Explore

Search

July 2, 2026 2:34 am

ଏଣିକି ବର୍ଷା ହେଲେ ଜମିବନି ପାଣି : ଲାଗିଲା ଡ୍ରେନରେ ସେନ୍ସର

ଭୁବନେଶ୍ୱର : ବର୍ଷା ଆସିଲେ ସହରର ପ୍ରାୟ ସବୁ ଡ୍ରେନରେ ପାଣି ଭର୍ତ୍ତି ହୋଇଯାଏ । ଏହାସହ ଡ୍ରେନ ଗୁଡ଼ିକରେ ପଙ୍କ ଜମି ରହିଲେ ପାଣି ଉଛୁଳି ରାସ୍ତାକୁ ଆସିଯାଏ, ଆଉ ଏହା ସହରବାସୀଙ୍କ ପାଇଁ ପ୍ରତିବର୍ଷର ମୁଣ୍ଡବିନ୍ଧା। ଏଥିପାଇଁ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏକ ନୂଆ ଉପାୟ ବାହାର କରିଛି । ସହରର ବଡ଼ ଡ୍ରେନ ଗୁଡ଼ିକରେ ସେନସର ଲଗାଯିବ, ଯାହା ଦ୍ୱାରା ପଙ୍କ ଠିକ୍‌ ଭାବେ ସଫା ହୋଇଛି କି ନାହିଁ, ତାହା ସହଜରେ ଜଣାପଡ଼ିବ।

ଏଭଳି ନିଷ୍ପତ୍ତି ନେଇଛି ବିଏମସି । ସେହିପରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବିଏମସି ଅଞ୍ଚଳରେ ଏକ ଆମିଷ ବର୍ଜ୍ୟ ପ୍ରକ୍ରିୟାକରଣ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ। ଏହା ପ୍ରତିଷ୍ଠା ହେଲେ କେବଳ ବିଏମସି ନୁହେଁ, ଅନ୍ୟ ସ୍ୱାୟତ୍ତ ଶାସନ ସଂସ୍ଥାମାନେ ମଧ୍ୟ ଉପକୃତ ହେବେ ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ସହରର ବିଭିନ୍ନ ସ୍ଥାନରେ କୁକୁର ଆଶ୍ରୟସ୍ଥଳ (ଡଗ୍‌ ସେଲଟର) ମଧ୍ୟ ଖୋଲାଯିବ ବୋଲି ବୈଠକରେ ଜଣାଇ ଦିଆଯାଇଛି। ଏଥିସହ କର୍ପୋରେଟରମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ଓ ଗ୍ରୁପ୍‌ ଇନସ୍ୟୁରାନ୍ସ ସୁବିଧା କରାଇବା ଲାଗି ରାଜ୍ୟ ସରକାରଙ୍କ ପାଖରେ ଦାବି ରଖାଯିବ ବୋଲି ମଧ୍ୟ ସ୍ଥିର ହୋଇଛି। ଆଉ ବିଏମସି ଅଧୀନରେ ଥିବା ପ୍ରତ୍ୟେକ ମେଡିକାଲକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ଦିଆଯିବାର ନିଷ୍ପତ୍ତି ମଧ୍ୟ ଆଜିର ବୈଠକରୁ ବାହାରିଛି ।

ବର୍ଷା ଋତୁ ଆସିଯାଇଥିବାରୁ ସହରର ବିଭିନ୍ନ ୱାର୍ଡରେ ପଡ଼ିଥିବା ବିପଜ୍ଜନକ ଗଛ ଡାଳ ଗୁଡ଼ିକୁ ଶୀଘ୍ର କାଟିବା ପାଇଁ ଅଧିକ ଗାଡ଼ି ଓ ଲୋକବଳ ଯୋଗାଇବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ରଥଯାତ୍ରାକୁ ଦୃଷ୍ଟିରେ ରଖି, ଯେଉଁ ଅଞ୍ଚଳରେ ରଥଯାତ୍ରା ହେବ, ସେଠାରେ ଝୁଲୁଥିବା ବିଦ୍ୟୁତ୍‌ ତାର ସଜାଡ଼ିବା ପାଇଁ ଟିପିସିଡିଓଏଲକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଯେଉଁ ରାସ୍ତାରେ ରଥ ଗଡିବ ସେହି ରାସ୍ତା ଗୁଡ଼ିକୁ ପୂର୍ତ୍ତ ବିଭାଗ ଏବଂ ବିଏମସି ଉଭୟ ମିଶି ତୁରନ୍ତ ମରାମତି କରିବେ ବୋଲି ଆଦେଶ ଦିଆଯାଇଛି।

ବିଭିନ୍ନ ବିଭାଗ ରାସ୍ତା ଖୋଳି ଦେଇ ମରାମତି କାର୍ଯ୍ୟ ସମୟରେ ବିଳମ୍ବ କରୁଥିବା ବିଷୟରେ ମେୟର ବୈଠକରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score