Explore

Search

July 7, 2026 10:49 pm

ଲୁହରେ ଶେଷ ହେଲା ରୋନାଲ୍ଡୋଙ୍କ ବିଶ୍ୱକପ୍ ଯାତ୍ରା, ସ୍ପେନ୍‌ର ବିଜୟରେ ପର୍ତ୍ତୁଗାଲ ବିଦାୟ

ଆର୍ଲିଙ୍ଗଟନ୍‌ରେ ଖେଳାଯାଇଥିବା ଫିଫା ବିଶ୍ୱକପ୍–୨୦୨୬ର ରୋମାଞ୍ଚକ ପ୍ରି-କ୍ୱାର୍ଟରଫାଇନାଲରେ ସ୍ପେନ୍ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଏହି ପରାଜୟ ସହ ଫୁଟବଲ୍ ମହାତାରକା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱକପ କ୍ୟାରିୟରର ସ୍ବପ୍ନ ମିଳେଇଯାଇଛି । ୪୧ ବର୍ଷୀୟ ରୋନାଲ୍ଡୋଙ୍କ ପାଇଁ ଏହା ଶେଷ ବିଶ୍ୱକପ୍ ଅଭିଯାନ ହୋଇ ରହିଗଲା।

ମ୍ୟାଚଟି ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଫୁଟବଲ୍ ଖେଳିଥିଲେ। ପର୍ତ୍ତୁଗାଲ ଅନେକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ କରିବାରେ ବିଫଳ ହୋଇଥିଲା। ଅତିରିକ୍ତ ସମୟରେ ସ୍ପେନ୍ ପକ୍ଷରୁ ମିକେଲ୍ ମେରିନୋ ବିଜୟସୂଚକ ଗୋଲ କରି ଦଳକୁ ଶେଷ ଆଠରେ ପହଞ୍ଚାଇଥିଲେ। ଆଉ ପରେ ସ୍ପେନ୍ ଖେଳାଳିମାନେ ବିଜୟ ଉତ୍ସବରେ ମଗ୍ନ ଥିବାବେଳେ ରୋନାଲ୍ଡୋ ନୀରବ ଭାବେ ପଡ଼ିଆରେ ଠିଆ ହୋଇ ଭାବପ୍ରବଣ ହୋଇପଡ଼ିଥିଲେ।

ପରେ ସେ ସମର୍ଥକମାନଙ୍କୁ ହାତ ହଲାଇ ବିଦାୟ ଜଣାଇଥିଲେ।

ମ୍ୟାଚ୍‌ରେ ରୋନାଲ୍ଡୋଙ୍କ ପାଖରେ ଗୋଲ କରିବାର ଏକାଧିକ ସୁଯୋଗ ଆସିଥିଲା। କିନ୍ତୁ ସ୍ପେନ୍‌ର ଗୋଲକିପର ଉନାଇ ସିମୋନ ତାଙ୍କୁ ନିରାଶ କରିଥିଲେ। ବିଶେଷକରି ଜୋଆଓ ଫେଲିକ୍ସଙ୍କ ହେଡର ପରେ ମିଳିଥିବା ସୁଯୋଗକୁ ମଧ୍ୟ ରୋନାଲ୍ଡୋ ଗୋଲରେ ପରିଣତ କରିପାରିନଥିଲେ।

ଫଳରେ ନିଜ ଶେଷ ବିଶ୍ୱକପ ମ୍ୟାଚ୍‌ରେ ସେ ଗୋଲ ବିହୀନ ରହିଗଲେ।

ମ୍ୟାଚ୍ ପୂର୍ବରୁ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରୋନାଲ୍ଡୋ କହିଥିଲେ ଯେ ସେ ଆହୁରି ଆଗକୁ ଖେଳିବାକୁ ଆଶାବାଦୀ ଏବଂ ଶେଷ ବିଶ୍ୱକପ୍‌ର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହୁଁଛନ୍ତି। କିନ୍ତୁ ସ୍ପେନ୍ ବିପକ୍ଷରେ ପରାଜୟ ସହ ତାଙ୍କ ବିଶ୍ୱକପ ସ୍ୱପ୍ନର ଅନ୍ତ ଘଟିଛି।

ରୋନାଲ୍ଡୋଙ୍କ ନାମରେ ଅନ୍ତର୍ଜାତୀୟ ଫୁଟବଲ୍‌ରେ ସର୍ବାଧିକ ୧୪୬ଟି ଗୋଲ କରିବାର ରେକର୍ଡ ରହିଛି। ବିଶ୍ୱକପ୍‌ରେ ସେ ମୋଟ ୧୧ଟି ଗୋଲ କରିଥିବାବେଳେ ୨୦୦୬ ବିଶ୍ୱକପ୍‌ରେ ପର୍ତ୍ତୁଗାଲକୁ ସେମିଫାଇନାଲକୁ ନେବା ତାଙ୍କ ସବୁଠୁ ସ୍ମରଣୀୟ ସଫଳତା ଭାବେ ଗଣାଯାଏ।

ଅନ୍ୟପକ୍ଷରେ ପର୍ତ୍ତୁଗାଲ ଲଗାତାର ଛଅଟି ବିଶ୍ୱକପ୍ ମ୍ୟାଚ୍ ପର୍ଯ୍ୟନ୍ତ ପ୍ରତିପକ୍ଷକୁ ଗୋଲ କରିବାରୁ ବଞ୍ଚାଇ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score