କୋଲକତା : ପଶ୍ଚିମବଙ୍ଗରେ ଏବେ ସ୍କୁଲ୍ ପରେ ମଦ୍ରାସାରେ ମଧ୍ୟ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟ ସରକାର ସମସ୍ତ ସ୍ୱୀକୃତିପ୍ରାପ୍ତ ମଦ୍ରାସାର ସକାଳ ପ୍ରାର୍ଥନା ସଭାରେ ‘ବନ୍ଦେ ମାତରମ୍’ ଗାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଏହାର ତଦାରଖ ସଂଖ୍ୟାଲଘୁ କଲ୍ୟାଣ ଓ ମଦ୍ରାସା ଶିକ୍ଷା ବିଭାଗ କରିବ ବୋଲି ସୂଚନା ମିଳିଛି ।
ଏହା ପୂର୍ବରୁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ସକାଳ ପ୍ରାର୍ଥନା ସମୟରେ ‘ବନ୍ଦେ ମାତରମ୍’ ଗାନ କରିବାକୁ ସରକାର ପକ୍ଷରୁ ବାଧ୍ୟତାମୂଳକ କରାଯାଇଥିଲା । ସେହି ନିଷ୍ପତ୍ତିର ମାତ୍ର ଏକ ସପ୍ତାହ ପରେ ଏବେ ମଦ୍ରାସାଗୁଡ଼ିକୁ ମଧ୍ୟ ଏହି ନିୟମର ଅଧୀନକୁ ଆଣାଯାଇଛି ।
ଚଳିତ ବର୍ଷ ଫେବୃଆରୀରେ କେନ୍ଦ୍ର ସରକାର ‘ବନ୍ଦେ ମାତରମ’କୁ ଜାତୀୟ ସଙ୍ଗୀତ ‘ଜନଗଣମନ’ ସହ ସମାନ ମାନ୍ୟତା ଦେଇଥିଲେ । ଏହା ପରେ ସମସ୍ତ ସରକାରୀ କାର୍ଯ୍ୟକ୍ରମ ଓ ଶିକ୍ଷାନୁଷ୍ଠାନରେ ଜାତୀୟ ସଙ୍ଗୀତ ସହିତ ରାଷ୍ଟ୍ରଗୀତର ୬ଟି ପଦ ଗାନ କରିବାକୁ ନିୟମ କରାଯାଇଛି ।
ରାଜ୍ୟ ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁସାରେ, ଶ୍ରେଣୀ ଆରମ୍ଭ ପୂର୍ବରୁ କିମ୍ବା ସକାଳ ପ୍ରାର୍ଥନା ସମୟରେ ଛାତ୍ରଛାତ୍ରୀ ସମୁହେ ‘ବନ୍ଦେ ମାତରମ୍’ ଗାନ କରିବେ । ଏହାକୁ ତୁରନ୍ତ ପ୍ରଭାବରେ ଲାଗୁ କରାଯାଇଥିବା ସରକାର ସୂଚନା ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଏନେଇ ସାମାଜିକ ମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି ଯେ, ‘ବନ୍ଦେ ମାତରମ୍’ ଭାରତର ସ୍ୱାଧୀନତା ଆନ୍ଦୋଳନର ଏକ ପ୍ରମୁଖ ପ୍ରେରଣା ଓ ଦେଶଭକ୍ତିର ପ୍ରତୀକ ଥିଲା । ସ୍ୱାଧୀନତା ସଂଗ୍ରାମ ସମୟରେ ଏହି ଗୀତ ସଂଗ୍ରାମୀମାନଙ୍କ ମନରେ ଜାତୀୟ ଚେତନା ଜାଗ୍ରୁତ କରୁଥିଲା ।
ଏହି ନିଷ୍ପତ୍ତିକୁ ନେଇ ପଶ୍ଚିମବଙ୍ଗର ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ବିଧାନସଭା ନିର୍ବାଚନ ପୂର୍ବରୁ ‘ବନ୍ଦେ ମାତରମ୍’ ପ୍ରସଙ୍ଗ ରାଜ୍ୟରେ ଏକ ବଡ଼ ରାଜନୈତିକ ମୁଦ୍ଦାରେ ପରିଣତ ହୋଇଥିଲା ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
