Explore

Search

May 28, 2026 10:11 pm

ଦେଶରେ ଗଡିବ ସ୍ୱଦେଶୀ ହାଇଡ୍ରୋଜେନ୍ ଟ୍ରେନ୍

ଦେଶରେ ପ୍ରଥମଥର ପାଇଁ ଚଳାଚଳ କରିବ ସ୍ୱଦେଶୀ ହାଇଡ୍ରୋଜେନ୍ ଟ୍ରେନ୍ । ସ୍ୱଚ୍ଛ ଓ ପରିବେଶବନ୍ଧବ ପରିବହନ ବ୍ୟବସ୍ଥା ଦିଗରେ ଏହାକୁ ଭାରତୀୟ ରେଳର ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ଭାରତୀୟ ରେଳପଥ ପକ୍ଷରୁ ଅନୁମୋଦିତ ଏହି ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଚାଳିତ ଟ୍ରେନରେ ୧୦ଟି କୋଚ୍ ସହ ୧୨୦୦ କିଲୋୱାଟ କ୍ଷମତାସମ୍ପନ୍ନ ଇଞ୍ଜିନ ରହିଛି । ଏହା ହରିୟାଣାର ଜିନ୍ଦ-ସୋନିପତ ରୁଟରେ ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ଚାଲିବ।

ହାଇଡ୍ରୋଜେନ ଫୁଏଲ ସେଲ ପ୍ରଯୁକ୍ତି ମାଧ୍ୟମରେ ରାସାୟନିକ ପ୍ରତିକ୍ରିୟାରୁ ବିଦ୍ୟୁତ୍ ଉତ୍ପାଦନ କରାଯାଏ। ଏହି ପ୍ରକ୍ରିୟାରେ କେବଳ ଜଳୀୟ ବାଷ୍ପ ନିର୍ଗତ ହୁଏ, ଫଳରେ ପ୍ରଦୂଷଣ ପ୍ରାୟ ନଥାଏ। ସେଥିପାଇଁ ଏହାକୁ ପାରମ୍ପରିକ ଡିଜେଲ ଚାଳିତ ରେଳ ବ୍ୟବସ୍ଥାର ଏକ ସ୍ୱଚ୍ଛ ବିକଳ୍ପ ଭାବେ ଦେଖାଯାଉଛି।

ଜର୍ମାନୀ, ଜାପାନ, ଚୀନ୍ ଓ ଆମେରିକା ପରି ଅଗ୍ରଣୀ ଦେଶ ଗୁଡ଼ିକରେ ଏବେ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ କରୁଥିବାବେଳେ ଭାରତ ମଧ୍ୟ ଏହି ଆଧୁନିକ ପ୍ରଯୁକ୍ତି ଦିଗରେ ପଦକ୍ଷେପ ନେଇଛି। ପାଇଲଟ୍ ପ୍ରକଳ୍ପ ଭାବେ ହରିୟାଣାର ଜିନ୍ଦ-ସୋନିପତ ସେକ୍ସନକୁ ଚୟନ କରାଯାଇଛି । ଏହାପାଇଁ ଜିନ୍ଦରେ ସ୍ୱଦେଶୀ ପ୍ରଯୁକ୍ତିରେ ଏକ ହାଇଡ୍ରୋଜେନ୍ ଭଣ୍ଡାର ଓ ରିଫ୍ୟୁଏଲିଂ ସେଣ୍ଟର ସ୍ଥାପନ କରାଯାଇଛି।

ପେଟ୍ରୋଲିୟମ୍ ଓ ବିସ୍ଫୋରକ ସୁରକ୍ଷା ସଂଗଠନ (PESO) ପକ୍ଷରୁ କମ୍ପ୍ରେସ୍ଡ ହାଇଡ୍ରୋଜେନ ଗ୍ୟାସ ସଂରକ୍ଷଣ ଓ ବଣ୍ଟନ ପାଇଁ ଆବଶ୍ୟକ ଅନୁମତି ମିଳିଛି। ରେଳପଥ ପକ୍ଷରୁ କୁହାଯାଇଛି ଯେ, ସୁରକ୍ଷିତ ଓ ତ୍ରୁଟିମୁକ୍ତ ଚାଳନା ପାଇଁ ଆଧୁନିକ କମ୍ପ୍ରେସର ବ୍ୟବସ୍ଥା, ସୁରକ୍ଷା ସେନ୍ସର, ୨୪ ଘଣ୍ଟିଆ ନିରୀକ୍ଷଣ ଓ ପ୍ରଶିକ୍ଷିତ କର୍ମଚାରୀ ନିଯୁକ୍ତ କରାଯାଇଛନ୍ତି। ଜରୁରୀକାଳୀନ ପରିସ୍ଥିତି ମୁକାବିଲା ପାଇଁ ଅଲଗା କମ୍ପ୍ରେସର ୟୁନିଟ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି।

ବିଶେଷଜ୍ଞମାନଙ୍କ ମତରେ, ଏହି ପ୍ରକଳ୍ପ ସଫଳ ହେଲେ ଭବିଷ୍ୟତରେ ଦେଶର ଅନେକ ଅଣ-ବିଦ୍ୟୁତିକୃତ ରେଳପଥରେ ଡିଜେଲ ଇଞ୍ଜିନ୍ ବଦଳରେ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ କରିପାରିବ। ଏହାଦ୍ୱାରା ଇନ୍ଧନ ଖର୍ଚ୍ଚ କମିବା ସହ ପରିବେଶ ପ୍ରଦୂଷଣ ହ୍ରାସ ପାଇବ ଏବଂ ଦେଶ ସବୁଜ ପରିବହନ ବ୍ୟବସ୍ଥା ଦିଗରେ ଆଉ ଏକ ପଦକ୍ଷେପ ଆଗକୁ ବଢ଼ିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score