Explore

Search

May 9, 2026 7:14 pm

ଭାଇ ପରେ ଭଉଣୀଙ୍କ ପାଳି ! ରାଜନୀତିରେ ଅହଙ୍କାରର ଅନ୍ତ କେମିତି ହୁଏ, ପୁଣି ଦେଖିଲା ଦେଶ

ଭୁବନେଶ୍ୱର : ଭାଇ ପରେ ଭଉଣୀଙ୍କ ପାଳି । ଭାଇଙ୍କ ସରକାର ଭାଙ୍ଗିବାର ଠିକ ୨ ବର୍ଷ ପରେ ଭାଙ୍ଗିଗଲା ଭଉଣୀଙ୍କର ସରକାର। କିଛି ଶିଖିପାରିଲେନି ମମତା । ଯେଉଁ ଭୁଲ ଭାଇ କରିକି ବିଦା ହେଲେ ସେଇ ଭୁଲ ଭଉଣୀ ବି କରି ବିଦା ହେଲେ। ଆଉ ରାଜନୀତିରେ ଅହଙ୍କାରର ଅନ୍ତ କେମିତି ହୁଏ, ପୁଣି ଥରେ ଦେଖିଲା ଦେଶ ।

୨୦୨୪ରେ ଓଡ଼ିଶାରେ ବିଜୁ ଜନତା ଦଳର ଦୀର୍ଘ ୨୪ ବର୍ଷର ଶାସନର ଅବସାନ ଘଟିଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲୁଥିବା ସରକାର ଜନମତରେ ପରାଜିତ ହୋଇଥିଲା। ଠିକ୍ ଦୁଇ ବର୍ଷ ପରେ ଅର୍ଥାତ ୨୦୨୬ରେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ମଧ୍ୟ ସେହି ଅବସ୍ଥାର ସମ୍ମୁଖୀନ ହେଲା। ଦୀର୍ଘ ସମୟ ଧରି କ୍ଷମତାରେ ରହିଥିବା ଏହି ଦୁଇ ଆଞ୍ଚଳିକ ଦଳ ପତନକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି ।

ରାଜନୈତିକ ସମୀକ୍ଷକମାନଙ୍କ ମତରେ, ଦୀର୍ଘଦିନର ଶାସନ ପରେ ଦଳଗୁଡ଼ିକ ଜନସାଧାରଣଙ୍କ ସହ ଯୋଗାଯୋଗ ହରାଇବା ଆରମ୍ଭ କରିଥିଲେ। ଅହଙ୍କାର, ଦଳୀୟ ନେତାମାନଙ୍କ ବିବାଦୀୟ ଆଚରଣ, ଦୁର୍ନୀତି ଅଭିଯୋଗ ଓ ସାଧାରଣ ଲୋକଙ୍କ ଅସନ୍ତୋଷ ଶେଷରେ ଏହି ଦୁଇ ଶକ୍ତିଶାଳୀ ଦଳ ପାଇଁ ଘାତକ ସାବ୍ୟସ୍ତ ହେଲା।

ରାଜ୍ୟରେ ଦୁର୍ନୀତି ଓ ଅନିୟମିତତାକୁ ନେଇ ଜନଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଲା। ଅପରାଧୀମାନଙ୍କ ଦାଦାଗିରି, ନାରୀଙ୍କ ଉପରେ ବଢୁଥିବା ଅତ୍ୟାଚାର ଏବଂ ସାଧାରଣ ଲୋକଙ୍କୁ ରାଜନୈତିକ ଚାପରେ ହେରାସାନ କରାଯାଉଥିବା ଅଭିଯୋଗ ସରକାରଙ୍କ ବିରୋଧରେ ମାହୋଲ ସୃଷ୍ଟି କରିଥିଲା। ଏହି ସମସ୍ତ ପରିସ୍ଥିତି ଶେଷରେ ଜନମତକୁ ପ୍ରଭାବିତ କରିଥିଲା ଏବଂ ୨୦୨୪ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ସରକାରକୁ କ୍ଷମତାରୁ ବାହାର କରିଦେଇଥିଲା।

ଦୁଇ ବର୍ଷର ଏହି ଅବଧି ମଧ୍ୟରେ ଅନେକ ରାଜନୈତିକ ପରିବର୍ତ୍ତନ ଦେଖାଗଲା। ଯଦି ମମତା ବାନାର୍ଜୀ ଓଡ଼ିଶାରେ ବିଜେଡି ସରକାରର ପତନ ପଛରେ ଥିବା କାରଣଗୁଡ଼ିକୁ ଗଭୀର ଭାବେ ବିଶ୍ଳେଷଣ କରିଥାନ୍ତେ ଏବଂ ସେଠାରୁ ଶିକ୍ଷା ନେଇ ନିଜ ସରକାର ଓ ଦଳୀୟ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥାନ୍ତେ, ତେବେ ସମ୍ଭବତଃ ଆଜିର ପରିସ୍ଥିତି ଦେଖିବାକୁ ପଡ଼ୁନଥାନ୍ତା।

କ୍ଷମତାର ଦୀର୍ଘ ଯାତ୍ରା ମଧ୍ୟରେ ମମତା ବାନାର୍ଜୀଙ୍କ ନେତୃତ୍ୱ ଏମିତି ଏକ ଛବି ସୃଷ୍ଟି କରିଥିଲା, ଯେଉଁଠାରେ ଦଳ ଓ ସରକାର ପ୍ରାୟ ତାଙ୍କ ବ୍ୟକ୍ତିତ୍ୱକୁ କେନ୍ଦ୍ର କରି ଘୁରୁଥିବା ଭାବ ପ୍ରକାଶ ପାଉଥିଲା। ଅନେକଙ୍କ ମତରେ, ଏହି ଅତ୍ୟଧିକ ଆତ୍ମବିଶ୍ୱାସ ଓ କ୍ଷମତାର ପ୍ରଭାବ ତାଙ୍କୁ ବାସ୍ତବ ଜନମତରୁ ଦୂର କରିଦେଇଥିଲା । ଏକ ସମୟରେ ଏମିତି ପରିସ୍ଥିତି ତିଆରି ହୋଇଥିଲା ଯେ, “ପଶ୍ଚିମବଙ୍ଗବାସୀ ମମତା ଓ ମମତା ମାନେ ପଶ୍ଚିମବଙ୍ଗ” ଏହି ଧାରଣା ଦଳୀୟ ରାଜନୀତିରେ ଗଭୀର ଭାବେ ପ୍ରଭାବ ପକାଇଥିଲା।

ଇତିହାସ କୁହେ କି ବିଜେଡି ଓ ତୃଣମୂଳ କଂଗ୍ରେସ ଉଭୟ ଦଳ ଏକ ସମୟରେ ଜନଆନ୍ଦୋଳନର ଫଳ ଭାବେ ଜନ୍ମ ନେଇଥିଲା। ସେତେବେଳେ ଲୋକମାନେ ପୁରୁଣା ଶାସନ ବ୍ୟବସ୍ଥାରେ ବିରକ୍ତ ହୋଇ ନୂଆ ବିକଳ୍ପ ଖୋଜୁଥିଲେ। କିନ୍ତୁ ସମୟ ବିତିବା ସହିତ ସେହି ଦଳମାନଙ୍କ ଉପରେ ମଧ୍ୟ ଶାସନୀୟ ଅହଙ୍କାର ଓ ଦୁର୍ନୀତିର ଛାପ ପଡ଼ିଲା ବୋଲି ବିରୋଧୀମାନେ ଅଭିଯୋଗ କରୁଛନ୍ତି ।

ଗଣତନ୍ତ୍ରରେ ଜନତା ସବୁବେଳେ ଚୁପ୍ ରହିଥାନ୍ତି ନାହିଁ। ସେମାନେ ଅପେକ୍ଷା କରନ୍ତି ଠିକ୍ ସମୟର। ଆଉ ନିର୍ବାଚନ ହେଉଛି ସେହି ସମୟ, ଯେଉଁଠାରେ ଭୋଟରମାନେ ନିଜର ରାୟ ଦେଇ ଶାସକଙ୍କୁ ମାଟିକୁ ଆଣିଦେଇଥାନ୍ତି। ଯେଉଁ ନେତାମାନେ ନିଜକୁ ଜନସେବକ ପରିବର୍ତ୍ତେ ଶାସକ ଭାବିବା ଆରମ୍ଭ କରନ୍ତି, ଜନତା ସେମାନଙ୍କୁ ଶେଷରେ ଉଚିତ୍ ଉତ୍ତର ଦେଇଥାନ୍ତି।

ଦେଶର ରାଜନୀତିରେ ଏଭଳି ଘଟଣା ନୂଆ ନୁହେଁ। ଉତ୍ତର ପ୍ରଦେଶରେ ମାୟାବତୀ ଓ ଅଖିଳେଶ ଯାଦବ, ତେଲେଙ୍ଗାନାରେ କେସିଆର, ଆନ୍ଧ୍ରପ୍ରଦେଶରେ ଜଗନ ମୋହନ ରେଡ୍ଡି, ତାମିଲନାଡୁରେ ଜୟଲଳିତାଙ୍କ ଦଳ ଅନେକ ଆଞ୍ଚଳିକ ଶକ୍ତି ଜନମତର ଝଟକା ଖାଇଛନ୍ତି। ଏବେ ସେହି ତାଲିକାରେ ବିଜେଡି ପରେ ତୃଣମୂଳ କଂଗ୍ରେସର ନାମ ଯୋଡ଼ାଯାଇଛି।

ପଶ୍ଚିମବଙ୍ଗର ନୂତନ ରାଜନୈତିକ ପରିବର୍ତ୍ତନ ପୁଣିଥରେ ସେହି ସତ୍ୟକୁ ସ୍ମରଣ କରାଇଛି ରାଜନୀତି ହେଉଛି ଜନସେବାର ମାଧ୍ୟମ, କ୍ଷମତା ପ୍ରଦର୍ଶନର ଅସ୍ତ୍ର ନୁହେଁ। ଜନତାଙ୍କ ଆଶା ଓ ଭରସାକୁ ଅଣଦେଖା କଲେ, କେତେ ବଡ଼ ଦୁର୍ଗ ହେଉନାହିଁ, ଦିନେ ନା ଦିନେ ତାହା ଭାଙ୍ଗି ପଡ଼ିଥାଏ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score