Explore

Search

August 17, 2026 8:36 pm

ଓଡ଼ିଶା ଅନଲାଇନ୍ ଡ୍ରାଇଭର୍ସ ୟୁନାଇଟେଡ୍ ଫୋରମ୍’ ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା

ଭୁବନେଶ୍ୱର: ଆପ୍-ଆଧାରିତ ଟ୍ୟାକ୍ସି ଓ ପରିବହନ ସେବାର କାର୍ଯ୍ୟପ୍ରଣାଳୀରେ ସରକାରୀ ହସ୍ତକ୍ଷେପ ଦାବି କରି ଆଜି ଭୁବନେଶ୍ୱରରେ ‘ଓଡ଼ିଶା ଅନଲାଇନ୍ ଡ୍ରାଇଭର୍ସ ୟୁନାଇଟେଡ୍ ଫୋରମ୍’ ପକ୍ଷରୁ ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ପ୍ରଦର୍ଶନ କରାଯାଇଛି । ଏହାସହ ଓଲା, ଉବର, ରାପିଡୋ ଏବଂ ଓଡ଼ିଶା ଯାତ୍ରୀ ପରି ଅନଲାଇନ୍ ପରିବହନ ପ୍ଲାଟଫର୍ମ ବିରୋଧରେ ଫୋରମ୍ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ମଧ୍ୟ ଦିଆଯାଇଛି।

ଫୋରମ୍‌ର ମୁଖ୍ୟ ଦାବି ହେଉଛି ଆପ୍-ଆଧାରିତ ଟ୍ୟାକ୍ସି ଓ ଅଟୋ ସେବା ପାଇଁ ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ଭଡ଼ା ବ୍ୟବସ୍ଥା ପ୍ରଣୟନ କରାଯିବା ଏବଂ ଅନଲାଇନ୍ ଡ୍ରାଇଭରମାନଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନିଆଯିବା। ଫୋରମ୍‌ର କହିବା ଅନୁସାରେ, ରାଜ୍ୟର ୨୧ଟି କ୍ଷୁଦ୍ର ଡ୍ରାଇଭର ସଂଗଠନ ଏହି ଆନ୍ଦୋଳନ ଓ ବନ୍ଦ ଡାକରାକୁ ସମର୍ଥନ ଜଣାଇଛନ୍ତି।

ସଂଗଠନ ପକ୍ଷରୁ କୁହାଯାଇଛି ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିବାଦ କାର୍ଯ୍ୟକ୍ରମ କରାଯିବ। ବିଶେଷ କରି ଭୁବନେଶ୍ୱର ଓ କଟକରେ ଅଧିକ ସଂଖ୍ୟକ ଡ୍ରାଇଭର ଏହି ଆନ୍ଦୋଳନରେ ସାମିଲ ହେବାର ସମ୍ଭାବନା ରହିଛି।

ଡ୍ରାଇଭରମାନଙ୍କର ପ୍ରମୁଖ ଦାବି ହେଉଛି ଅନଲାଇନ୍ ଟ୍ୟାକ୍ସି ସେବା ପାଇଁ ଏକ ନିର୍ଦ୍ଧାରିତ ଓ ସ୍ୱଚ୍ଛ ଭଡ଼ା ବ୍ୟବସ୍ଥା ଲାଗୁ କରାଯାଉ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନ ଆପ୍ କମ୍ପାନୀମାନେ ଭଡ଼ା ନିର୍ଦ୍ଧାରଣରେ ଅଧିକ ନିୟନ୍ତ୍ରଣ ରଖୁଥିବାରୁ ଡ୍ରାଇଭରମାନଙ୍କ ଆୟ ଅନିଶ୍ଚିତ ହୋଇପଡ଼ୁଛି।

ସ୍ମାର୍ଟ ସିଟି ଅନଲାଇନ୍ ଅଟୋ ମହାସଂଘର ସଭାପତି ଦୀନବନ୍ଧୁ ନାୟକ କହିଛନ୍ତି ଯେ, ଗତ କିଛି ବର୍ଷ ଧରି ବିଭିନ୍ନ ସରକାରଙ୍କ ନିକଟରେ ଏହି ସମସ୍ୟା ଉଠାଯାଇଥିଲେ ମଧ୍ୟ କୌଣସି ସନ୍ତୋଷଜନକ ସମାଧାନ ମିଳିନାହିଁ। ୨୧ଟି କ୍ଷୁଦ୍ର ସଂଗଠନର ସମର୍ଥନରେ ଏହି ଆନ୍ଦୋଳନ କରାଯାଇଥିବା ସେ କହିଛନ୍ତି।

ଫୋରମ୍‌ର ପ୍ରତିନିଧିମାନେ ଦାବି କରିଛନ୍ତି ଯେ ଅନଲାଇନ୍ ପରିବହନ ପ୍ଲାଟଫର୍ମ ସହ ଜଡିତ ସମସ୍ୟା ପ୍ରାୟ ୧୨ ବର୍ଷ ଧରି ଚାଲିଆସୁଛି। ବିଶେଷକରି ଭଡ଼ା ନିୟନ୍ତ୍ରଣ ପାଇଁ କୌଣସି ସ୍ପଷ୍ଟ ନୀତି ନଥିବାରୁ ଡ୍ରାଇଭରମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

ଫୋରମ୍‌ର ଜୋନାଲ୍ ହେଡ୍ ଗଣେଶ୍ୱର ବେହେରା କହିଛନ୍ତି ଯେ, ଏହି ପ୍ରସଙ୍ଗ ଅନେକ ଥର ଉଠାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସରକାର ଏକ ସ୍ଥାୟୀ ଓ ନିୟନ୍ତ୍ରିତ ଭଡ଼ା ବ୍ୟବସ୍ଥା ଲାଗୁ କଲେ ଡ୍ରାଇଭରମାନଙ୍କ ଜୀବିକାରେ ସ୍ଥିରତା ଆସିବ ବୋଲି ସେ କହିଛନ୍ତି।

ଏହି ଆନ୍ଦୋଳନକୁ ୨୧ଟି କ୍ଷୁଦ୍ର ଡ୍ରାଇଭର ସଂଗଠନର ସମର୍ଥନ ମିଳିଥିବାରୁ ସରକାର ଉପରେ ଚାପ ବଢ଼ିପାରେ ବୋଲି ଆଲୋଚନା ହେଉଛି। ଭୁବନେଶ୍ୱର ଓ କଟକ ଭଳି ସହରରେ ଆପ୍-ଆଧାରିତ ଟ୍ୟାକ୍ସି ଓ ଅଟୋ ସେବା ଦୈନନ୍ଦିନ ପରିବହନର ଏକ ପ୍ରମୁଖ ମାଧ୍ୟମ ହୋଇଥିବାରୁ ଏହି ଆନ୍ଦୋଳନର ପ୍ରଭାବ ଅଧିକ ଦେଖାଯାଇପାରେ।

ଫୋରମ୍ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ଯେ, ଅନଲାଇନ୍ ପରିବହନ କମ୍ପାନୀ ଓ ଡ୍ରାଇଭର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ଏକ ଦୀର୍ଘମିଆଦି ସମାଧାନ ବାହାର କରାଯାଉ। ଭଡ଼ା ନିୟନ୍ତ୍ରଣ ସହିତ ଡ୍ରାଇଭରମାନଙ୍କ ଆର୍ଥିକ ସୁରକ୍ଷା ଓ ପ୍ଲାଟଫର୍ମ ପରିଚାଳନାରେ ଅଧିକ ସ୍ୱଚ୍ଛତା ଆଣିବାକୁ ମଧ୍ୟ ସେମାନେ ଦାବି କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score