ପୁରୀ : ରାତି ପାହିଲେ ପବିତ୍ର ରଥ ଯାତ୍ରା । ବିଶ୍ୱବିଖ୍ୟାତ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଶ୍ରୀକ୍ଷେତ୍ର ପରିବେଶ । ଆସନ୍ତାକାଲି ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ପ୍ରତିପଦା ତିଥିରେ ଶ୍ରୀଜିଉମାନଙ୍କ ଉଭାଯାତ୍ରା ନୀତି ସମ୍ପନ୍ନ ହେବ। ସକାଳର ଦୈନନ୍ଦିନ ନୀତିକାନ୍ତି ପରେ ରଥ ଆଜ୍ଞାମାଳ ବିଜେ କରାଯାଇଛି । ଘଣ୍ଟ, କାହାଳି ଓ ଛତା ସହିତ ପଟୁଆରରେ ଆଜ୍ଞାମାଳ ଆସିବା ପରେ ପୂଜାପଣ୍ଡା ସେବକମାନେ ତାହାକୁ ରଥ ନିକଟରେ ବିଜେ କରାଇଛନ୍ତି ।
ନୀତି ଅନୁଯାୟୀ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଅଣାଯାଇଥିଲା । ଏହାପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ଆଣି ସିଂହଦ୍ୱାର ନିକଟରେ ସ୍ଥାପନ କରାଯାଇଛି। ରଥ ଗୁଡ଼ିକର ଚକ ଓ ଅଖରେ ତୈଳ ଲାଗି କରାଯାଇ ଏହି ପ୍ରକ୍ରିୟା ପାଇଁ ସମସ୍ତ ପ୍ରସ୍ତୁତି ସରିଛି।
ରଥଖଳାରୁ ସିଂହଦ୍ୱାର ପର୍ଯ୍ୟନ୍ତ ରଥ ଟାଣି ଆଣିବା କାର୍ଯ୍ୟରେ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ସହଯୋଗ କରିଥିଲେ । ସିଂହଦ୍ୱାର ଚକଡ଼ାରେ ପହଞ୍ଚିବା ପରେ ତିନି ରଥର ଉତ୍ତରମୋଡ଼ କରାଯାଇଥିଲା। ଆସନ୍ତାକାଲି ରଥ ପ୍ରତିଷ୍ଠା ନୀତି ପରେ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ଏନେଇ ୩ ରଥର ସମସ୍ତ କାର୍ଯ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ପ୍ରସ୍ତୁତି ହେଉଛି ପଥ ।
ଅନ୍ୟପକ୍ଷରେ ଘୋଷଯାତ୍ରା ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆଜି ଶ୍ରୀଜିଉମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି । ଅପରାହ୍ନ ଓ ରାତ୍ରି ସମୟରେ ଶ୍ରୀମୁଖ ଖଣ୍ଡୁଆ, ଡାହୁକ କଣ୍ଟ, ସେନାପଟା ଲାଗି ଆଦି ବିଶେଷ ନୀତି ଅନୁଷ୍ଠିତ ହେବ। ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ରାତି ୧୦ଟା ୪୫ ମିନିଟରେ ବାହୁଟ କଣ୍ଟ ଲାଗି ଏବଂ ରାତି ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ସେନାପଟା ଲାଗି ନୀତି ସମ୍ପନ୍ନ ହେବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
