Explore

Search

June 4, 2026 1:32 am

ପୁରୀରେ ବ୍ରିକ୍ସ ସମ୍ମିଳନୀକୁ ବାଲୁକା କଳାର ଅଭିନବ ସ୍ୱାଗତ, ବିଶ୍ୱ ମଞ୍ଚରେ ଓଡ଼ିଶାର ଗୌରବ

ପୁରୀ : ବିଶ୍ୱର ପ୍ରମୁଖ ଉଦୀୟମାନ ଅର୍ଥନୀତିଗୁଡ଼ିକର ମଞ୍ଚ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବିପର୍ଯ୍ୟୟ ପ୍ରସମନ କାର୍ଯ୍ୟକାରୀ ଗୋଷ୍ଠୀ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ ହୋଇଛି। ଏହି ଅବସରରେ ଅନ୍ତର୍ଜାତୀୟ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ପାଇଁ ସମୁଦ୍ରତଟ ନଗରୀ ପୁରୀ ସଜେଇ ହୋଇଥିବା ବେଳେ ବାଲୁକା କଳା ମାଧ୍ୟମରେ ଏକ ନିଆରା ବାର୍ତ୍ତା ଦିଆଯାଇଛି ।

ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ତାଙ୍କ ପୁରୀ ସ୍ୟାଣ୍ଡ ଆର୍ଟ ଷ୍ଟୁଡିଓରେ ୧୫ ମିନିଟ୍‌ର ଏକ ବିଶେଷ ବାଲୁକା ଆନିମେସନ୍ ପ୍ରଦର୍ଶନ କରି ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଇଛନ୍ତି । ଏହି ଅଭିନବ କଳା ପ୍ରଦର୍ଶନରେ ବ୍ରିକ୍ସ ରାଷ୍ଟ୍ରମାନଙ୍କ ମଧ୍ୟରେ ଏକତା, ବନ୍ଧୁତ୍ୱ, ଶାନ୍ତି, ସାଂସ୍କୃତିକ ସମନ୍ୱୟ ଏବଂ ବୈଶ୍ୱିକ ସହଯୋଗର ବାର୍ତ୍ତାକୁ ସୁନ୍ଦର ଭାବରେ ଉପସ୍ଥାପନ କରାଯାଇଛି।

ମାନସ କୁମାର ସାହୁ କହିଛନ୍ତି, “ପୁରୀରେ ବ୍ରିକ୍ସ ଭଳି ଏକ ବିଶ୍ୱସ୍ତରୀୟ ସମ୍ମିଳନୀର ଆୟୋଜନ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ଏହା ମାଧ୍ୟମରେ କେବଳ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସହଯୋଗର ନୂଆ ଦିଗ ଖୋଲିବ ନୁହେଁ, ବରଂ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ଐତିହ୍ୟ ଏବଂ କଳାକୁ ମଧ୍ୟ ବିଶ୍ୱ ସମ୍ମୁଖରେ ପହଞ୍ଚାଇବ।”

ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ପୁରୀର ତାଜ୍ ହୋଟେଲରେ ଚାଲିବାକୁ ଥିବା ଏହି ସମ୍ମିଳନୀରେ ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତ୍ତନ ଜନିତ ଚ୍ୟାଲେଞ୍ଜ, ପ୍ରତିରୋଧ କ୍ଷମତା ବୃଦ୍ଧି ଓ ପ୍ରଯୁକ୍ତିଗତ ଜ୍ଞାନ ବିନିମୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବ। ପ୍ରଥମ ଥର ପାଇଁ ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ରସମୂହର ଏପରି ଏକ ଅନ୍ତର୍ଜାତୀୟ ବୈଠକ ଆୟୋଜନ ହେଉଥିବାରୁ ଏହାକୁ ନେଇ ସମଗ୍ର ରାଜ୍ୟରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।

ସମ୍ମିଳନୀର ସଫଳ ଆୟୋଜନ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସହରକୁ ତ୍ରିସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିବା ବେଳେ ଓଡ଼ିଶା ପୋଲିସ, ସ୍ୱତନ୍ତ୍ର ସୁରକ୍ଷା ଗ୍ରୁପ୍ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀ ମୁତୟନ ହୋଇଛନ୍ତି। ସମ୍ମିଳନୀ ସ୍ଥଳ, ହୋଟେଲ, ପ୍ରମୁଖ ରାସ୍ତା ଓ ପ୍ରବେଶପଥଗୁଡ଼ିକୁ ସିସିଟିଭି ନଜରଦାରୀ ଅଧୀନରେ ରଖାଯାଇଛି। ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ବୋମା ନିଷ୍କ୍ରିୟକାରୀ ଦଳ ଓ ଡଗ୍ ସ୍କ୍ୱାଡ୍‌ ମଧ୍ୟ ସତର୍କ ଅବସ୍ଥାରେ ରହିଛନ୍ତି।

ବ୍ରାଜିଲ, ରୁଷ, ଚୀନ, ଇରାନ, ସାଉଦି ଆରବ, ୟୁଏଇ ସମେତ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧିମାନେ ସମ୍ମିଳନୀରେ ଯୋଗ ଦେଉଥିବା ବେଳେ ସେମାନଙ୍କର କୋଣାର୍କ ଓ ପୁରୀର ବିଭିନ୍ନ ଐତିହାସିକ ସ୍ଥାନ ପରିଦର୍ଶନ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏଥିପାଇଁ ସମସ୍ତ ସ୍ଥାନରେ କଡ଼ା ସୁରକ୍ଷା ଓ ସୁବ୍ୟବସ୍ଥା କରାଯାଇଛି।

ବିପର୍ଯ୍ୟୟ ପରିଚାଳନା, ବାତ୍ୟା ମୁକାବିଲା ଏବଂ ସଫଳ ସ୍ଥାନାନ୍ତରଣ କ୍ଷେତ୍ରରେ ଓଡ଼ିଶା ଦେଶ ଓ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସେହି ଅନୁଭବ ଓ ଦକ୍ଷତାକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାର ଏକ ସୁବର୍ଣ୍ଣ ସୁଯୋଗ ଭାବେ ଏହି ବ୍ରିକ୍ସ ସମ୍ମିଳନୀକୁ ଦେଖାଯାଉଛି। ଏହା ମାଧ୍ୟମରେ ଓଡ଼ିଶାର ଆନ୍ତର୍ଜାତୀୟ ପରିଚୟ ଆହୁରି ସୁଦୃଢ଼ ହେବା ସହ ପର୍ଯ୍ୟଟନ, ସଂସ୍କୃତି ଓ ବିକାଶର ନୂତନ ସମ୍ଭାବନା ସୃଷ୍ଟି ହେବ ବୋଲି ଆଶା କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score