Explore

Search

May 21, 2026 4:05 am

ଆଜି ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ : ଖୋଲା ରହିବ ନିରାମୟ ଓ ଜନୌଷଧି କେନ୍ଦ୍ର

ଭୁବନେଶ୍ୱର : ଆଜି ସାରା ଦେଶରେ ଔଷଧ ଦୋକାନ ବନ୍ଦ । ଅନଲାଇନ ଔଷଧ ବିତରଣକୁ ବିରୋଧ କରି ଦେଶର ବିଭିନ୍ନ ଘରୋଇ ଔଷଧ ଦୋକାନ ସଂଘ ଦିନିକିଆ ବନ୍ଦ ଡାକରା ଦେଇଛନ୍ତି । ଯାହାକୁ ଓଡ଼ିଶାରେ ସମର୍ଥନ ଦେଇଛି ଉତ୍କଳ କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ। ଯାହାଫଳରେ ଆଜି ରାଜ୍ୟର ପ୍ରାୟ ୩୦ ହଜାର ଔଷଧ ଦୋକାନ ବନ୍ଦ ରହିବ।

ବନ୍ଦକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସାଧାରଣ ଲୋକ ଓ ଗୁରୁତର ରୋଗୀ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବେ ସେଥିପାଇଁ ସମସ୍ତ ଡ୍ରଗସ ଇନସପେକ୍ଟର ଓ ସହାୟକ ଡ୍ରଗସ ଇନସପେକ୍ଟରଙ୍କୁ ୭ ସୂତ୍ରୀ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି।

ନିର୍ଦ୍ଦେଶାବଳୀ ଅନୁସାରେ, ଜରୁରୀ ଓ ଜୀବନ ରକ୍ଷାକାରୀ ଔଷଧର ଉପଲବ୍ଧତା ଉପରେ ନଜର ରଖିବା, ଡାକ୍ତରଖାନା ଓ କ୍ଲିନିକ୍ ସହ ଜଡ଼ିତ ଥିବା ଫାର୍ମାସି ଓ ୨୪ ଘଣ୍ଟିଆ ଔଷଧ ଦୋକାନକୁ କାର୍ଯ୍ୟକ୍ଷମ ରଖିବା ଓ ଜନସାଧାରଣଙ୍କ ଚାହିଦାକୁ ନଜରରେ ରଖି ପର୍ଯ୍ୟାପ୍ତ ମାନବ ସମ୍ବଳ ନିୟୋଜିତ କରିବାକୁ କୁହାଯାଇଛି।

ଆବଶ୍ୟକ ପଡ଼ିଲେ ଜିଲ୍ଲା ପ୍ରଶାସନ ଓ ପୋଲିସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଖୋଲିବା ଓ ଏହାର ପରିଚାଳନା କରିବାକୁ ସ୍ପଷ୍ଟ କରାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ସରକାରୀ ଡାକ୍ତରଖାନାରେ ଥିବା ସମସ୍ତ ନିରାମୟ ଷ୍ଟୋର, ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ଖୋଲା ରହିବ।

ଏଆଇଓସିଡି ଅଧୀନରେ ନଥିବା କିଛି କର୍ପୋରେଟ କେମିଷ୍ଟ ଷ୍ଟୋର ଏହି ବନ୍ଦରେ ସାମିଲ ହେଉ ନଥିବାରୁ ସେମାନେ ଖୋଲା ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାରେ ଅନଲାଇନ ଔଷଧ ବିତରଣ ବ୍ୟବସ୍ଥା ଲାଗୁ ହୋଇ ନାହିଁ । ଏ ନେଇ କୌଣସି ଦୋକାନକୁ ଲାଇସେନ୍ସ ବି ଦିଆଯାଇ ନାହିଁ। ତଥାପି କିଛି ମେଡିସିନ୍ କମ୍ପାନୀ ଓ ଅନ ଲାଇନ୍ ସଂସ୍ଥା କୋର୍ଟଙ୍କ ଦ୍ବାରସ୍ଥ ହୋଇ ଦେଶରେ ମେଡିସିନ୍ ବିକ୍ରି କରୁଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score