ଭୁବନେଶ୍ୱର : ଓଲିଉଡ ଦର୍ଶକଙ୍କ ପାଇଁ ଆସୁଛି ଆଉ ଏକ ନୂଆ ଚମତ୍କାର ଓଡ଼ିଆ ଫିଲ୍ମ । ଯାହା ଅଭିନେତ୍ରୀ ସୁପ୍ରିୟା ନାୟକ ଓ ସୂର୍ଯ୍ୟମୟୀ ମହାପାତ୍ରଙ୍କୁ ନେଇ ନିର୍ମିତ ହେଉଥିବା ନୂଆ ଚଳଚ୍ଚିତ୍ର ‘କଙ୍କଣ’ । ଏହାର ପ୍ରଥମ ଦୃଶ୍ୟ ଏବେ ଦର୍ଶକଙ୍କ ସାମ୍ନାକୁ ଆସିଛି । ଆଉ ପୋଷ୍ଟର ପ୍ରକାଶ ପାଇବା ପରେ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ିଛି।
ନିର୍ମାତାଙ୍କ ସୂଚନା ଅନୁସାରେ, ‘କଙ୍କଣ’ ଏକ ରହସ୍ୟ ଓ ସସ୍ପେନ୍ସ ଭରା କାହାଣୀ ଉପରେ ଆଧାରିତ। ଫିଲ୍ମରେ ସୁପ୍ରିୟା ନାୟକ ଏମିତି ଏକ ଚରିତ୍ରରେ ନଜର ଆସିବେ, ଯାହା ତାଙ୍କ ଅଭିନୟ ଜୀବନର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଉଛି। ପୋଷ୍ଟରରେ ତାଙ୍କ ଭିନ୍ନ ଅବତାର ଦର୍ଶକଙ୍କ ଉତ୍ସୁକତାକୁ ଆହୁରି ବଢ଼ାଇଛି।
ଫିଲ୍ମଟିକୁ ଦୀପକ ମହାପାତ୍ର ଓ ଭବାନୀ ଶଙ୍କର ସୁବୁଦ୍ଧି ପ୍ରଯୋଜନା କରୁଥିବା ବେଳେ ଏହା ଆସନ୍ତା ୧୮ ସେପ୍ଟେମ୍ବର ୨୦୨୬ରେ ସିନେମା ହଲ୍ରେ ମୁକ୍ତିଲାଭ କରିବ। ଖୁବ୍ ଶୀଘ୍ର ଫିଲ୍ମର ପ୍ରଥମ ଝଲକ ମଧ୍ୟ ଦର୍ଶକଙ୍କ ପାଇଁ ପ୍ରକାଶ ପାଇବ।
‘ପୁଷ୍କରା’ ଓ ‘ଶିକାର’ ପରି ସଫଳ ଫିଲ୍ମରେ ନିଜ ଦମଦାର ଅଭିନୟ ପାଇଁ ପରିଚିତ ସୁପ୍ରିୟା ନାୟକଙ୍କ ସହ ଏଥର ସ୍କ୍ରିନ୍ ସେୟାର କରିବେ ସୂର୍ଯ୍ୟମୟୀ ମହାପାତ୍ର। ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଏହି ଦୁଇ ଅଭିନେତ୍ରୀଙ୍କ ଯୁଗଳବନ୍ଦୀ ‘କଙ୍କଣ’କୁ ନେଇ ଆଶାକୁ ଦୁଇଗୁଣା କରିଦେଇଛି ।
ରହସ୍ୟମୟ କାହାଣୀ, ଭିନ୍ନ ଚରିତ୍ର ଓ ଦୁଇ ଚର୍ଚ୍ଚିତ ଅଭିନେତ୍ରୀଙ୍କ ଅଭିନୟ ଯୋଗୁଁ ‘କଙ୍କଣ’ ଆଗାମୀ ଦିନରେ ଓଲିଉଡର ଏକ ବଡ଼ ଆକର୍ଷଣ ପାଲଟିବ ବୋଲି ଚର୍ଚ୍ଚା ହେଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
