Explore

Search

July 2, 2026 10:47 pm

ଭାରତୀୟ ହକିର ନୂଆ ଶକ୍ତି : ଜୁନିଅର ଦଳରେ ଓଡ଼ିଶାର ୯ ଖେଳାଳି

ଭୁବନେଶ୍ୱର : ଭାରତୀୟ ହକିରେ ଓଡ଼ିଶା ପୁଣିଥରେ ନିଜର ଦକ୍ଷତା ଓ ପ୍ରତିଭାର ପରିଚୟ ଦେଇଛି। ହକି ଇଣ୍ଡିଆ ପକ୍ଷରୁ ବେଲଜିୟମ ଗସ୍ତ ପାଇଁ ଘୋଷିତ ୨୨ ଜଣିଆ ଭାରତୀୟ ଜୁନିଅର ପୁରୁଷ ହକି ଦଳରେ ଓଡ଼ିଶାର ୯ ଜଣ ଯୁବ ଖେଳାଳି ସ୍ଥାନ ପାଇଛନ୍ତି। ବିଶେଷ କଥା ହେଉଛି, ଏହି ସମସ୍ତ ଖେଳାଳି ସୁନ୍ଦରଗଡ଼ ଜିଲ୍ଲାର, ଯାହା ପୁଣିଥରେ ପ୍ରମାଣ କରିଛି ଯେ ଏହି ଅଞ୍ଚଳ ଭାରତୀୟ ହକିର ପ୍ରତିଭା ଭଣ୍ଡାର।

ଓଡ଼ିଶା ହକି ଇତିହାସରେ ଏହା ଏକ ସ୍ମରଣୀୟ ସଫଳତା। ପ୍ରଥମ ଥର ପାଇଁ ରାଜ୍ୟର ଏତେ ସଂଖ୍ୟକ ଖେଳାଳି ଏକାସାଙ୍ଗରେ ଭାରତୀୟ ଜୁନିଅର ଦଳରେ ସୁଯୋଗ ପାଇଛନ୍ତି। ଏହା କେବଳ ସୁନ୍ଦରଗଡ଼ ନୁହେଁ, ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ।

ଏହି ଦଳର ନେତୃତ୍ୱ ଭାର ମଧ୍ୟ ଓଡ଼ିଶାର ଯୁବ ଖେଳାଳି ଅନମୋଲ ଏକ୍କାଙ୍କ ଉପରେ ନ୍ୟସ୍ତ କରାଯାଇଛି। ତାଙ୍କୁ ଦଳର ଅଧିନାୟକ ଭାବେ ଚୟନ କରାଯାଇଥିବା ବେଳେ ଏହା ରାଜ୍ୟର ହକି ପରମ୍ପରା ପାଇଁ ଆଉ ଏକ ବଡ଼ ସଫଳତା ବୋଲି ମନେ କରାଯାଉଛି।

ଦଳରେ ସ୍ଥାନ ପାଇଥିବା ଅନ୍ୟ ଓଡ଼ିଆ ଖେଳାଳିମାନଙ୍କ ମଧ୍ୟରେ ଗୋଲକିପର ବିବେକ ଲାକ୍ରା, ଡିଫେଣ୍ଡର ରୋହିତ କୁଲୁ, ପ୍ରଶାନ୍ତ ବାର୍ଲା ଓ ସଞ୍ଜିତ ତିର୍କୀ, ମିଡଫିଲ୍ଡର ଆଦ୍ରୋହିତ ଏକ୍କା, ମୁକେଶ ଟପ୍ପୋ ଏବଂ ହ୍ରିତିକ୍ ଲାକ୍ରା, ଫରୱାର୍ଡ ଆର୍ଯ୍ୟାନ ଖେସ୍ ରହିଛନ୍ତି। ଏହି ସମସ୍ତ ଖେଳାଳି ଦୀର୍ଘଦିନ ଧରି ନିଜ ପ୍ରଦର୍ଶନ ମାଧ୍ୟମରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ। ଜୁନିଅର ଏସିଆ କପ୍ ପାଇଁ ଦଳକୁ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଏହି ୟୁରୋପ ଗସ୍ତ ଆୟୋଜନ କରାଯାଇଛି। ଜୁଲାଇ ୪ ତାରିଖରେ ଦଳ ବେଲଜିୟମ ଯାତ୍ରା କରିବାକୁ ଥିବାବେଳେ ଜୁଲାଇ ୫ରୁ ୧୮ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ୟୁରୋପୀୟ ଦେଶ ବିପକ୍ଷରେ ମ୍ୟାଚ୍ ଖେଳିବ।

କାର୍ଯ୍ୟସୂଚୀ ଅନୁଯାୟୀ, ଭାରତୀୟ ଦଳ ଜୁଲାଇ ୭ ଓ ୮ ତାରିଖରେ ଅଷ୍ଟ୍ରିଆ ବିପକ୍ଷରେ ମ୍ୟାଚ୍ ଖେଳିବ। ପରେ ଜୁଲାଇ ୧୦ ଓ ୧୪ ତାରିଖରେ ଆୟୋଜକ ବେଲଜିୟମକୁ ଭେଟିବ। ଏହା ସହିତ ଜୁଲାଇ ୧୩ରେ ଜର୍ମାନୀ ଏବଂ ଜୁଲାଇ ୧୭ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଦଳ ନିଜର ଶେଷ ମ୍ୟାଚ୍ ଖେଳିବ।

ଓଡ଼ିଶାରେ ହକିର ବିକାଶ ପାଇଁ ନିରନ୍ତର ଭାବେ ଗ୍ରହଣ କରାଯାଉଥିବା ପଦକ୍ଷେପର ଫଳ ଏବେ ଜାତୀୟ ସ୍ତରରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଆଧୁନିକ ଷ୍ଟାଡିୟମ୍, ଉନ୍ନତ ପ୍ରଶିକ୍ଷଣ ବ୍ୟବସ୍ଥା ଓ ଗ୍ରାମୀଣ ସ୍ତରରୁ ପ୍ରତିଭା ଚିହ୍ନଟ କାର୍ଯ୍ୟକ୍ରମ ଯୁବ ଖେଳାଳିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score