କନ୍ଧମାଳ : ହାତୀ ଉପଦ୍ରବ ରୋକିବାକୁ କନ୍ଧମାଳରେ ବନ ବିଭାଗ ପକ୍ଷରୁ ଆରମ୍ଭ ହେଲା ନୂଆ ପଦକ୍ଷେପ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବଢ଼ୁଥିବା ହାତୀ ଉପଦ୍ରବ ଓ ମଣିଷ-ହାତୀ ସଂଘର୍ଷକୁ କମାଇବା ପାଇଁ ବନ ବିଭାଗ ପକ୍ଷରୁ ଅଭିନବ ବ୍ୟବସ୍ଥା ଆରମ୍ଭ କରାଯାଇଛି। ହାତୀ ଚଳାଚଳ ଅଧିକ ଥିବା ଅଞ୍ଚଳ ଗୁଡ଼ିକରେ ସୌରଶକ୍ତି ଚାଳିତ ସାଇରନ୍ ସ୍ଥାପନ କରାଯାଇଛି, ଯାହା ମାଧ୍ୟମରେ ଗ୍ରାମବାସୀଙ୍କୁ ପୂର୍ବରୁ ସତର୍କ କରାଯିବ।
ଏହି ସାଇରନ୍ ବ୍ୟବସ୍ଥାର ବିଶେଷତା ହେଉଛି, ଏହା ସମ୍ପୂର୍ଣ୍ଣ ସୌରଶକ୍ତିରେ ଚାଲିଥାଏ ଏବଂ ଏଥିରେ କିଛି ନିର୍ଦ୍ଧାରିତ ମୋବାଇଲ୍ ନମ୍ବର ସଂଯୋଜନ କରାଯାଇଛି । ଯେତେବେଳେ ହାତୀ ଗାଁ ନିକଟକୁ ଆସୁଥିବା ସୂଚନା ମିଳିବ, ସମ୍ପୃକ୍ତ ବ୍ୟକ୍ତି କିମ୍ବା ବନ କର୍ମଚାରୀ ସାଇରନ୍ ଯନ୍ତ୍ରକୁ ଫୋନ କରିବେ। ଫୋନ୍ ପହଞ୍ଚିବା ମାତ୍ରେ ସାଇରନ ଜୋରରେ ବାଜିବ ଓ ଆଖପାଖ ଲୋକେ ସତର୍କ ହୋଇଯିବେ।
ବନ ବିଭାଗ ସୂଚନା ଅନୁସାରେ, ଜିଲ୍ଲାର ହାତୀ ପ୍ରବଣ ଅଞ୍ଚଳଗୁଡ଼ିକରେ ପ୍ରାୟ ୬ଟି ସୌରଚାଳିତ ସାଇରନ୍ ସ୍ଥାପନ କରାଯାଇଛି। ଲିଙ୍ଗା, ମାଲାନସୁଗା, ପୁକୁଲିଙ୍ଗିଆ, ଗାମୁଲି, ରେଟୁଡି ଓ ପିଡ଼ିକାମାହା ଅଞ୍ଚଳରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଏହି ସବୁ ସ୍ଥାନ ହାତୀଙ୍କ ନିୟମିତ ଚଳାଚଳ ପଥ ଏବଂ ଉପଦ୍ରବ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଥିବାରୁ ସେଠାରେ ପ୍ରଥମ ପର୍ଯ୍ୟାୟରେ ସାଇରନ୍ ଲଗାଯାଇଛି।
ଏହି ନୂଆ ବ୍ୟବସ୍ଥା ଫଳରେ ହାତୀ ଆସିବା ପୂର୍ବରୁ ଲୋକେ ସଚେତନ ହୋଇପାରିବେ। ଏହାଦ୍ୱାରା ହାତୀ ଆକ୍ରମଣ ଜନିତ ଜୀବନହାନି, ଫସଲ ଓ ସମ୍ପତ୍ତି କ୍ଷତି କମିବା ସହିତ ମଣିଷ ଓ ବନ୍ୟଜନ୍ତୁଙ୍କ ମଧ୍ୟରେ ସଂଘର୍ଷ ହ୍ରାସ ପାଇବ ବୋଲି ବନ ବିଭାଗ ଆଶା ପ୍ରକାଶ କରିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
