ଗଜପତି : ଗଜପତି ଜିଲ୍ଲାର ପ୍ରସିଦ୍ଧ ପୌରାଣିକ ତଥା ଆଧ୍ୟାତ୍ମିକ ତୀର୍ଥକ୍ଷେତ୍ର ମହେନ୍ଦ୍ରଗିରିରେ ଆରମ୍ଭ ହୋଇଛି ଐତିହାସିକ ”ମହେନ୍ଦ୍ର ମେଳା-୨୦୨୬”। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ ଦେଶର ବହୁ ପ୍ରାନ୍ତରୁ ଆସିଥିବା ହଜାର ହଜାର ଭକ୍ତଙ୍କ ସମାଗମରେ ମହେନ୍ଦ୍ରଗିରି ପର୍ବତ ଅଞ୍ଚଳ ଏବେ ଆଧ୍ୟାତ୍ମିକ ଚେତନାରେ ମୁଖରିତ।
ଆଜିଠାରୁ ଏହି ମେଳାରେ ବିଶାଳ ମହାଯଜ୍ଞ ଅନୁଷ୍ଠିତ ହେଉଛି । ଏହି ଯଜ୍ଞରେ ଯୋଗଦେବା ପାଇଁ ଦେଶର ବିଭିନ୍ନ ରାଜ୍ୟରୁ ଶତାଧିକ ସାଧୁ-ସନ୍ଥ, ଧର୍ମଗୁରୁ, ବେଦବିଦ୍ ଓ ଆଧ୍ୟାତ୍ମିକ ବକ୍ତାମାନେ ମହେନ୍ଦ୍ରଗିରିରେ ପହଞ୍ଚିଛନ୍ତି । ଯଜ୍ଞ ମଣ୍ଡପରେ ଆଜିଠୁ ନେଇ ଆଗାମୀ 8 ଦିନ ବୈଦିକ ମନ୍ତ୍ରୋଚ୍ଚାରଣ ସହ ହୋମ, ଯଜ୍ଞ, ଧାର୍ମିକ ଆଲୋଚନା ଓ ଆଧ୍ୟାତ୍ମିକ ପ୍ରବଚନ ଅନୁଷ୍ଠିତ ହେବ। ଏହାସହ ଭଜନ ସନ୍ଧ୍ୟା, ହରିନାମ ସଙ୍କୀର୍ତ୍ତନ, ଗୀତା ଓ ଭାଗବତ ଚର୍ଚ୍ଚା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଧାର୍ମିକ ସଭା ମାଧ୍ୟମରେ ଭକ୍ତମାନଙ୍କୁ ଆଧ୍ୟାତ୍ମିକ ଚେତନା ସହ ଯୋଡ଼ିବାକୁ ପ୍ରୟାସ କରାଯିବ।
ବିଶେଷ କଥା ହେଉଛି, ମହେନ୍ଦ୍ର ଶିଖରରେ ଏତେ ବ୍ୟାପକ ଓ ସୁସଂଗଠିତ ଆୟୋଜନ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆଗ୍ରହ ପରିଲକ୍ଷିତ ହୋଇଛି। ମେଳାକୁ କେନ୍ଦ୍ର କରି ଗଜପତି ଜିଲ୍ଲା ସହ ସମଗ୍ର ଦକ୍ଷିଣ ଓଡ଼ିଶାରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।
ଶ୍ରଦ୍ଧାଳୁଙ୍କ ବଢ଼ୁଥିବା ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ଅସ୍ଥାୟୀ ଶିବିର, ପରିମଳ ବ୍ୟବସ୍ଥା, ଯାତାୟାତ ନିୟନ୍ତ୍ରଣ ଓ ସୁରକ୍ଷା ପାଇଁ ବିଭିନ୍ନ ବିଭାଗକୁ ନିୟୋଜିତ କରାଯାଇଛି। ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ମେଳା ପରିଚାଳନା ଉପରେ କଡ଼ା ନଜର ରଖିଥିବାବେଳେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।
ଭକ୍ତି, ପରମ୍ପରା ଓ ଆଧ୍ୟାତ୍ମିକ ଚେତନାର ଅପୂର୍ବ ସମନ୍ୱୟ ନେଇ ଆରମ୍ଭ ହୋଇଥିବା ମହେନ୍ଦ୍ର ମେଳା ଏବେ କେବଳ ଗଜପତି ଜିଲ୍ଲାର ନୁହେଁ, ସମଗ୍ର ଓଡ଼ିଶାର ଏକ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ମହୋତ୍ସବ ଭାବେ ପରିଚିତି ଲାଭ କରୁଛି। ମହେନ୍ଦ୍ରଗିରିର ଏହି ପବିତ୍ର ଭୂମିରେ ଭକ୍ତମାନଙ୍କ ଅଗାଢ ବିଶ୍ୱାସ ଓ ଆଧ୍ୟାତ୍ମିକ ଆସ୍ଥାର ମିଳନ ଏହି ମେଳାକୁ ଏକ ଅନନ୍ୟ ମାହାତ୍ମ୍ୟ ପ୍ରଦାନ କରିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
