ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ପଞ୍ଜାବ ଓ ଚଣ୍ଡିଗଡ଼ରେ ଅସହ୍ୟ ତାତି ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପଞ୍ଜାବର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବାବେଳେ ଆଗାମୀ ଦିନରେ ପାରଦ ୪୨ରୁ ୪୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ ବୋଲି ପାଣିପାଗ ବିଭାଗ ସତର୍କ କରିଛି । ଚଣ୍ଡିଗଡ଼ ପାଣିପାଗ କେନ୍ଦ୍ର ପକ୍ଷରୁ ମେ ୨୬ ପର୍ଯ୍ୟନ୍ତ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି ।
ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ ପ୍ରଶାସନ ମେ ୨୩ରୁ ସ୍କୁଲଗୁଡ଼ିକ ପାଇଁ ଗ୍ରୀଷ୍ମ ଛୁଟି ଘୋଷଣା କରିଛି । ସେହିପରି ସ୍ବାସ୍ଥ୍ୟ ବିଭାଗ ଲୋକମାନଙ୍କୁ ଦିନର ଅତ୍ୟଧିକ ଗରମ ସମୟରେ ଘରୁ ବାହାରିବାରୁ ବିରତ ରହିବା ସହ କଠିନ ଶାରୀରିକ କାମ ନକରିବାକୁ ପରାମର୍ଶ ଦେଇଛି । ବିଶେଷକରି ପିଲା, ବୃଦ୍ଧ ଓ ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବାକୁ କୁହାଯାଇଛି ।
ଏପରିକି ପଞ୍ଜାବରେ ମଧ୍ୟ ଖୁବଶୀଘ୍ର ଗ୍ରୀଷ୍ମ ଛୁଟି ଘୋଷଣା ହେବାର ସମ୍ଭାବନା ରହିଛି । ସୂଚନା ଅନୁଯାୟୀ, ମେ ୨୫ରୁ ସ୍କୁଲଗୁଡ଼ିକରେ ଛୁଟି ଆରମ୍ଭ ହୋଇ ଜୁଲାଇ ୧ରେ ପୁନଃ ଖୋଲିପାରେ ।
ଦିଲ୍ଲୀରେ ସରକାରୀ ସ୍କୁଲଗୁଡ଼ିକ ୧୧ ମେ’ରୁ ବନ୍ଦ ରହିଥିବାବେଳେ ଜୁଲାଇ ୧ରେ ଖୋଲିବାକୁ ଯାଉଛି । ଅନେକ ଘରୋଇ ସ୍କୁଲ ମଧ୍ୟ ନିଜସ୍ୱ ଗ୍ରୀଷ୍ମ ଛୁଟି ସୂଚୀ ଘୋଷଣା କରିଛନ୍ତି ।
ରାଜସ୍ଥାନ ସରକାର ମଧ୍ୟ ୧୭ ମେ’ରୁ ୨୦ ଜୁନ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି । ତେବେ ଚଳିତ ବର୍ଷ ଛୁଟି ଅବଧି କମାଇଦିଆଯାଇଥିବାରୁ ଜୁନରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
