Explore

Search

June 11, 2026 10:50 pm

ଆସୁଛନ୍ତି ରାଷ୍ଟ୍ରପତି : ବିକାଶର ନୂଆ ଅଧ୍ୟାୟ ଲେଖୁଛି ମୟୁରଭଞ୍ଜ

ଭୁବନେଶ୍ୱର : ମୟୁରଭଞ୍ଜର ପାହାଡ଼ପୁର ଆଜି କେବଳ ଏକ ଗାଁ ନୁହେଁ, ବରଂ ପରିବର୍ତ୍ତନ, ପ୍ରଗତି ଓ ଆତ୍ମନିର୍ଭରତାର ଏକ ଜୀବନ୍ତ ଉଦାହରଣ। ଯେଉଁ ମାଟିରେ ଦିନେ ଆଦିବାସୀ ପରିବାରମାନେ ଜୀବିକା ପାଇଁ କଠିନ ସଂଘର୍ଷ କରୁଥିଲେ, ସେହି ମାଟି ଆଜି ଶିକ୍ଷା, ଦକ୍ଷତା ବିକାଶ ଓ ଆଧୁନିକ ଭିତ୍ତିଭୂମିର ଆଲୋକରେ ଝଲସି ଉଠିଛି। ଏହି ପରିବର୍ତ୍ତନ ପଛରେ ରହିଛି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୂରଦୃଷ୍ଟି ଓ ନିଜ ଅଞ୍ଚଳ ପ୍ରତି ଅପାର ଭଲପାଇବା।

ପାହାଡ଼ପୁର ହେଉଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶାଶୁଘର। ଦୀର୍ଘ ଦିନ ଧରି ତାଙ୍କର ଇଚ୍ଛା ଥିଲା ଯେ, ଏହି ଅଞ୍ଚଳର ଆଦିବାସୀ ଯୁବପିଢ଼ି ଶିକ୍ଷା ଓ ଦକ୍ଷତା ମାଧ୍ୟମରେ ସ୍ୱାବଲମ୍ବୀ ହୁଅନ୍ତୁ। ସେହି ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ୨୦୨୩ ମସିହାରେ ପାହାଡ଼ପୁରରେ ଆରମ୍ଭ ହୋଇଥିଲା ଏକ ଆଧୁନିକ ଦକ୍ଷତା ବିକାଶ କେନ୍ଦ୍ର। ଏଠାରେ ଗରିବ ଓ ଆଦିବାସୀ ପରିବାରର ପିଲାମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରହିବା, ଖାଇବା ଓ ପ୍ରଶିକ୍ଷଣର ସୁବିଧା ଦିଆଯାଉଛି। କେବଳ ତାଲିମ ନୁହେଁ, ଚାକିରି ସୁଯୋଗ ସହ ମାନସିକ ଓ ବ୍ୟକ୍ତିତ୍ୱ ବିକାଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏପର୍ଯ୍ୟନ୍ତ ୧,୧୮୧ରୁ ଅଧିକ ଯୁବକ-ଯୁବତୀ ଏହି କେନ୍ଦ୍ର ମାଧ୍ୟମରେ ନିଯୁକ୍ତି ପାଇ ସ୍ୱାବଲମ୍ବୀ ହୋଇପାରିଛନ୍ତି।

ରାଷ୍ଟ୍ରପତିଙ୍କ ସ୍ୱାମୀ ଓ ଦୁଇ ପୁଅଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏସ୍‌ଏଲ୍‌ଏସ୍‌ ସ୍ମୃତି ଆବାସିକ ବିଦ୍ୟାଳୟ ମଧ୍ୟ ଆଜି ଏକ ନୂଆ ପରିଚୟ ସୃଷ୍ଟି କରିଛି। ପୁରୁଣା ଶିକ୍ଷା ବ୍ୟବସ୍ଥାକୁ ପଛରେ ପକାଇ ସ୍କୁଲରେ ସ୍ମାର୍ଟ ବୋର୍ଡ, ଆଧୁନିକ ଶ୍ରେଣୀଗୃହ ଓ ଉନ୍ନତ ଶୈକ୍ଷିକ ପରିବେଶ ଗଢ଼ିଉଠିଛି। ସହରୀୟ ବେସରକାରୀ ବିଦ୍ୟାଳୟ ଭଳି ସୁବିଧା ପାଉଥିବା ଏହି ସ୍କୁଲରେ ଆଦିବାସୀ ଓ ଗରିବ ପରିବାରର ପିଲାମାନେ ନିଜ ଭବିଷ୍ୟତ ଗଢ଼ିବାର ସୁଯୋଗ ପାଉଛନ୍ତି।

ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ପାହାଡ଼ପୁର ନୂଆ ପଦକ୍ଷେପ ନେଇଛି। ଏଠାରେ ପ୍ରଥମ ଥର ପାଇଁ ଶ୍ୟାମ ଚରଣ ମୁର୍ମୁ ଚକ୍ଷୁ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି। ଏହି କେନ୍ଦ୍ରରେ ଲୋକମାନେ ମାଗଣାରେ ଚକ୍ଷୁ ପରୀକ୍ଷା, ପରାମର୍ଶ ଓ ଚଷମା ପାଉଛନ୍ତି, ଯାହା ଗ୍ରାମାଞ୍ଚଳର ଲୋକଙ୍କ ପାଇଁ ବଡ଼ ସହାୟତା ସାବ୍ୟସ୍ତ ହୋଇଛି।

ଅନ୍ୟପଟେ ରାଇରଙ୍ଗପୁର ଅଞ୍ଚଳରେ ମଧ୍ୟ ବିକାଶର ଗତି ବେଶ୍ ତ୍ୱରାନ୍ୱିତ ହୋଇଛି। ଓୟୁଏଟି କେନ୍ଦ୍ରର ସ୍ଥାପନା, ଅତ୍ୟାଧୁନିକ ଷ୍ଟାଡିୟମ, ନବୀକରଣ ହୋଇଥିବା ସର୍କିଟ ହାଉସ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ଏହି ଅଞ୍ଚଳକୁ ଏକ ନୂଆ ପରିଚୟ ଦେଇଛି। ବ୍ରିଟିଶ ଅମଳର ଦାଣ୍ଡବୋଷ ବିମାନବନ୍ଦରକୁ ଉଡାନ ଯୋଜନାରେ ସାମିଲ କରିବା ପାଇଁ ସରକାର ପଦକ୍ଷେପ ନେଉଥିବାବେଳେ ଯୋଗାଯୋଗ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ସୁଧାର ଦେଖାଦେଇଛି।

ବାଦାମପାହାଡ଼ ରେଳ ଷ୍ଟେସନରୁ କୋଲକାତା, ଜାମସେଦପୁର, କେନ୍ଦୁଝର ଓ ରାଉରକେଲାକୁ ଟ୍ରେନ ସେବା ଆରମ୍ଭ ହୋଇଥିବାବେଳେ ଆଗାମୀ ଦିନରେ ପୁରୀ ସହ ସିଧାସଳଖ ରେଳ ସଂଯୋଗର ଯୋଜନା ମଧ୍ୟ ଚାଲିଛି। ଏହା ଫଳରେ ଅଞ୍ଚଳର ବ୍ୟବସାୟ, ପର୍ଯ୍ୟଟନ ଓ ଆର୍ଥିକ କାର୍ଯ୍ୟକଳାପକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି।

ଆସନ୍ତା ୨୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣିଥରେ ନିଜ ଜନ୍ମମାଟି ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ କାର୍ଯ୍ୟକ୍ରମ ମଧ୍ୟ ରହିଛି। ତେଣୁ ଏବେ ସମଗ୍ର ଜିଲ୍ଲା ବିକାଶର ନୂଆ ଅଧ୍ୟାୟକୁ ସାକ୍ଷୀ ରଖିବା ସହ ଦେଶର ଦୁଇ ଶୀର୍ଷ ନେତୃତ୍ୱଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ। ରାଷ୍ଟ୍ରପତିଙ୍କ ସ୍ୱପ୍ନ ଓ ପ୍ରୟାସ କିପରି ଏକ ଅଞ୍ଚଳର ଭାଗ୍ୟ ପରିବର୍ତ୍ତନ କରିପାରେ, ପାହାଡ଼ପୁର ଆଜି ତାହାର ଏକ ସଫଳ ଉଦାହରଣ ହୋଇ ଉଭା ହୋଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score