Explore

Search

May 16, 2026 8:51 pm

ହନ୍ତା ଭାଇରସକୁ ନେଇ ବଢ଼ୁଛି ଚିନ୍ତା : WHO ଆରମ୍ଭ କଲା ବଡ଼ ଅଧ୍ୟୟନ

ସାରା ବିଶ୍ୱକୁ ଆତଙ୍କିତ କରିଥିବା ଏଣ୍ଡିଜ୍ ହନ୍ତା ଭାଇରସକୁ ନେଇ ଏବେ ବି ବୈଜ୍ଞାନିକମାନଙ୍କ ହାତରେ ସମ୍ପୂର୍ଣ୍ଣ ତଥ୍ୟ ନାହିଁ । ଏହି ଭାଇରସ ମଣିଷ ଶରୀରରେ କେତେ ଦିନ ପର୍ଯ୍ୟନ୍ତ ସକ୍ରିୟ ରହେ ଓ କେତେ ସମୟ ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ସଂକ୍ରମିତ କରିପାରେ, ସେନେଇ ଅନେକ ରହସ୍ୟ ଏବେ ବି ଅସ୍ପଷ୍ଟ ଅଛି ।

MV Hondius ନାମକ କ୍ରୁଜ୍ ଜାହାଜରେ ହନ୍ତା ଭାଇରସ ସଂକ୍ରମଣ ପରେ ୧୧ ଜଣ ଅସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଗୁରୁତର ଚିନ୍ତା ପ୍ରକଟ କରିଛି ।

ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ଏଣ୍ଡିଜ ହନ୍ତା ଭାଇରସ କେବଳ ବାୟୁ କିମ୍ବା ମୂଷା ମାଧ୍ୟମରେ ନୁହେଁ, ମଣିଷ ଶରୀରର ବିଭିନ୍ନ ତରଳ ପଦାର୍ଥ ଦ୍ୱାରା ମଧ୍ୟ ବ୍ୟାପିପାରେ । ମା’ଙ୍କ କ୍ଷୀର ଓ ପୁରୁଷଙ୍କ ଶୁକ୍ରାଣୁ ମାଧ୍ୟମରେ ମଧ୍ୟ ସଂକ୍ରମଣ ସମ୍ଭାବନା ଥିବା କୁହାଯାଉଛି । ଏଥିରୁ ଯୌନ ସମ୍ପର୍କ ଓ ଘନିଷ୍ଠ ଶାରୀରିକ ସମ୍ପର୍କ ମାଧ୍ୟମରେ ଭାଇରସ ବ୍ୟାପିବା ଆଶଙ୍କା ବଢ଼ିଛି ।

ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଜଣେ ସଂକ୍ରମିତ ବ୍ୟକ୍ତି କେତେ ଦିନ ପର୍ଯ୍ୟନ୍ତ ଅନ୍ୟମାନଙ୍କୁ ଏହି ଭାଇରସ ଛଡ଼ାଇପାରିବେ, ତାହା ସ୍ପଷ୍ଟ ହୋଇନାହିଁ । ଏହି କାରଣରୁ WHO ଏବେ ହନ୍ତା ଭାଇରସ ଉପରେ ବିଶେଷ ଅଧ୍ୟୟନ ଆରମ୍ଭ କରିଛି ।

WHO ର ଜୁନୋସିସ୍ ୟୁନିଟ୍ ମୁଖ୍ୟ ମାରିୟା ୱାନ୍ କହିଛନ୍ତି ଯେ, “ନ୍ୟାଚୁରାଲ୍ ହିଷ୍ଟ୍ରି ଷ୍ଟଡି” ମାଧ୍ୟମରେ ଭାଇରସର ସମ୍ପୂର୍ଣ୍ଣ ଜୀବନଚକ୍ର ବୁଝିବାକୁ ଚେଷ୍ଟା ଚାଲିଛି । କ୍ୱାରେଣ୍ଟାଇନରେ ଥିବା ରୋଗୀଙ୍କ ଠାରୁ ନିୟମିତ ଭାବେ ନମୁନା ସଂଗ୍ରହ କରାଯାଉଛି ।

ବୈଜ୍ଞାନିକମାନଙ୍କ ମତରେ, ଆଗାମୀ ଦିନରେ ଏହି ଅଧ୍ୟୟନ ମାଧ୍ୟମରେ ଭାଇରସ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରେ । ସଂକ୍ରମିତଙ୍କୁ କେତେ ଦିନ ଅଲଗା ରଖିବା ଆବଶ୍ୟକ, କେଉଁ ସାବଧାନତା ଅବଲମ୍ବନ କରିବା ଦରକାର, ସ୍ତନ୍ୟପାନ କରୁଥିବା ମହିଳା ଓ ଯୌନ ସମ୍ପର୍କ ରଖୁଥିବା ପୁରୁଷମାନେ କିପରି ସଚେତନ ରହିବେ ସେସବୁ ନେଇ ସ୍ପଷ୍ଟ ନିର୍ଦ୍ଦେଶ ମିଳିବ ବୋଲି ଆଶା କରାଯାଉଛି ।

ବର୍ତ୍ତମାନ WHO ଲୋକମାନଙ୍କୁ ସଫା-ସୁତୁରା ରହିବା ଓ ସଚେତନ ହେବାକୁ ପରାମର୍ଶ ଦେଇଛି । ଏହି ଭାଇରସର ଲକ୍ଷଣ ମଧ୍ୟରେ ଜ୍ୱର, ଶୀତ ଲାଗିବା, ଦୁର୍ବଳତା, ମାଂସପେଶୀରେ ବ୍ୟଥା, ବାନ୍ତି, ତରଳ ଝାଡ଼ା ଭଳି ସମସ୍ୟା ଦେଖାଯାଉଛି । ସଂକ୍ରମଣର ୪ରୁ ୧୦ ଦିନ ମଧ୍ୟରେ ଶ୍ୱାସକ୍ରିୟାରେ ସମସ୍ୟା, ଶୁଖିଲା କାଶ ଓ ରକ୍ତଚାପ କମିଯିବା ପରି ଗୁରୁତର ଲକ୍ଷଣ ମଧ୍ୟ ପ୍ରକାଶ ପାଉଛି ।

ସବୁଠାରୁ ଚିନ୍ତାଜନକ କଥା ହେଉଛି, MV Hondius କ୍ରୁଜ୍ ଜାହାଜରେ ଥିବା ଦୁଇ ଜଣ ଭାରତୀୟ ମଧ୍ୟ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କୁ ବର୍ତ୍ତମାନ ନେଦରଲ୍ୟାଣ୍ଡରେ କ୍ୱାରେଣ୍ଟାଇନରେ ରଖାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score