ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ରାୟଗଡ଼ା କୋଲନରା ବ୍ଲକ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ମଳୟ କୁମାର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ମଳୟ କୁମାରଙ୍କ ଘରେ ଚଢ଼ଉ କରି ବିପୁଳ ପରିମାଣର ସମ୍ପତ୍ତି ଜବତ କରିଛି ।
ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର ସହ ବହୁ ସଂଖ୍ୟକ କର୍ମଚାରୀ ସାମିଲ ହୋଇଥିଲେ। ତେବେ ଗଞ୍ଜାମ ଓ ରାୟଗଡ଼ାର ୭ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ଏକକାଳୀନ ରେଡ୍ କରିଛି ।
ଏହି ପରିପ୍ରେକ୍ଷୀରେ ଭିଜିଲାନ୍ସ ଟିମ୍ ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ମଳୟ କୁମାର ନାୟକଙ୍କ ଘର ଓ ସମ୍ପତ୍ତିର ତଦନ୍ତ କରିଥିଲେ । ବ୍ରହ୍ମପୁର ଲୋଚାପଡା ଅଞ୍ଚଳର ସୌନ୍ଦର୍ଯ୍ୟ ନଗରରେ ଥିବା ୩ ମହଲା ବାସଭବନ, ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳର ଠୋଳଣ୍ଡ ବଡଦାଣ୍ଡ ସାହିରେ ଥିବା ପୈତୃକ ଘର, ବୁଗୁଡାର ବାଲିପିଣ୍ଡି ସାହି ଓ ପଙ୍କାଳ ସାହିରେ ଥିବା ସମ୍ପର୍କୀୟଙ୍କ ଘରରେ ମଧ୍ୟ ଚଢ଼ଉ କରିଛି ଭିଜିଲାନ୍ସ ବିଭାଗ ।
ଏହାସହିତ ବ୍ରହ୍ମପୁର ନିକଟ ଗୋଳନ୍ଥରା ଅଞ୍ଚଳର କମଳାପୁରରେ ଥିବା ଶ୍ୱଶୁର ଘର, ରାୟଗଡ଼ାର ରୋଇତ କଲୋନୀରେ ଥିବା ଭଡା ଘର ଏବଂ କୋଲନରା ବ୍ଲକ୍ କାର୍ଯ୍ୟାଳୟରେ ଥିବା ତାଙ୍କ କାର୍ଯ୍ୟାଳୟ କକ୍ଷରେ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଖୋଳତାଡ଼ କରିଥିଲେ ।
ଚଢ଼ଉ ସମୟରେ ବିଭିନ୍ନ ଦଲିଲପତ୍ର, ବ୍ୟାଙ୍କ ଖାତା ସମ୍ବନ୍ଧୀୟ ତଥ୍ୟ ଓ ସମ୍ପତ୍ତି ସମ୍ପର୍କିତ ଦସ୍ତାବିଜ ଯାଞ୍ଚ କରାଯାଇଥିଲା । ତେବେ ଚଢ଼ଉ ଜାରି ଥିବାରୁ କେତେ ପରିମାଣର ସମ୍ପତ୍ତି ଠାବ ହୋଇଛି, ସେନେଇ ଭିଜିଲାନ୍ସ ପକ୍ଷରୁ ଅଧିକୃତ ତଥ୍ୟ ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ । ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରା କାଗଜପତ୍ର, ବ୍ୟାଙ୍କ ଆକାଉଣ୍ଟ, ସୁନା ଗହଣା ଏବଂ ଜମିବାଡ଼ି ସମ୍ପର୍କିତ ନଥିପତ୍ରର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଚଢ଼ଉ ଶେଷ ହେବା ପରେ ମୋଟ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ସେ ନେଇ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
