର ଉତ୍ତର ଖୋଜିବାରେ ବିଶ୍ୱଜିତଙ୍କ ଆଗ୍ରହ ତାଙ୍କୁ ଏହି କ୍ଷେତ୍ରରେ ଆଗକୁ ବଢ଼ିବାର ପ୍ରେରଣା ଦେଇଛି।
ମହାକାଶ ଗବେଷଣା ପାଇଁ ନୂଆ ପଦକ୍ଷେପ
ଭାରତର ବିଭିନ୍ନ ପ୍ରାନ୍ତର ଯୁବ ପ୍ରତିଭାଙ୍କୁ ଏକାଠି କରି ବିଶ୍ୱଜିତ ସ୍ପେସ ଆର୍କିଟେକ୍ଚର ଓ ମାନବ ମହାକାଶ ଅନ୍ୱେଷଣ ସମ୍ପର୍କିତ ଗବେଷଣା କ୍ଷେତ୍ରରେ ଏକ ଷ୍ଟାର୍ଟଅପ ଆରମ୍ଭ କରିଛନ୍ତି । ତାଙ୍କ ଏହି ଉଦ୍ୟମକୁ ISROର ସ୍ୱୀକୃତି ମିଳିଥିବା ଜଣାପଡ଼ିଛି।
ଏହି ଉଦ୍ୟମ ମାଧ୍ୟମରେ ମହାକାଶରେ ମାନବ ଗବେଷଣା, ସ୍ପେସ୍ ଆର୍କିଟେକ୍ଚର୍ ଏବଂ ମାନବ ଶରୀର ଉପରେ ମହାକାଶୀୟ ପରିବେଶର ପ୍ରଭାବ ଭଳି ବିଷୟ ଉପରେ ଗବେଷଣାକୁ ଆଗକୁ ନେବାର ପ୍ରୟାସ କରାଯାଉଛି।
ପୋଲାଣ୍ଡରେ ଅତ୍ୟାଧୁନିକ ଏରୋସ୍ପେସ୍ ଟ୍ରେନିଂ
ନିକଟରେ ବିଶ୍ୱଜିତ୍ ନିଜ ଟିମ ସହ ପୋଲାଣ୍ଡରେ ଆୟୋଜିତ ଏକ ଅନ୍ତର୍ଜାତୀୟ ହ୍ୟୁମାନ ସେଣ୍ଟ୍ରିଫ୍ୟୁଜ ଟ୍ରେନିଂ ପ୍ରୋଗ୍ରାମରେ ଅଂଶଗ୍ରହଣ କରିଛନ୍ତି। ଏହି ଉନ୍ନତ ଏରୋସ୍ପେସ ପ୍ରଶିକ୍ଷଣରେ ଅତ୍ୟଧିକ G-Force ପରିସ୍ଥିତିରେ ମାନବ ଶରୀରର ପ୍ରତିକ୍ରିୟା ଏବଂ ଏଭଳି ପରିସ୍ଥିତିକୁ ସମ୍ଭାଳିବାର ବିଭିନ୍ନ ପ୍ରାୟୋଗିକ ଦିଗ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।
ପ୍ରଶିକ୍ଷଣ ସମୟରେ ଉଚ୍ଚ G-Force ମଧ୍ୟରେ ମାନବ ଶରୀରର ପ୍ରତିକ୍ରିୟା, ମହାକାଶଚାରୀଙ୍କ ପ୍ରସ୍ତୁତି ଏବଂ ପ୍ରତିକୂଳ ପରିସ୍ଥିତିରେ ମାନବ ଶରୀରର କାର୍ଯ୍ୟକ୍ଷମତା ଭଳି ବିଷୟରେ ବ୍ୟବହାରିକ ଅଭିଜ୍ଞତା ହାସଲ କରିଥିଲେ ବିଶ୍ୱଜିତ ଓ ତାଙ୍କ ଟିମ ।
ଯୁଦ୍ଧ ବିମାନ ପାଇଲଟଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ
ଏହି ପ୍ରଶିକ୍ଷଣର ଆଉ ଏକ ବିଶେଷ ଦିଗ ହେଉଛି ଅତ୍ୟାଧୁନିକ ଏରୋସ୍ପେସ୍ ପ୍ରଶିକ୍ଷଣ ପରିବେଶ। F-16, F-35 ଏବଂ MIG-29 ଭଳି ଉଚ୍ଚ କ୍ଷମତାସମ୍ପନ୍ନ ଯୁଦ୍ଧ ବିମାନ ସହ ଜଡ଼ିତ ଅଭିଜ୍ଞ ପାଇଲଟ୍ଙ୍କ ତତ୍ତ୍ୱାବଧାନରେ ଏହି ପ୍ରଶିକ୍ଷଣ ହୋଇଥିଲା।
ପ୍ରଶିକ୍ଷଣ ମାଧ୍ୟମରେ ଉଚ୍ଚ G-Force ସମୟରେ ଶରୀରକୁ ସ୍ଥିର ରଖିବା, ଚେତନା ହରାଇବାର ଆଶଙ୍କାକୁ ନିୟନ୍ତ୍ରଣ କରିବା ଏବଂ ଏଭଳି ପରିସ୍ଥିତିରେ ଶରୀରର ଶାରୀରିକ ପ୍ରତିକ୍ରିୟା ବୁଝିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
G-Force ଠାରୁ ମାନବ ଶରୀରର ପ୍ରତିକ୍ରିୟା ପର୍ଯ୍ୟନ୍ତ
ହ୍ୟୁମାନ୍ ସେଣ୍ଟ୍ରିଫ୍ୟୁଜ୍ ଟ୍ରେନିଂ ଏକ ଉନ୍ନତ ଏରୋସ୍ପେସ୍ ପ୍ରଶିକ୍ଷଣ ପ୍ରଣାଳୀ। ଯୁଦ୍ଧ ବିମାନ ଉଡ଼ାଣ କିମ୍ବା ମହାକାଶ ଅଭିଯାନ ସମୟରେ ମାନବ ଶରୀର ଉପରେ ପଡ଼ୁଥିବା ଅତ୍ୟଧିକ G-Force ପ୍ରଭାବକୁ ନିୟନ୍ତ୍ରିତ ପରିବେଶରେ ଅନୁଭବ କରିବାର ସୁଯୋଗ ଏଥିରେ ମିଳିଥାଏ।
ଏହି ପ୍ରଶିକ୍ଷଣରେ Anti-G Maneuvers, G-Induced Loss of Consciousness (G-LOC) ପ୍ରତିରୋଧ, ଉଚ୍ଚ G-Force ସମୟରେ ମାନବ ଶରୀରର ପ୍ରତିକ୍ରିୟା ଏବଂ ଫାଇଟର ଜେଟ କକପିଟ ସିମୁଲେସନ ଭଳି ବିଭିନ୍ନ ବିଷୟରେ ବ୍ୟବହାରିକ ପ୍ରଶିକ୍ଷଣ ଦିଆଯାଇଥିଲା।
ବ୍ରହ୍ମପୁରରୁ ଅନ୍ତର୍ଜାତୀୟ ମଞ୍ଚକୁ
ମହାକାଶ ଓ ଏରୋସ୍ପେସ ଗବେଷଣା କ୍ଷେତ୍ରରେ ବିଶ୍ୱଜିତଙ୍କ ଏହି ପଦକ୍ଷେପ କେବଳ ତାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ବ୍ରହ୍ମପୁର ସହ ଓଡ଼ିଶାର ଯୁବ ପ୍ରତିଭାଙ୍କ ପାଇଁ ମଧ୍ୟ ଏକ ପ୍ରେରଣା।
ପିଲାଦିନର ମହାକାଶ ପ୍ରତି କୌତୁହଳରୁ ଆରମ୍ଭ ହୋଇଥିବା ଯାତ୍ରା ଆଜି ଅନ୍ତର୍ଜାତୀୟ ଏରୋସ୍ପେସ୍ ପ୍ରଶିକ୍ଷଣ ପର୍ଯ୍ୟନ୍ତ ପହଞ୍ଚିଛି। ନୂଆ ଚିନ୍ତାଧାରା, ଗବେଷଣା ଓ ପ୍ରଯୁକ୍ତିକୁ ଆଧାର କରି ଆଗକୁ ବଢ଼ୁଥିବା ବିଶ୍ୱଜିତଙ୍କ ଏହି ପ୍ରୟାସ ଭବିଷ୍ୟତରେ ଭାରତର ମାନବ ମହାକାଶ ଗବେଷଣା କ୍ଷେତ୍ରରେ ଯୁବ ପ୍ରତିଭାଙ୍କ ଭୂମିକାକୁ ଆହୁରି ମଜବୁତ କରିବାର ଆଶା ସୃଷ୍ଟି କରିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
