Explore

Search

June 23, 2026 11:31 pm

ରଥଯାତ୍ରା ପାଇଁ ପୁରୀରେ ହୋଟେଲ ଭଡ଼ା ବୃଦ୍ଧି, ଚିନ୍ତାରେ ଭକ୍ତ

ପୁରୀ : ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ଆଉ କେବଳ କିଛି ସପ୍ତାହ ବାକି ଥିବାବେଳେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ ପହଞ୍ଚିଛି । ମହାପ୍ରଭୁଙ୍କ ଦିବ୍ୟ ଲୀଳା ଓ ରଥାରୋହଣ ଦର୍ଶନ ପାଇଁ ଦେଶ-ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀ ମୁହାଁ ହେଉଛନ୍ତି। ତେବେ ଏହି ଆଧ୍ୟାତ୍ମିକ ମହୋତ୍ସବ ମଧ୍ୟରେ ହୋଟେଲ ଓ ଲଜର ଅତ୍ୟଧିକ ରୁମ୍ ଭଡ଼ା ଭକ୍ତ ଏବଂ ପର୍ଯ୍ୟଟକଙ୍କ ଚିନ୍ତା ବଢ଼ାଇଛି ।

ପୁରୀର ପ୍ରମୁଖ ହୋଟେଲ ଗୁଡ଼ିକରେ ମାସ ମାସ ଆଗରୁ ବୁକିଂ ସରିଯାଇଥିବା ବେଳେ ବଡଦାଣ୍ଡ ଓ ଶ୍ରୀମନ୍ଦିର ଆଖପାଖରେ ଥିବା ଅନେକ ଲଜ୍ ଓ ହୋଟେଲ ରଥଯାତ୍ରା ଅବସରରେ ରୁମ୍ ଭଡ଼ାକୁ ବହୁଗୁଣ ବୃଦ୍ଧି କରିଥିବା ଅଭିଯୋଗ ହୋଇଛି । ସାଧାରଣ ଦିନରେ ୧୫୦୦ରୁ ୨୦୦୦ ଟଙ୍କାରେ ରୁମ ମିଳୁଥିବା ବେଳେ ଏବେ ୨୫ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦାବି କରାଯାଉଛି।

ବିଶେଷ କରି ବଡଦାଣ୍ଡକୁ ମୁହାଁ କରିଥିବା ବାଲକୋନୀ ରୁମ୍‌ ଗୁଡ଼ିକ ପାଇଁ ଚାହିଦା ଅଧିକ ରହିଛି । ରଥ, ପହଣ୍ଡି ଓ ମହାପ୍ରଭୁଙ୍କ ଦର୍ଶନ ସୁବିଧା ଥିବାରୁ କେତେକ ହୋଟେଲ ମାଲିକ ମନଇଚ୍ଛା ଦର ଧାର୍ଯ୍ୟ କରୁଥିବା ଅଭିଯୋଗ ଉଠିଛି। ଫଳରେ ସାଧାରଣ ଭକ୍ତଙ୍କ ପାଇଁ ପୁରୀରେ ରହିବା କଷ୍ଟସାଧ୍ୟ ହୋଇପଡ଼ିଛି।

ଗୁଜରାଟରୁ ଆସିଥିବା ଜଣେ ପର୍ଯ୍ୟଟକ କହିଛନ୍ତି ଯେ, ରଥଯାତ୍ରା ଦର୍ଶନ କରିବା ପ୍ରତ୍ୟେକ ଭକ୍ତଙ୍କ ସ୍ୱପ୍ନ ହୋଇଥିଲେ ମଧ୍ୟ ହୋଟେଲ ଭଡ଼ାର ଅସ୍ୱାଭାବିକ ବୃଦ୍ଧି ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଛି। ପ୍ରଶାସନ ଏ ଦିଗରେ କଡ଼ା ନଜର ରଖିବା ସହ ଅତ୍ୟଧିକ ଭଡ଼ା ଆଦାୟ କରୁଥିବା ହୋଟେଲ ମାଲିକଙ୍କ ବିରୋଧରେ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

ପର୍ଯ୍ୟଟନ କ୍ଷେତ୍ରର ସୂଚନା ଅନୁଯାୟୀ, ରଥଯାତ୍ରା ପାଇଁ ପୁରୀର ପ୍ରାୟ ୯୫ ପ୍ରତିଶତ ହୋଟେଲ ରୁମ୍ ଆଗୁଆ ବୁକ୍ ହୋଇସାରିଛି। ଅନେକ ପର୍ଯ୍ୟଟକ ୪ରୁ ୫ ମାସ ପୂର୍ବରୁ ଅନଲାଇନ୍‌ରେ ବୁକିଂ କରିଥିବାରୁ ଶେଷ ମୁହୂର୍ତ୍ତରେ ଆସୁଥିବା ଭକ୍ତମାନେ ଅଧିକ ଦର ଦେବାକୁ ବାଧ୍ୟ ହେଉଛନ୍ତି।

ଏପଟେ ପର୍ଯ୍ୟଟକ ସଂଖ୍ୟା ଦ୍ରୁତ ହାରରେ ବଢ଼ୁଥିବା ବେଳେ ସେହି ଅନୁପାତରେ ହୋଟେଲ ସଂଖ୍ୟା ବୃଦ୍ଧି ନ ହେବା ମଧ୍ୟ ଆବାସନ ସଙ୍କଟର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। ଫଳରେ ରଥଯାତ୍ରା ସମୟରେ ରୁମ୍‌ର ଚାହିଦା ବଢ଼ିବା ସହ ଦର ମଧ୍ୟ ଅସ୍ୱାଭାବିକ ଭାବେ ବଢ଼ିଯାଉଛି।

ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭକ୍ତ କିମ୍ବା ପର୍ଯ୍ୟଟକଙ୍କୁ ଠକେଇ କରାଯିବ ନାହିଁ। ହୋଟେଲ ଓ ଲଜ୍ ମାଲିକଙ୍କ ସହ ଆଲୋଚନା କରାଯାଇଥିବା ବେଳେ ଅତ୍ୟଧିକ ଭଡ଼ା ଆଦାୟ ଓ ଅନ୍ୟ କୌଣସି ଅନିୟମିତତା ସମ୍ପର୍କରେ ଅଭିଯୋଗ ମିଳିଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ସେହିପରି ରଥଯାତ୍ରା ନାମରେ ଅନଲାଇନ୍‌ରେ ହେଉଥିବା ସାଇବର ଠକେଇ ପ୍ରତି ମଧ୍ୟ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ପରାମର୍ଶ ଦିଆଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score