Explore

Search

May 15, 2026 9:51 pm

ବହୁଦିନର ଅପେକ୍ଷାର ଅନ୍ତ : ୬୨ କୋଟିରେ ଛତ୍ରପୁର ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ଛତ୍ରପୁର : ବହୁଦିନର ପ୍ରତୀକ୍ଷା ପରେ ଛତ୍ରପୁର ସହରରେ ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଜାତୀୟ ରାଜପଥ ଉପରେ ଦୈନିକ ବଢ଼ୁଥିବା ଯାନଚଳାଚଳ ଦୁର୍ଘଟଣାକୁ ଦୃଷ୍ଟିରେ ରଖି କଲେଜ ଛକ ଓ ଡିଆରଡିଏ ଛକ ଅଞ୍ଚଳରେ ଏହି ଫ୍ଲାଏଓଭର ନିର୍ମାଣ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଏହି ଅବସରରେ ରାଜ୍ୟ ସରକାରଙ୍କ ଇସ୍ପାତ, ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା କଲେଜ ଛକ ନିକଟରେ ନଡ଼ିଆ ଭାଙ୍ଗି ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ। ଏହାସହ ମନ୍ତ୍ରୀ କହିଥିଲେ ଯେ, ଏହି ଫ୍ଲାଏଓଭର ନିର୍ମାଣ ହେଲେ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବା ସହ ଯାତାୟାତ ବ୍ୟବସ୍ଥା ସୁବିଧାଜନକ ହେବ ଏବଂ ଦୁର୍ଘଟଣା ହାର ମଧ୍ୟ ହ୍ରାସ ପାଇବ।

ଛତ୍ରପୁରର କଲେଜ ଛକ ଏବଂ ଡିଆରଡିଏ ଛକ ଦୀର୍ଘଦିନ ଧରି ଦୁର୍ଘଟଣାପ୍ରବଣ “ବ୍ଲାକ ସ୍ପଟ” ଭାବେ ଚିହ୍ନଟ ହୋଇ ଆସୁଥିଲା। ପ୍ରତିଦିନ ହଜାର ହଜାର ଗାଡ଼ି ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ କଲେଜ ଓ ସ୍କୁଲ ଛାତ୍ରଛାତ୍ରୀ ଜାତୀୟ ରାଜପଥ ପାର ହୋଇ ଯାତାୟାତ କରୁଥିବାରୁ ଛୋଟ ବଡ଼ ଦୁର୍ଘଟଣା ସାଧାରଣ ଘଟଣା ହୋଇପଡ଼ିଥିଲା। ଏନେଇ ସ୍ଥାନୀୟ ଲୋକମାନେ ଦୀର୍ଘଦିନ ଧରି ଫ୍ଲାଏଓଭର ନିର୍ମାଣ ପାଇଁ ଆନ୍ଦୋଳନ ଓ ଦାବି କରିଆସୁଥିଲେ।

ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇ କହିଥିଲେ ଯେ, କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି ସହ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକରୀ ହେଉଛି। ପ୍ରଥମେ ପ୍ରାୟ ୮୬ କୋଟି ୨୩ ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ ହୋଇଥିବା ବେଳେ ବର୍ତ୍ତମାନ ପ୍ରାୟ ୬୨ କୋଟି ୫୦ ଲକ୍ଷ ଟଙ୍କାରେ କାର୍ଯ୍ୟ ସମ୍ପାଦନ ହେବ। ନିର୍ମାଣକାରୀ ସଂସ୍ଥାକୁ ୧୮ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ସମୟସୀମା ଦିଆଯାଇଛି। ଏହାସହ ୧୦ ବର୍ଷ ପର୍ଯ୍ୟନ୍ତ ରକ୍ଷାଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ମଧ୍ୟ ସଂସ୍ଥା ବହନ କରିବ।

ସେ ଆହୁରି କହିଥିଲେ ଯେ, ଗଞ୍ଜାମ ଜିଲ୍ଲାରେ ମୋଟ ୯ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି। ସେଥିମଧ୍ୟରୁ ୩ଟି ଫ୍ଲାଏଓଭର ଏବଂ ୬ଟି ଅଣ୍ଡରପାସ ରହିଛି। ଏହି ସବୁ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଜିଲ୍ଲାରେ ସଡ଼କ ଦୁର୍ଘଟଣା ହାର ଅନେକ ହ୍ରାସ ପାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମଧ୍ୟ ଉପସ୍ଥିତ ରହି କହିଥିଲେ ଯେ, ଏହି ଫ୍ଲାଏ ଓଭର ପାଇଁ ସେ ବହୁବାର ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଦାବି ଜଣାଇଥିଲେ । ଏହା ବ୍ୟତୀତ ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଆହୁରି ୭ଟି ଫ୍ଲାଏଓଭର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ପଠାଯାଇଥିବା ସେ କହିଥିଲେ।

ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡା, ଉପଜିଲ୍ଲାପାଳ ଶିବାଶିଷ ବରାଳ, ତହସିଲଦାର ଦିବ୍ୟା ମହାନ୍ତି, ବିଡିଓ ସମ୍ବିତ ସଂଗ୍ରାମଜିତ ସାହୁ, ଏସ୍‌ଡିପିଓ ଚନ୍ଦନ କୁମାର ଘଡ଼ାଇ, ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସହ ବିଭିନ୍ନ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score