Explore

Search

August 17, 2026 8:39 pm

ବିଦେଶ ମାଟିରେ ଚମକିଲା ବ୍ରହ୍ମପୁର : “ବ୍ରିଟିଶ ସିଟିଜେନ ଆୱାର୍ଡ’’ରେ ରେଖାଙ୍କ ନାଁ

ବ୍ରହ୍ମପୁର : ପୁଣିଥରେ ବିଦେଶ ମାଟିରେ ଚମକିଲା ବ୍ରହ୍ମପୁର । ଓଡ଼ିଶାର ଗୌରବକୁ ବିଦେଶ ମାଟିରେ ଉଜ୍ଜ୍ୱଳ କରିଛନ୍ତି ବ୍ରହ୍ମପୁରର ଉଚ୍ଚ ଶିକ୍ଷିତ ମହିଳା । ଯାହା ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛି । ଓଡ଼ିଶାର ଗୌରବକୁ ବିଦେଶ ମାଟିରେ ଉଜ୍ଜ୍ୱଳ କରିଛନ୍ତି ବ୍ରହ୍ମପୁରର କନ୍ୟା ରେଖା ସେନାପତି ।

ବ୍ରିଟେନରେ ସାମାଜିକ ସେବା ଓ ଜନକଲ୍ୟାଣ କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅବଦାନ ପାଇଁ ସେ ସମ୍ମାନଜନକ “ବ୍ରିଟିଶ ସିଟିଜେନ ଆୱାର୍ଡ – ଦ ପିପୁଲ୍ସ ଚଏସ” ରେ ସମ୍ମାନିତ ହୋଇଛନ୍ତି। ଏହି ସଫଳତା କେବଳ ତାଙ୍କ ପାଇଁ ନୁହେଁ, ସମଗ୍ର ଓଡ଼ିଶା ପାଇଁ ମଧ୍ୟ ଗର୍ବର ବିଷୟ ପାଲଟିଛି ।

ଲଣ୍ଡନର ଐତିହାସିକ ୱେଷ୍ଟମିନିଷ୍ଟର ପ୍ୟାଲେସର ହାଉସ ଅଫ୍ ଲର୍ଡସରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରେଖା ସେନାପତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ବିଭିନ୍ନ ବର୍ଗରେ ଦିଆଯାଇଥିବା ଏହି ପୁରସ୍କାର ମଧ୍ୟରେ ସେ ଭାରତୀୟ ମୂଳର ଏକମାତ୍ର ବ୍ୟକ୍ତି ଭାବେ ସ୍ୱୀକୃତି ପାଇଥିଲେ।

ପୁରସ୍କାର ଗ୍ରହଣ ସମୟରେ ରେଖା ବ୍ରହ୍ମପୁରର ପାରମ୍ପରିକ ପାଟଶାଢ଼ୀ ପରିଧାନ କରି ଉପସ୍ଥିତ ହୋଇଥିଲେ। ବିଦେଶ ମାଟିରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ପ୍ରତି ତାଙ୍କର ଏହି ଶ୍ରଦ୍ଧା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ପ୍ରାୟ ତିନି ଦଶନ୍ଧି ଧରି ବ୍ରିଟେନରେ ବସବାସ କରୁଥିବା ରେଖା ସେନାପତି ସାମାଜିକ କ୍ଷେତ୍ରରେ ନିରନ୍ତର ଭାବେ କାମ କରିଆସୁଛନ୍ତି। ମହିଳା ସଶକ୍ତୀକରଣ, ରୋଗୀ ସହାୟତା, ବଞ୍ଚିତ ଓ ଅସହାୟ ଲୋକଙ୍କ କଲ୍ୟାଣ ସହ ବିଭିନ୍ନ ସାମାଜିକ ପ୍ରକଳ୍ପରେ ତାଙ୍କର ଅବଦାନ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

ସ୍ୱାମୀ ଡାକ୍ତର ଶିବ ସେନାପତିଙ୍କ ସହଯୋଗରେ ସେ ବ୍ରିଟେନରେ ଓଡ଼ିଆ ସଂସ୍କୃତିର ପ୍ରଚାର-ପ୍ରସାର ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି । ବିଶେଷ କରି ମଞ୍ଚେଷ୍ଟରରେ ରଥଯାତ୍ରା ଆୟୋଜନ ମାଧ୍ୟମରେ ପ୍ରବାସୀ ଓଡ଼ିଆଙ୍କୁ ଏକତ୍ର କରିବା ସହ ନୂଆ ପୀଢ଼ିକୁ ନିଜ ସଂସ୍କୃତି ସହ ଯୋଡ଼ି ରଖିବାର ଉଦ୍ୟମ ଜାରି ରଖିଛନ୍ତି।

ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୂର୍ବରୁ ମଧ୍ୟ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ବିଭିନ୍ନ ସଂସ୍ଥା ତାଙ୍କ ସେବାଭାବ ଓ ନେତୃତ୍ୱକୁ ସ୍ୱୀକୃତି ଦେଇ ସମ୍ମାନିତ କରିଛନ୍ତି ।

ଏହି ନୂତନ ସମ୍ମାନ ପାଇବା ପରେ ରେଖା ସେନାପତି କହିଛନ୍ତି ଯେ, ଏହା ତାଙ୍କ ବ୍ୟକ୍ତିଗତ ସଫଳତା ନୁହେଁ; ବରଂ ସମାଜର ସେହି ସମସ୍ତ ଲୋକଙ୍କ ପ୍ରତି ଉତ୍ସର୍ଗିତ, ଯେଉଁମାନଙ୍କ ପାଇଁ ସେ ବର୍ଷ ବର୍ଷ ଧରି କାମ କରୁଛନ୍ତି।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭ କରିଥିବା ରେଖା ସେନାପତି ଆଜି ବିଦେଶରେ ରହି ମଧ୍ୟ ନିଜ ମାଟି, ଭାଷା ଓ ସଂସ୍କୃତି ସହ ଗଭୀର ସମ୍ପର୍କ ଅତୁଟ ରଖିଛନ୍ତି । ତାଙ୍କର ଏହି ସଫଳତା ଓଡ଼ିଶାର ଯୁବପୀଢ଼ି ଏବଂ ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ ସୃଷ୍ଟି କରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score