Explore

Search

May 13, 2026 10:35 pm

ପେଟ୍ରୋଲ୍-ଡିଜେଲ୍ ଛାଡ଼ନ୍ତୁ, ଇଭିକୁ ଅଧିକ ଗ୍ରହଣ କରନ୍ତୁ: ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଉପରେ ନିର୍ଭରଶୀଳତା କମାଇ ଇଲେକ୍ଟ୍ରିକ ଭେହିକଲ ବା ଇଭିର ବ୍ୟବହାର ବଢ଼ାଇବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତିଭୂଷଣ ଜେନା। ପରିବେଶ ସୁରକ୍ଷା, ଇନ୍ଧନ ସଞ୍ଚୟ ଓ ଭବିଷ୍ୟତ ପୀଢ଼ି ପାଇଁ ସୁସ୍ଥ ପରିବେଶ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଏବେ ସମସ୍ତଙ୍କୁ ଇଭି ଦିଗକୁ ଆଗୁଆଁ ଆସିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଦେଶରେ ପ୍ରତିଦିନ ବୃଦ୍ଧି ପାଉଥିବା ପେଟ୍ରୋଲ ଓ ଡିଜେଲ ବ୍ୟବହାର ଆର୍ଥିକ ଭାବେ ଦେଶକୁ ଚାପରେ ପକାଉଛି । ଏହାସହିତ ଯାନବାହନରୁ ବାହାରୁଥିବା ଧୂଆଁ ପରିବେଶକୁ ମଧ୍ୟ ଭୟଙ୍କର ଭାବେ ପ୍ରଭାବିତ କରୁଛି । ଏପରି ସ୍ଥିତିରେ ଇଲେକ୍ଟ୍ରିକ୍ ଗାଡ଼ି ବ୍ୟବହାର କରିଲେ ଇନ୍ଧନ ଖର୍ଚ୍ଚ କମିବା ସହ ପରିବେଶ ଦୂଷଣ ମଧ୍ୟ ହ୍ରାସ ପାଇବ।

ସେ ଆହୁରି ସୂଚନା ଦେଇଛନ୍ତି ଯେ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇଭି କ୍ରୟକାରୀଙ୍କୁ ଦିଆଯାଉଥିବା ସବସିଡ୍ ବ୍ୟବସ୍ଥାକୁ ୨୦୨୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହା ଫଳରେ ସାଧାରଣ ଲୋକମାନେ କମ ଖର୍ଚ୍ଚରେ ଇଭି କିଣିବାର ସୁଯୋଗ ପାଇପାରିବେ। ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଧୀରେ ଧୀରେ ଚାର୍ଜିଂ ସୁବିଧା ବୃଦ୍ଧି କରାଯାଉଥିବା କଥା ମଧ୍ୟ ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଇନ୍ଧନ ସଞ୍ଚୟ ଓ ଇଭି ବ୍ୟବହାର ପାଇଁ ପୂର୍ବରୁ ଆହ୍ୱାନ କରିଥିବା ବେଳେ, ସେହି ଦିଗରେ ରାଜ୍ୟ ସରକାର ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି। ତେଲ ଉପରେ ନିର୍ଭରଶୀଳତା କମିଲେ ଦେଶର ଆର୍ଥିକ ସ୍ଥିତି ଆହୁରି ଶକ୍ତିଶାଳୀ ହେବ ବୋଲି ମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

ଏହାସହିତ ପ୍ରଧାନମନ୍ତ୍ରୀଙ୍କ କାରକେଡରେ ଗାଡ଼ି ସଂଖ୍ୟା କମାଇବା ନିଷ୍ପତ୍ତିକୁ ସ୍ୱାଗତ କରି ପରିବହନ ମନ୍ତ୍ରୀ କହିଛନ୍ତି ଯେ, ଜନପ୍ରତିନିଧିମାନେ ସାଧାରଣ ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ଉଚିତ୍। ସେ ନିଜେ ସରକାରୀ ବସରେ ଯାତାୟାତ କରିବେ ବୋଲି କହି ଲୋକଙ୍କୁ ସାଧାରଣ ପରିବହନ ବ୍ୟବହାର ପାଇଁ ମଧ୍ୟ ପ୍ରୋତ୍ସାହିତ କରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score