ଭୁବନେଶ୍ୱର : ଓଡ଼ିଶାର ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ସହ ରାଜ୍ୟର ପାରମ୍ପରିକ କଳା, ହସ୍ତଶିଳ୍ପ ଏବଂ ସ୍ଥାନୀୟ ଉତ୍ପାଦକୁ ଜାତୀୟ ଓ ଆନ୍ତର୍ଜାତିକ ବଜାରରେ ଏକ ସ୍ୱତନ୍ତ୍ର ପରିଚୟ ଦେବା ଲକ୍ଷ୍ୟରେ ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ‘ଭୋକାଲ୍ ଫର୍ ଲୋକାଲ୍’ ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ଅଧିକ ଗତିଶୀଳ କରାଯାଉଥିବାବେଳେ ଗ୍ରାମୀଣ ଉତ୍ପାଦକ, କାରିଗର, ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ପାଇଁ ନୂତନ ବଜାର ସୁଯୋଗ ସୃଷ୍ଟି କରାଯାଉଛି ।
ଏହି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ଓରମାସ (ORMAS) ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ‘ଭାରତୀୟ ବ୍ୟାପାର ମହୋତ୍ସବ–୨୦୨୬’ ରେ ଅଂଶଗ୍ରହଣ କରିଛି। ଏହି ମହୋତ୍ସବ ଦେଶର ବିଭିନ୍ନ ରାଜ୍ୟର ଉତ୍ପାଦ, ଶିଳ୍ପ ଓ ଉଦ୍ୟୋଗକୁ ଏକ ଜାତୀୟ ମଞ୍ଚ ପ୍ରଦାନ କରୁଥିବା ବେଳେ ଓଡ଼ିଶା ପାଇଁ ଏହା ଏକ ବଡ଼ ସୁଯୋଗ ଭାବେ ଉଭା ହୋଇଛି। ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ବିଭିନ୍ନ ସ୍ୱତନ୍ତ୍ର ଉତ୍ପାଦ ଏବଂ ପାରମ୍ପରିକ ସାମଗ୍ରୀ ପ୍ରଦର୍ଶିତ ହେଉଛି ।
ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ, ବୋମକାଇ, କୋଟପାଡ଼ ଓ ପସାପଲ୍ଲୀ ହସ୍ତତନ୍ତ ବସ୍ତ୍ର, ପିପିଲିର ଆପ୍ଲିକ୍ କାମ, ରଘୁରାଜପୁରର ପଟ୍ଟଚିତ୍ର, ଢୋକ୍ରା କଳା, ପଥର ଓ କାଠ ଖୋଦେଇ କାରୁକାର୍ଯ୍ୟ, ବାଂଶ ଓ ବେତ ସାମଗ୍ରୀ, ଟେରାକୋଟା ଉତ୍ପାଦ, ଘର ସାଜସଜ୍ଜା ସାମଗ୍ରୀ, ପାରମ୍ପରିକ ଅଳଙ୍କାର, ଜୈବିକ ମସଲା, ମାଣ୍ଡିଆ ଆଧାରିତ ଖାଦ୍ୟ, ମହୁ, ଆଚାର ଓ ଅନ୍ୟାନ୍ୟ ଗ୍ରାମୀଣ ଉତ୍ପାଦ ଏଠାରେ ସ୍ଥାନ ପାଇଛି । ଏହି ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ କାରିଗରୀ କୌଶଳକୁ ଦେଶ ଏବଂ ବିଦେଶର ଦର୍ଶକଙ୍କ ନିକଟରେ ପହଞ୍ଚାଇବାର ସୁଯୋଗ ମିଳିଛି।
ମହୋତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତର ବ୍ୟବସାୟୀ, ବଡ଼ କ୍ରେତା, ରପ୍ତାନିକାରୀ, ଖୁଚୁରା ବିକ୍ରେତା ଏବଂ ଆନ୍ତର୍ଜାତିକ ବାଣିଜ୍ୟ ପ୍ରତିନିଧିମାନେ ଯୋଗଦେଉଥିବାରୁ ଓଡ଼ିଶାର ଗ୍ରାମୀଣ ଉତ୍ପାଦକମାନେ ସିଧାସଳଖ ବ୍ୟବସାୟିକ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ପାଇଛନ୍ତି । ଏହା ମାଧ୍ୟମରେ ବ୍ୟବସାୟ-ରୁ-ବ୍ୟବସାୟ (B2B) ସହଯୋଗ ବୃଦ୍ଧି ପାଇବା ସହ ଦୀର୍ଘମିଆଦି ବଜାର ସଂଯୋଗ ସୃଷ୍ଟି ହେବ। ଏହା ଫଳରେ ଗ୍ରାମୀଣ ଉତ୍ପାଦର ବିକ୍ରୟ ବୃଦ୍ଧି ପାଇବା ସହ କାରିଗର ଓ ଉତ୍ପାଦକଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ।
ଓରମାସ ଦୀର୍ଘ ଦିନ ଧରି ରାଜ୍ୟର ମହିଳା ସ୍ୱୟଂସହାୟକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ ଓ ଗ୍ରାମୀଣ କାରିଗରମାନଙ୍କୁ ବଜାର ସଂଯୋଗ ପ୍ରଦାନ କରି ଆସୁଛି । ରାଜ୍ୟ, ଜାତୀୟ ଏବଂ ଆନ୍ତର୍ଜାତିକସ୍ତରରେ ବିଭିନ୍ନ ପ୍ରଦର୍ଶନୀ, ମେଳା ଓ ବାଣିଜ୍ୟିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ମାଧ୍ୟମରେ ଏହି ସଂସ୍ଥା ହଜାର ହଜାର ଗ୍ରାମୀଣ ପରିବାରଙ୍କ ଜୀବିକାକୁ ସୁଦୃଢ଼ କରିବାରେ ସହାୟକ ହୋଇଛି। ଭାରତୀୟ ବ୍ୟାପାର ମହୋତ୍ସବରେ ଅଂଶଗ୍ରହଣ ଏହି ପ୍ରୟାସକୁ ଆହୁରି ଶକ୍ତିଶାଳୀ କରିବ।
ବିଶେଷଜ୍ଞମାନଙ୍କ ମତରେ, ଓଡ଼ିଶାର ହସ୍ତଶିଳ୍ପ ଓ କୃଷି ଆଧାରିତ ଉତ୍ପାଦର ଆନ୍ତର୍ଜାତିକ ବଜାରରେ ବହୁତ ଚାହିଦା ରହିଛି। ଉପଯୁକ୍ତ ବଜାର ସଂଯୋଗ, ଉନ୍ନତ ପ୍ୟାକେଜିଂ ଏବଂ ରପ୍ତାନି ସୁବିଧା ମିଳିଲେ ଏହି ଉତ୍ପାଦ ଗୁଡ଼ିକ ବିଶ୍ୱ ବଜାରରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିବ । ଏହି ଦିଗରେ ଓରମାସର ଏହି ପଦକ୍ଷେପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।
ଏହି ଉଦ୍ୟମ କେବଳ ଓଡ଼ିଶାର ପାରମ୍ପରିକ ଉତ୍ପାଦର ପ୍ରଚାର-ପ୍ରସାର ନୁହେଁ, ବରଂ ଗ୍ରାମୀଣ ଅର୍ଥନୀତିକୁ ଅଧିକ ସଶକ୍ତ କରିବା, ରୋଜଗାର ସୃଷ୍ଟି କରିବା ଏବଂ ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରୀୟ ପରିଚୟ ପ୍ରଦାନ କରିବାରେ ଏକ ଦୂରଦର୍ଶୀ ପଦକ୍ଷେପ ଭାବେ ପରିଗଣିତ ହେଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
