Explore

Search

July 4, 2026 2:09 am

ସାମର୍ଥ୍ୟ–୨୦୨୬ : ଦିବ୍ୟାଙ୍ଗଙ୍କ ସଫଳତାର କାହାଣୀ ନେଇ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ

ଭୁବନେଶ୍ୱର : ଭିନ୍ନକ୍ଷମତା କୌଣସି ବାଧା ନୁହେଁ, ବରଂ ସାମର୍ଥ୍ୟ ଓ ସଫଳତାର ନୂଆ ପରିଭାଷା ଏହି ସନ୍ଦେସକୁ ସାରା ଦେଶରେ ପହଞ୍ଚାଇବା ଲକ୍ଷ୍ୟରେ ଜୁଲାଇ ୮ରୁ ଆରମ୍ଭ ହେବ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ‘ସାମର୍ଥ୍ୟ–୨୦୨୬’। ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସହଯୋଗରେ ଆୟୋଜିତ ହେଉଥିବା ଏହି ମହୋତ୍ସବରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଜୀବନ ସଂଘର୍ଷ, ଅଦମ୍ୟ ଆତ୍ମବିଶ୍ୱାସ ଏବଂ ପ୍ରେରଣାଦାୟୀ ସଫଳତାର କାହାଣୀକୁ ପରଦାରେ ସ୍ଥାନ ମିଳିବ।

ଏହି ଜାତୀୟ ସ୍ତରର ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଶା ସହ ଦେଶର ବିଭିନ୍ନ ରାଜ୍ୟରୁ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଜୀବନ ଅନୁଭବ, ସଫଳତା ଓ ସମାଜ ପାଇଁ ସେମାନଙ୍କ ଅବଦାନକୁ ଆଧାର କରି ନିର୍ମିତ ୨ରୁ ୫ ମିନିଟ୍ ଅବଧିର ଫିଲ୍ମଗୁଡ଼ିକୁ ପ୍ରତିଯୋଗିତାରେ ସାମିଲ କରାଯିବ। ଆୟୋଜକମାନଙ୍କ ଅନୁସାରେ, ଚଳଚ୍ଚିତ୍ର ଦାଖଲ ପାଇଁ ଜୁଲାଇ ୮ ତାରିଖ ଶେଷ ସମୟ ରହିଥିବାବେଳେ ୮ରୁ ୧୦ ଜୁଲାଇ ପର୍ଯ୍ୟନ୍ତ ସ୍କ୍ରିନିଂ ପ୍ରକ୍ରିୟା ଚାଲିବ।

ଏବର୍ଷର ମହୋତ୍ସବକୁ ନେଇ ଦେଶବ୍ୟାପୀ ଉତ୍ସାହ ଦେଖିବାକୁ ମିଳୁଛି। ଆୟୋଜକମାନେ ସାରା ଭାରତରୁ ପ୍ରାୟ ୩୦୦ଟି ଚଳଚ୍ଚିତ୍ର ଅଂଶଗ୍ରହଣ କରିବ ବୋଲି ଆଶା ପ୍ରକାଶ କରିଛନ୍ତି। ଚଳଚ୍ଚିତ୍ର ଜଗତର ଅଭିଜ୍ଞ ନିର୍ଦ୍ଦେଶକ, ଅଭିନେତା ଓ ସମୀକ୍ଷକଙ୍କୁ ନେଇ ଗଠିତ ୬ ସଦସ୍ୟ ବିଶିଷ୍ଟ ଜୁରି ପ୍ୟାନେଲ୍ ଶ୍ରେଷ୍ଠ ଚଳଚ୍ଚିତ୍ର ଚୟନ କରିବେ।

ମହୋତ୍ସବରେ ଆଞ୍ଚଳିକ ଓ ଜାତୀୟସ୍ତରର ବିଭିନ୍ନ ବର୍ଗରେ ପୁରସ୍କାର ପ୍ରଦାନ କରାଯିବ। ୧୨ରୁ ଅଧିକ ବିଭାଗରେ ସମ୍ମାନ ପ୍ରଦାନ ସହ ଶ୍ରେଷ୍ଠ ଚଳଚ୍ଚିତ୍ରକୁ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ। ଏହା ମହୋତ୍ସବର ଦ୍ୱିତୀୟ ସଂସ୍କରଣ ହୋଇଥିବାବେଳେ ଗତବର୍ଷ ୧୫୧ଟି ଫିଲ୍ମ ଅଂଶଗ୍ରହଣ କରିଥିଲା ଏବଂ ୫୦ଟି ଚଳଚ୍ଚିତ୍ରର ସ୍କ୍ରିନିଂ ହୋଇଥିଲା।

ଆସନ୍ତା ୧୧ ଜୁଲାଇରେ ରମାଦେବୀ ବିଶ୍ୱବିଦ୍ୟାଳୟରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହେବ। ଏବର୍ଷ ପ୍ରାୟ ୭୦ଟି ଚୟନିତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବାର ସମ୍ଭାବନା ରହିଛି। ପ୍ରତ୍ୟେକ ଫିଲ୍ମ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସଂଘର୍ଷ, ସଫଳତା ଓ ଆତ୍ମବିଶ୍ୱାସର ଏକ ପ୍ରେରଣାଦାୟୀ କାହାଣୀ ଉପସ୍ଥାପନ କରିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score