Explore

Search

August 18, 2026 9:02 pm

ମୋବାଇଲ୍‌ ଛାଡ଼ନ୍ତୁ : ନିଜ ପାଇଁ ସମୟ ବାହାର କରନ୍ତୁ

ଭୁବନେଶ୍ୱର : ବର୍ତ୍ତମାନର ଡିଜିଟାଲ୍‌ ଯୁଗରେ ମୋବାଇଲ୍‌ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି । ଘରର କାମ ସାରିବା ପରେ ଅଳ୍ପ ସମୟ ବିଶ୍ରାମ ନେବା ବଦଳରେ ଅନେକେ ସୋସିଆଲ୍‌ ମିଡିଆ, ଭିଡିଓ ଓ ବାର୍ତ୍ତାରେ ଘଣ୍ଟା ଘଣ୍ଟା ସମୟ କାଟୁଛନ୍ତି । ଧୀରେ ଧୀରେ ଏହି ଅଭ୍ୟାସ ଦୈନନ୍ଦିନ ରୁଟିନ୍‌ର ଅଂଶ ହୋଇଯାଉଛି । ତେଣୁ ମୋବାଇଲ୍‌ ବ୍ୟବହାର କମାଇ ନିଜ ରୁଚି ଓ ମନପସନ୍ଦର କାମ ପାଇଁ କିଛି ସମୟ ଦେବା ଆବଶ୍ୟକ ।

ଲଗାତାର ସ୍କ୍ରିନ୍‌ ଦେଖିବା ଦ୍ୱାରା ଆଖିରେ ଅସୁବିଧା ସହ ମାନସିକ ଥକାପଣ ମଧ୍ୟ ଅନୁଭବ ହୋଇପାରେ । ତେଣୁ ଖାଲି ସମୟରେ ଫୋନ୍‌ ଧରିବା ବଦଳରେ କିଛି ସୃଜନଶୀଳ ଓ ଆନନ୍ଦଦାୟକ କାମ ଆପଣାଇପାରିବେ ।

ଗଛଲତାର ଯତ୍ନ ନିଅନ୍ତୁ:

ଘରର ବାଲ୍‌କୋନୀ, ଛାତ କିମ୍ବା ଝରକା ପାଖରେ ଛୋଟ ଛୋଟ ଗଛ ଲଗାନ୍ତୁ । ମାଟି ସହ ସମୟ ବିତାଇବା, ଗଛରେ ପାଣି ଦେବା ଓ ଏହାର ଯତ୍ନ ନେବା ମନକୁ ଶାନ୍ତ ରଖିବାରେ ସହାୟକ ହୋଇପାରେ । ଘରର ପରିବେଶ ମଧ୍ୟ ସବୁଜ ଓ ସୁନ୍ଦର ଦେଖାଯିବ ।

ପସନ୍ଦର ବହି ପଢନ୍ତୁ:

ମୋବାଇଲ୍‌ ସ୍କ୍ରିନ୍‌ରେ ଅନାବଶ୍ୟକ ସମୟ କାଟିବା ଅପେକ୍ଷା ଭଲ ବହି ପଢିବା ଏକ ଉତ୍ତମ ଅଭ୍ୟାସ । କାହାଣୀ, ଉପନ୍ୟାସ, ଜୀବନୀ କିମ୍ବା କବିତା ଭଳି ନିଜ ପସନ୍ଦର ବହି ଚୟନ କରିପାରିବେ । ରାତିରେ ଶୋଇବା ପୂର୍ବରୁ କିଛି ସମୟ ବହି ପଢିବା ଦିନର ଚାପରୁ ମନକୁ ଦୂରେଇ ରଖିପାରେ ।

ନିଜ ଭାବନା ଲେଖି ରଖନ୍ତୁ :

ଦିନର ଅନୁଭୂତି, ଭଲ ମୁହୂର୍ତ୍ତ, ଆଗାମୀ ଦିନର ଲକ୍ଷ୍ୟ କିମ୍ବା ମନରେ ଥିବା କଥାକୁ ଡାଏରୀରେ ଲେଖନ୍ତୁ । ପ୍ରତିଦିନ ୫ରୁ ୧୦ ମିନିଟ୍‌ ନିଜ ଭାବନା ପାଇଁ ଦେବା ଦ୍ୱାରା ନିଜକୁ ଅଧିକ ଭଲ ଭାବେ ବୁଝିବାର ସୁଯୋଗ ମିଳିପାରେ ।

ଫୋନ୍‌ ବିନା ହାଟିବାକୁ ଯାଆନ୍ତୁ :

ସକାଳ କିମ୍ବା ସନ୍ଧ୍ୟାରେ କିଛି ସମୟ ଫୋନ୍‌ ଓ ଇଅରଫୋନ୍‌ ଠାରୁ ଦୂରେଇ ରହିବା ଅଭ୍ୟାସ କରନ୍ତୁ । ପାର୍କ କିମ୍ବା ନିକଟସ୍ଥ ରାସ୍ତାରେ ଚାଲିବା ସମୟରେ ପରିବେଶକୁ ଅନୁଭବ କରନ୍ତୁ । ଏହା ଶରୀରକୁ ସକ୍ରିୟ ରଖିବା ସହ ମନକୁ ମଧ୍ୟ ତାଜା ଅନୁଭବ ଦେଇପାରେ ।

ମୋବାଇଲ୍‌ ଆମ ଜୀବନକୁ ସହଜ କରିଛି, କିନ୍ତୁ ଏହା ଆମ ସମୟକୁ ନିୟନ୍ତ୍ରଣ କରିବା ଉଚିତ୍‌ ନୁହେଁ । ତେଣୁ ପ୍ରତିଦିନ କିଛି ସମୟ ଡିଜିଟାଲ ଦୁନିଆରୁ ବିରତି ନେଇ ନିଜ ପାଇଁ ସମୟ କାଢନ୍ତୁ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score