Explore

Search

August 21, 2026 8:49 pm

ଷ୍ଟାର୍ଟଅପ୍ ଓଡ଼ିଶାର ବଡ଼ ପଦକ୍ଷେପ : ୨ ହଜାର ନୂତନ ଉଦ୍ୟୋଗର ଲକ୍ଷ୍ୟ

ଭୁବନେଶ୍ୱର : ରାଜ୍ୟରେ ଔଦ୍ୟୋଗିକ ବିକାଶ ଓ ନବସୃଜନକୁ ଅଧିକ ଗତି ଦେବା ଲକ୍ଷ୍ୟରେ ଏମ୍ଏସ୍ଏମ୍ଇ ବିଭାଗ ଅଧୀନରେ ଷ୍ଟାର୍ଟଅପ୍ ଓଡ଼ିଶା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି। ବର୍ତ୍ତମାନ ରାଜ୍ୟରେ ୨୮୦୦ରୁ ଅଧିକ ମାନ୍ୟତାପ୍ରାପ୍ତ ଷ୍ଟାର୍ଟଅପ୍ କାର୍ଯ୍ୟରତ ଥିବାବେଳେ ଆଗାମୀ ଦୁଇ ବର୍ଷ ମଧ୍ୟରେ ଆଉ ୨୦୦୦ ନୂତନ ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରଖାଯାଇଛି। ଏନେଇ ଷ୍ଟାର୍ଟଅପ୍ ଓଡ଼ିଶା ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ, ନୂତନ ଷ୍ଟାର୍ଟଅପ୍ ଆଇଡିଆ ଗୁଡ଼ିକୁ ଉପଯୁକ୍ତ ମାର୍ଗଦର୍ଶନ, ପ୍ରଶିକ୍ଷଣ ଓ ପ୍ରଯୁକ୍ତିଗତ ସହାୟତା ମାଧ୍ୟମରେ ବାଣିଜ୍ୟିକ ଉଦ୍ୟମରେ ପରିଣତ କରିବା ପାଇଁ ରାଜ୍ୟରେ ଇନ୍କ୍ୟୁବେସନ ସେଣ୍ଟର ଗୁଡ଼ିକର ପରିସର ବୃଦ୍ଧି କରାଯାଉଛି। ବର୍ତ୍ତମାନ ଶିକ୍ଷାନୁଷ୍ଠାନ ଓ ଶିଳ୍ପ ସହଯୋଗରେ ପ୍ରାୟ ୩୫ଟି ଇନ୍କ୍ୟୁବେସନ ସେଣ୍ଟର କାର୍ଯ୍ୟ କରୁଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ଏହାକୁ ୫୦ଟିକୁ ବୃଦ୍ଧି କରାଯିବ। ଏହାଦ୍ୱାରା ଷ୍ଟାର୍ଟଅପ୍‌ମାନେ ଉନ୍ନତ ଇନ୍କ୍ୟୁବେସନ ସୁବିଧା, ପ୍ରଯୁକ୍ତିଗତ ସହଯୋଗ ଓ ବ୍ୟବସାୟିକ ପରାମର୍ଶ ପାଇପାରିବେ।

ସେହିପରି ଷ୍ଟାର୍ଟଅପ୍ ଆଇଡିଆଗୁଡ଼ିକ ଯେପରି ଶୀଘ୍ର ବାଣିଜ୍ୟିକ ସଫଳତା ହାସଲ କରିପାରିବେ, ସେଥିପାଇଁ ବିଭିନ୍ନ ସଂସ୍ଥା ଓ ଅଂଶୀଦାରଙ୍କ ସହ ସହଭାଗିତାକୁ ଆହୁରି ସୁଦୃଢ଼ କରାଯାଉଛି। ଷ୍ଟାର୍ଟଅପ୍ ସଂସ୍କୃତିକୁ କେବଳ ବଡ଼ ସହରରେ ସୀମିତ ନ ରଖି ଗ୍ରାମାଞ୍ଚଳ ଓ ଆଦିବାସୀ ଅଞ୍ଚଳରେ ମଧ୍ୟ ପହଞ୍ଚାଇବା ପାଇଁ ସରକାର ବିଶେଷ ପଦକ୍ଷେପ ନେଇଛନ୍ତି । ରାଜ୍ୟବ୍ୟାପୀ ହ୍ୟାକାଥନ ଓ ନବସୃଜନ କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଉଦ୍ୟୋଗୀମାନଙ୍କୁ ଆଗକୁ ଆଣିବାରେ ସହଯୋଗ କରାଯାଉଛି।

ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡ଼ିକରୁ ଅଧିକ ସଂଖ୍ୟାରେ ଷ୍ଟାର୍ଟଅପ୍ ଗଠନ ହେବା ଦିଗରେ ଉଦ୍ୟମ ଚାଲିଛି। ଜନଜାତି ଯୁବବର୍ଗଙ୍କ ନେତୃତ୍ୱାଧୀନ ଷ୍ଟାର୍ଟଅପ୍‌ ଗୁଡ଼ିକୁ ଅତିରିକ୍ତ ସୁବିଧା, ମାର୍ଗଦର୍ଶନ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଏହାସହ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ଆଉଟ୍ରିଚ୍ କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ୪୦ଟି ନୂତନ ଅଭିନବ ଷ୍ଟାର୍ଟଅପ୍ ଚିହ୍ନଟ କରିବା ଅଭିଯାନ ଆରମ୍ଭ ହୋଇଛି।

ଷ୍ଟାର୍ଟଅପ୍‌ମାନଙ୍କୁ ଗୋଟିଏ ମଞ୍ଚରେ ସମସ୍ତ ସୁବିଧା ଓ ସେବା ଯୋଗାଇବା ପାଇଁ ଏକ ଏକୀକୃତ (ୟୁନିଫାଏଡ୍) ପୋର୍ଟାଲ ମଧ୍ୟ ଶୀଘ୍ର ଆରମ୍ଭ ହେବ। ସରକାର ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବାବେଳେ ଏହା ରାଜ୍ୟର ଷ୍ଟାର୍ଟଅପ୍ ପରିବେଶକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ଷ୍ଟାର୍ଟଅପ୍ ଓଡ଼ିଶାର ସିଇଓ ସ୍ମୃତି ରଞ୍ଜନ ପ୍ରଧାନ କହିଛନ୍ତି ଯେ, ଷ୍ଟାର୍ଟଅପ୍ ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟମାନଙ୍କ ମଧ୍ୟରେ ରହିଛି। ଏହି ସଫଳତାକୁ ଆହୁରି ବ୍ୟାପକ କରିବା ପାଇଁ ଶିକ୍ଷାନୁଷ୍ଠାନ, ଶିଳ୍ପ ସଂସ୍ଥା ଓ ସରକାରଙ୍କ ମିଳିତ ସହଯୋଗରେ ନୂତନ ଏବଂ ଅଭିନବ ଷ୍ଟାର୍ଟଅପ୍‌ଗୁଡ଼ିକୁ ପ୍ରୋତ୍ସାହନ ଦିଆଯିବ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ୧୩ଟି ନୋଡାଲ ଏଜେନ୍ସି, ୫ ଲକ୍ଷ ବର୍ଗଫୁଟରୁ ଅଧିକ ଇନ୍କ୍ୟୁବେସନ ସ୍ପେସ୍ ଏବଂ ୭୫ଟି ଇ-ସେଲ କାର୍ଯ୍ୟରତ ରହିଛି। ଇନ୍କ୍ୟୁବେଟର ସେଣ୍ଟରଗୁଡ଼ିକ ମାଧ୍ୟମରେ ୧୧୨ରୁ ଅଧିକ ଷ୍ଟାର୍ଟଅପ୍‌କୁ ମାର୍ଗଦର୍ଶନ ମିଳୁଥିବାବେଳେ ୧୪୦ଟି ଷ୍ଟାର୍ଟଅପ୍ ସିଡ୍ ପାଣ୍ଠି ପାଇଛନ୍ତି ଏବଂ ୪୧ଟି ଷ୍ଟାର୍ଟଅପ୍ ନିବେଶ ଆକର୍ଷିତ କରିବାରେ ସଫଳ ହୋଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score