Explore

Search

June 4, 2026 1:33 am

ମୁଖ୍ୟମନ୍ତ୍ରୀ ନେଲେ ବଡ଼ ପଦକ୍ଷେପ: ଶିଶୁଙ୍କ ପୁଷ୍ଟିକର ଖାଦ୍ୟ ପାଇଁ ବଢ଼ିଲା ସରକାରୀ ବ୍ୟୟ

ଭୁବନେଶ୍ୱର: ରାଜ୍ୟରେ କୁପୋଷଣ ହ୍ରାସ କରିବା ଏବଂ ପ୍ରତ୍ୟେକ ଶିଶୁଙ୍କୁ ସୁସ୍ଥ ଓ ସବଳ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ଓଡ଼ିଶା ସରକାର ନୂଆ ପଦକ୍ଷେପ ନେଇଛନ୍ତି। ବିଶେଷକରି ଅତିଶୟ କମ୍‌ ଓଜନର ଶିଶୁମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ଯୋଗାଣକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଦୈନିକ ଖାଦ୍ୟ ଖର୍ଚ୍ଚରେ ବୃଦ୍ଧି କରାଯାଇଛି।

ଏହି ପରିପ୍ରେକ୍ଷୀରେ ଶିଶୁଙ୍କ ପାଇଁ ଦୈନିକ ଖାଦ୍ୟ ଖର୍ଚ୍ଚରେ ଆଖିଦୃଶିଆ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ । ୬ ମାସରୁ ୬ ବର୍ଷ ବୟସର ଅତିଶୟ କମ୍‌ ଓଜନ ଶିଶୁଙ୍କ ଜଳଖିଆ ବାବଦ ଖର୍ଚ୍ଚକୁ ୮ ଟଙ୍କାରୁ ୧୨ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏଥିସହ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ ଅଧୀନରେ ଅତିରିକ୍ତ ୬ ଟଙ୍କା ପ୍ରଦାନ କରାଯାଉଛି। ପୂର୍ବରୁ ଶିଶୁଙ୍କ ପାଇଁ ଦୈନିକ ଖାଦ୍ୟ ଖର୍ଚ୍ଚ ବାବଦକୁ ୧୪ ଟଙ୍କା ମିଳୁଥିବା ବେଳେ ବର୍ତ୍ତମାନ ୧୮ ଟଙ୍କାର ଖାଦ୍ୟ ଯୋଗାଇ ଦିଆଯିବ।

ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ପ୍ରାୟ ୧୦.୭ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଭାର ବହନ କରିବେ। ଅନୁରୂପ ଭାବେ ଅଙ୍ଗନବାଡ଼ି କେନ୍ଦ୍ରର ପ୍ରାକ୍‌-ବିଦ୍ୟାଳୟ ଶିଶୁ (୩ ବର୍ଷରୁ ୬ ବର୍ଷ ବୟସ)ଙ୍କ ସକାଳ ଜଳଖିଆ ବାବଦ ଦୈନିକ ଖର୍ଚ୍ଚରେ ୧.୨୪ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଏଣିକି ଅଙ୍ଗନବାଡ଼ି ପିଲାଙ୍କ ପାଇଁ ଖାଦ୍ୟ ଖର୍ଚ୍ଚ ଲାଗି ୩ଟଙ୍କା ୫୬ ପଇସା ଦିଆଯିବ। ଏଥିଲାଗି ସରକାର ନିଜସ୍ବ ବଜେଟରୁ ବାର୍ଷିକ ପ୍ରାୟ ୧୨୬କୋଟି ୮୩ ଲକ୍ଷ ଟଙ୍କା ଅତିରିକ୍ତ ବ୍ୟୟଭାର ବହନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି।

ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ‘ଶିଶୁ ଜୀବନର ପ୍ରଥମ ୧୦୦୦ ଦିନର ପୋଷଣ’ ଉପରେ ଆଧାରିତ ଡିଜିଟାଲ ବହିକୁ ଉନ୍ମୋଚନ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଥିଲେ, ମା’ ପେଟର ୨୭୦ ଦିନ ଏବଂ ଶିଶୁ ଜନ୍ମର ଦୁଇ ବର୍ଷ ପର୍ଯ୍ୟନ୍ତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ବହିରେ ଓଡ଼ିଆ ଭାଷାରେ ଅତି ସରଳ ଭାବରେ ଜୀବନର ପ୍ରଥମ ୧୦୦୦ ଦିନର ପ୍ରତିଟି ସ୍ତର ଏବଂ ତା’ର ଯତ୍ନ ବିଷୟରେ ବୁଝାଇ ଦିଆଯାଇଛି । ଅଙ୍ଗନବାଡି ଦିଦିମାନେ ଗୃହ ପରିଦର୍ଶନ ସମୟରେ ଏହି ବହିଟିକୁ ବ୍ୟବହାର କରି ହିତାଧିକାରୀଙ୍କୁ ସଚେତନ କରିବେ।
ଏଥିସହ ସମସ୍ତ ହିତାଧିକାରୀଙ୍କ ପାଖରେ ଏହି ଡିଜିଟାଲ ବହିଟିକୁ ରାଜ୍ୟର ସମସ୍ତ ଅଙ୍ଗନବାଡି କର୍ମୀଙ୍କ ମାଧ୍ୟମରେ ଓ ସୋସିଆଲ ମେଡିଆ ଦ୍ୱାରା ପହଞ୍ଚାଇବା ପାଇଁ ପ୍ରୟାସ କରାଯାଇଛି।

ଯଦି ପ୍ରତ୍ୟେକ ମାତାପିତା ଓ ପରିବାର ସଦସ୍ୟ ଏହାକୁ ପଢ଼ି ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବେ, ତେବେ ରାଜ୍ୟରେ ଏକ ‘ସୁସ୍ଥ ମା-ସୁସ୍ଥ ଶିଶୁ-ସୁସ୍ଥ ପରିବାର’ ଗଢ଼ିବାର ସ୍ବପ୍ନ ସାକାର ହୋଇପାରିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score