Explore

Search

May 12, 2026 11:48 pm

ଶ୍ରୀଲଙ୍କାରୁ ସମୁଦ୍ର ପଥେ ପହଁରି ଭାରତ ପହଞ୍ଚି ଇତିହାସ ରଚିଲେ ଦମ୍ପତି

ଇତିହାସ ରଚିଲେ ବେଙ୍ଗାଲୁରୁ ଦମ୍ପତି । ରାମ ସେତୁ ଦେଇ ୧୧ ଘଣ୍ଟାରେ ଶ୍ରୀଲଙ୍କାରୁ ଭାରତରେ ପହଞ୍ଚିଲେ । ଶ୍ରୀଲଙ୍କାରୁ ଭାରତ ପର୍ଯ୍ୟନ୍ତ ସମୁଦ୍ର ପଥରେ ଐତିହାସିକ ପହଁରି ଚର୍ଚ୍ଚାରେ ଆସିଛନ୍ତି ବେଙ୍ଗାଲୁରୁର ଦୁଇ ଆଇଟି ପ୍ରଫେସନାଲ ଡାନିସ୍ ଆବ୍ଦି ଏବଂ ଭ୍ରୁଶାଲି ପ୍ରସାଦେ। ଖୋଲା ସମୁଦ୍ରରେ ପ୍ରାୟ ୩୨ କିଲୋମିଟର ଦୂରତା ପହଁରି ଉଭୟ ଦମ୍ପତି ରଚିଛନ୍ତି ଏକ ନୂଆ ଇତିହାସ। ଐତିହାସିକ ରାମ ସେତୁ ବାଟଦେଇ ଶ୍ରୀଲଙ୍କାର ତଲାଇମନ୍ନାରରୁ ଯାତ୍ରା ଆରମ୍ଭ କରି ତାମିଲନାଡୁର ଧନୁଷକୋଡିରେ ପହଞ୍ଚିଥିଲେ ଏହି ଦମ୍ପତି । ଏହି ସାହସ ଯାତ୍ରା ସମ୍ପୂର୍ଣ୍ଣ କରିବାକୁ ସେମାନଙ୍କୁ ଲାଗିଥିଲା ୧୦ ଘଣ୍ଟା ୪୫ ମିନିଟ୍ ।

ସମୁଦ୍ରର ଉଚ୍ଚ ଢେଉ, ପ୍ରବଳ ସ୍ରୋତ ଓ ବଦଳୁଥିବା ପବନ ସତ୍ତ୍ୱେ ସେମାନେ ହାର ମାନିନଥିଲେ । ଅନେକ ସମୟରେ ସମୁଦ୍ର ସ୍ରୋତ ସେମାନଙ୍କୁ ଲକ୍ଷ୍ୟପଥରୁ ଦୂରକୁ ଠେଲି ଦେଇଥିଲା । କିନ୍ତୁ ଧୈର୍ଯ୍ୟ ଓ ଅତୁଟ ମନୋବଳ ସହ ସେମାନେ ଯାତ୍ରା ଜାରି ରଖିଥିଲେ । ଭୋର ପୂର୍ବରୁ ଅନ୍ଧାର ପାଣିରେ ପହଁରା ଆରମ୍ଭ କରିଥିବା ଏହି ଦମ୍ପତି ଶେଷରେ ଭାରତୀୟ କୂଳରେ ପାଦ ରଖି ନିଜ ସ୍ୱପ୍ନ ସାକାର କରିଥିଲେ।

ଏହି ସମଗ୍ର ଅଭିଯାନରେ ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା । ସପୋର୍ଟ ବୋଟ୍, ପାରାମେଡିକ୍ସ ଓ ଭାରତୀୟ ତଟରକ୍ଷୀ ବାହିନୀ ସେମାନଙ୍କ ସହ ସାରା ଯାତ୍ରାରେ ଥିଲେ । ଦମ୍ପତି ସୋସିଆଲ ମିଡିଆରେ ଏହି ଅଭିଯାନର ଭିଡିଓ ସେୟାର କରି କହିଛନ୍ତି ଯେ, ଦୀର୍ଘଦିନର ପ୍ରସ୍ତୁତି ଓ କଠିନ ତାଲିମର ଏହା ଥିଲା ସବୁଠାରୁ ବଡ଼ ପରୀକ୍ଷା ।

ସୋସିଆଲ ମିଡିଆରେ ଏହି ସଫଳତାକୁ ନେଇ ବ୍ୟାପକ ପ୍ରଶଂସା ଦେଖିବାକୁ ମିଳିଛି । ଅନେକେ ସେମାନଙ୍କ ଧୈର୍ଯ୍ୟ, ଶୃଙ୍ଖଳା ଓ ସାହସକୁ ସଲାମ କରିଛନ୍ତି । ବିଶେଷ କଥା ହେଉଛି, ଡାନିସ୍ ଓ ଭ୍ରୁଶାଲି ଦୁହେଁ ସଫ୍ଟୱେର କ୍ଷେତ୍ରରେ କାମ କରୁଥିବା ସତ୍ତ୍ୱେ କେବଳ ଚାରି ବର୍ଷ ତଳେ ଗମ୍ଭୀର ଭାବେ ପହଁରା ତାଲିମ ଆରମ୍ଭ କରିଥିଲେ । ଏବେ ସେମାନଙ୍କର ଏହି ସଫଳତା ଭାରତୀୟ ଖୋଲା ଜଳ ପହଁରା ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ଭାବେ ଯୋଗ ହୋଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score