ଭୁବନେଶ୍ୱର : ବଦଳୁଥିବା ଡିଜିଟାଲ ଯୁଗରେ ମୋବାଇଲ ଫୋନ ଓ ସୋସିଆଲ ମିଡିଆ ଯୁବପିଢ଼ିଙ୍କ ଜୀବନର ଅଘଟଣୀୟ ଅଂଶ ହୋଇପାରିଛି। ଯେଉଁ ମୋବାଇଲ ଦିନେ ଦୂରତା କମାଇ ସମ୍ପର୍କ ଗଢ଼ିବାର ମାଧ୍ୟମ ହୋଇଥିଲା, ସେହି ମୋବାଇଲ ଏବେ ଅନେକ ପରିବାରରେ ଅଶାନ୍ତି ଓ ବିବାହ ବିଚ୍ଛେଦର କାରଣ ହେଉଥିବା ଦେଖାଯାଉଛି। ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର, ଅଜଣା ଲୋକଙ୍କ ସହ ଅତିରିକ୍ତ ସମ୍ପର୍କ ଓ ଗୋପନୀୟ ଚାଟିଂ ଦାମ୍ପତ୍ୟ ଜୀବନରେ ସନ୍ଦେହର ପାଚେରୀ ସୃଷ୍ଟି କରୁଛି । ଫଳରେ ଛୋଟ ଭୁଲ ବୁଝାମଣା ବଡ଼ ବିବାଦର ରୂପ ନେଇ ପରିବାର ଭାଙ୍ଗିବା ପର୍ଯ୍ୟନ୍ତ ପହଞ୍ଚୁଛି।
କଟକ ପରିବାର ଅଦାଲତର ତଥ୍ୟ ଅନୁଯାୟୀ, ୨୦୨୬ ମସିହା ଜାନୁଆରୀରୁ ଏପର୍ଯ୍ୟନ୍ତ ୪୧୦ଟି ବିବାହ ବିଚ୍ଛେଦ ମାମଲା ରୁଜୁ ହୋଇଛି। ଚିନ୍ତାର ବିଷୟ ହେଉଛି, ଏହାର ଏକ ବଡ଼ ଅଂଶରେ ମୋବାଇଲ ଫୋନ ଓ ସୋସିଆଲ ମିଡିଆ ପ୍ରମୁଖ କାରଣ ଭାବେ ଆସିଛି । ପ୍ରାୟ ୩୦ ପ୍ରତିଶତ ମାମଲା ସିଧାସଳଖ ଭାବେ ମୋବାଇଲ ବ୍ୟବହାରକୁ କେନ୍ଦ୍ର କରି ଘଟୁଥିବା କୁହାଯାଉଛି ।
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ କହିବା ଅନୁସାରେ, କମିଶନକୁ ଆସୁଥିବା ବୈବାହିକ ବିବାଦର ଅନେକ ମାମଲାରେ ମୋବାଇଲ ଫୋନ ହିଁ ମୂଳ କାରଣ ହୋଇଉଠୁଛି। ଲୋକମାନେ ଏବେ ଯନ୍ତ୍ରର ନିୟନ୍ତ୍ରଣରେ ଚାଲୁଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ସନ୍ଦେହ, ଅବିଶ୍ୱାସ ଓ ଭୁଲ ବୁଝାମଣା ଦୂର କରିପାରିବାର ଅସମର୍ଥତା ଅନେକ ଦାମ୍ପତ୍ୟ ସମ୍ପର୍କକୁ ଭାଙ୍ଗିଦେଉଛି। ତଥାପି ମଧ୍ୟସ୍ଥତା କେନ୍ଦ୍ରରେ କାଉନସେଲିଂ ମାଧ୍ୟମରେ ପ୍ରାୟ ୫୦ରୁ ୬୦ ପ୍ରତିଶତ ମାମଲାର ସମାଧାନ ହେଉଥିବା ସେ କହିଛନ୍ତି।
ଏବେ ପ୍ରାୟ ପ୍ରତ୍ୟେକ ଯୁବକ-ଯୁବତୀଙ୍କ ହାତରେ ଆଣ୍ଡ୍ରୋଏଡ଼ ମୋବାଇଲ ରହିଛି। ସୋସିଆଲ ମିଡିଆ ମାଧ୍ୟମରେ ଅତ୍ୟନ୍ତ କମ ସମୟରେ ସମ୍ପର୍କ ଗଢ଼ିଉଠୁଛି । ଫଟୋ, ଭିଡିଓ ଓ ଚାଟିଂରେ ନିକଟତା ବଢ଼ି ଅନେକ ସମୟରେ ବିବାହ ପର୍ଯ୍ୟନ୍ତ ଗଡ଼ିଯାଉଛି।
କିନ୍ତୁ ପରସ୍ପରକୁ ଭଲଭାବେ ବୁଝିବା ପୂର୍ବରୁ ନିଆଯାଉଥିବା ଏହି ନିଷ୍ପତ୍ତି ପରେ ସମସ୍ୟାର କାରଣ ହେଉଛି। ବିବାହ ପରେ ଛୋଟ ଛୋଟ କଥାକୁ ନେଇ ସନ୍ଦେହ ବଢ଼ୁଛି ଓ ସେହି ସନ୍ଦେହର କେନ୍ଦ୍ରବିନ୍ଦୁରେ ପୁଣି ମୋବାଇଲ ଫୋନ ହିଁ ରହୁଛି।
ପରିବାର ଅଦାଲତର ଅନୁଭବୀ ଆଇନଜୀବୀଙ୍କ କହିବା ଅନୁସାରେ, ବହୁ ବିବାହ ବିଚ୍ଛେଦ ମାମଲାରେ ମୋବାଇଲ ଫୋନ ଅଶାନ୍ତିର ମୁଖ୍ୟ କାରଣ ଭାବେ ଆସୁଛି। ବିଶେଷକରି ଚାକିରି କାରଣରୁ ସ୍ୱାମୀ-ସ୍ତ୍ରୀ ଅଲଗା ରହୁଥିଲେ ଅତ୍ୟଧିକ ଫୋନ ବ୍ୟବହାର, ଚାଟିଂ କିମ୍ବା ଦୀର୍ଘ ସମୟ କଥାବାର୍ତ୍ତା ସନ୍ଦେହ ସୃଷ୍ଟି କରୁଛି। ଏହି ସନ୍ଦେହ ପରେ ଗୁରୁତର ବିବାଦର ରୂପ ନେଇ ବିଚ୍ଛେଦ ପର୍ଯ୍ୟନ୍ତ ପହଞ୍ଚୁଛି।
କେବଳ ସ୍ୱାମୀ-ସ୍ତ୍ରୀ ନୁହେଁ, ମୋବାଇଲ ବ୍ୟବହାରକୁ ନେଇ ଶାଶୁ-ଶ୍ୱଶୁର ଓ ବୋହୂଙ୍କ ମଧ୍ୟରେ ମଧ୍ୟ ବିବାଦ ବଢ଼ୁଛି। ଘରୋଇ କାମକୁ ଅବହେଳା କରି ଅଧିକ ସମୟ ଫୋନ ବ୍ୟବହାର କରୁଥିବା ଅଭିଯୋଗରୁ ଅନେକ ପରିବାରରେ ତିକ୍ତତା ଦେଖାଯାଉଛି। ଅନ୍ୟପଟେ ମହିଳାମାନେ ନିଜ ସ୍ୱାଧୀନତାରେ ହସ୍ତକ୍ଷେପ ହେଉଥିବା ଦାବି କରୁଛନ୍ତି।
ସୋସିଆଲ ମିଡିଆରେ ରିଲ୍ସ ଓ ଭିଡିଓ ତିଆରି କରିବା ମଧ୍ୟ ଏବେ ପରିବାରିକ ଅଶାନ୍ତିର ଏକ ନୂଆ କାରଣ ହୋଇଉଠିଛି। କେତେକ ପରିବାର ଏହାକୁ ସାଧାରଣ ଭାବେ ନେଉଥିବା ବେଳେ, ଅନ୍ୟ କେତେକ ପରିବାର ଏହାକୁ ଗ୍ରହଣ କରିପାରୁ ନାହାନ୍ତି। ଫଳରେ ପରିବାର ମଧ୍ୟରେ ଝଗଡ଼ା, ଅଶାନ୍ତି ଓ ସମ୍ପର୍କରେ ଦୂରତା ବଢ଼ୁଛି।
ସମୟ ସହ ଟେକ୍ନୋଲୋଜି ମଣିଷଙ୍କୁ ନିକଟ କରିଥିଲେ ମଧ୍ୟ ତାହାର ଅତ୍ୟଧିକ ନିର୍ଭରଶୀଳତା ଏବେ ସମ୍ପର୍କକୁ ଦୁର୍ବଳ କରୁଛି। ତେଣୁ ମୋବାଇଲ ଓ ସୋସିଆଲ ମିଡିଆର ସଚେତନ ବ୍ୟବହାର, ପରସ୍ପର ପ୍ରତି ବିଶ୍ୱାସ ଓ ଖୋଲା ଆଲୋଚନା ହିଁ ଦାମ୍ପତ୍ୟ ଜୀବନକୁ ସୁସ୍ଥ ଓ ସୁଦୃଢ଼ ରଖିପାରିବ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
