Explore

Search

July 7, 2026 10:56 pm

ବ୍ରହ୍ମପୁର-ସୁରଟକୁ ଗଡ଼ିବ ଅମୃତ ଭାରତ ଏକ୍ସପ୍ରେସ : ବିଶ୍ୱସ୍ତରୀୟ ରେଳ ଷ୍ଟେସନ ପାଇଁ ୩୦୦ କୋଟିର ଘୋଷଣା

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ରେଳ ଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଏଣିକି ବ୍ରହ୍ମପୁର-ଉଧ୍ନା (ସୁରଟ)କୁ ଅମୃତ ଭାରତ ଏକ୍ସପ୍ରେସ ପ୍ରତିଦିନ ଚଳାଚଳ କରିବ। ଦୀର୍ଘଦିନ ଧରି ଗୁଜରାଟର ସୁରଟରେ ବସବାସ କରୁଥିବା ଲକ୍ଷାଧିକ ଓଡ଼ିଆଙ୍କର ଶେଷରେ ଦାବି ପୂରଣ ହୋଇଥିବା ବେଳେ ଏହା ଯାତାୟାତକୁ ଆହୁରି ସହଜ କରିବ ବୋଲି ଆଶା କରାଯାଉଛି।

ବ୍ରହ୍ମପୁର ରେଳ ଷ୍ଟେସନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ସବୁଜ ପତାକା ଦେଖାଇ ଦୈନିକ ଟ୍ରେନ ସେବାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ରେଳମନ୍ତ୍ରୀ ବ୍ରହ୍ମପୁର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ମାନରେ ବିକଶିତ କରିବା ପାଇଁ ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ଘୋଷଣା କରିଥିଲେ।

ସଭାକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁରଟ ସହ ଓଡ଼ିଶାର ଭାବନାତ୍ମକ, ସାଂସ୍କୃତିକ ଓ ଆର୍ଥିକ ସମ୍ପର୍କ ବହୁତ ଗଭୀର। ସୁରଟର ଟେକ୍ସଟାଇଲ ଓ ହୀରା ଶିଳ୍ପରେ ଲକ୍ଷ ଲକ୍ଷ ଓଡ଼ିଆ ଶ୍ରମିକ ଓ ବ୍ୟବସାୟୀଙ୍କ ଅବଦାନ ରହିଛି। ଟ୍ରେନଟି ପୂର୍ବରୁ ସୀମିତ ଦିନ ଚାଲୁଥିବାରୁ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବର୍ତ୍ତମାନ ଏହା ଦୈନିକ ହୋଇଥିବାରୁ ରାଜ୍ୟର ହଜାର ହଜାର ଯାତ୍ରୀ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ଯାତ୍ରା ସମ୍ପର୍କରେ କହିଛନ୍ତି ଯେ, ଗତ ଦୁଇ ବର୍ଷ ମଧ୍ୟରେ ବିପୁଳ ପୁଞ୍ଜିନିବେଶ ସହ ଅନେକ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଯାହା ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ସେହିପରି ଗୋପାଳପୁର ବନ୍ଦରର ସମ୍ପ୍ରସାରଣ ସହ ବାହୁଦା ଅଞ୍ଚଳରେ ଏକ ନୂତନ ବୃହତ୍ ବନ୍ଦର ସ୍ଥାପନ ପାଇଁ ଯୋଜନା ରହିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଏହାସହ ବ୍ରହ୍ମପୁରକୁ ‘ଗ୍ରେଟର ବ୍ରହ୍ମପୁର ସିଟି’ ଭାବେ ବିକଶିତ କରିବା, ସହରର ଭିତ୍ତିଭୂମିକୁ ଆଧୁନିକ କରିବା ଏବଂ ବ୍ରହ୍ମପୁର-ଜୟପୁର ମଧ୍ୟରେ ୬-ଲେନ୍ ବିଶିଷ୍ଟ ସଡ଼କ ନିର୍ମାଣ କରାଯିବ ବୋଲି ମଧ୍ୟ ଘୋଷଣା କରାଯାଇଛି। ଏହି ସମସ୍ତ ପଦକ୍ଷେପ ଦକ୍ଷିଣ ଓଡ଼ିଶାର ଯୋଗାଯୋଗ ବ୍ୟବସ୍ଥା ଓ ଆର୍ଥିକ ବିକାଶକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମତବ୍ୟକ୍ତ ଦେଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score