Explore

Search

May 8, 2026 9:13 pm

ଓଡ଼ିଶାରେ ଜଳ ପର୍ଯ୍ୟଟନକୁ ନୂଆ ଉଡାଣ, ସମୁଦ୍ରତଟରେ ଆରମ୍ଭ ହେଲା ଦୁଃସାହସିକ କ୍ରୀଡ଼ା ପ୍ରକଳ୍ପ ଯାଞ୍ଚ

ଭୁବନେଶ୍ୱର : ଓଡ଼ିଶାରେ ଦୁଃସାହସିକ ଜଳ ପର୍ଯ୍ୟଟନକୁ ନୂଆ ଗତି ଦେବା ପାଇଁ ପର୍ଯ୍ୟଟନ ବିଭାଗ ବିଭିନ୍ନ ସମୁଦ୍ରତଟ ଓ ଜଳାଶୟ ଅଞ୍ଚଳରେ ପ୍ରସ୍ତାବିତ ଜଳକ୍ରୀଡ଼ା ପ୍ରକଳ୍ପଗୁଡ଼ିକର ଯାଞ୍ଚ ଅଭିଯାନ ଆରମ୍ଭ କରିଛି । ସୁରକ୍ଷା, ପ୍ରାୟୋଗିକ ବ୍ୟବସ୍ଥା ଓ ପରିବେଶ ସମନ୍ୱୟକୁ ଗୁରୁତ୍ୱ ଦେଇ ଏହି ପରିଦର୍ଶନ କାର୍ଯ୍ୟକ୍ରମ ଚାଲିଛି ।

ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ପୁରୀ, ଗଞ୍ଜାମ, ଜଗତସିଂହପୁର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଯାଞ୍ଚ କାର୍ଯ୍ୟ ଚାଲିଛି । ଜିଲ୍ଲାପାଳମାନଙ୍କୁ ଯାଞ୍ଚ ଦଳକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବାକୁ କୁହାଯାଇଛି ।

‘ଗୋ ଆଡଭେଞ୍ଚର ପୋର୍ଟାଲ’ ମାଧ୍ୟମରେ ଜଳଭିତ୍ତିକ ଦୁଃସାହସିକ ପର୍ଯ୍ୟଟନ ପାଇଁ ଆସିଥିବା ନୂତନ ପ୍ରସ୍ତାବ ଗୁଡ଼ିକର ଭୂମିସ୍ତରରେ ଯାଞ୍ଚ କରାଯାଉଛି । ଏହା ‘ଓଡ଼ିଶା ଆଡଭେଞ୍ଚର ଟୁରିଜମ ଗାଇଡଲାଇନ୍ସ-୨୦୨୫’ ଅନୁଯାୟୀ କରାଯାଉଥିବା ବେଳେ, ସୁରକ୍ଷା ମାନଦଣ୍ଡ ଓ ପ୍ରାକୃତିକ ପରିବେଶ ସହ ସମନ୍ୱୟକୁ ବିଶେଷ ଗୁରୁତ୍ୱ ଦିଆଯାଉଛି।
ଯୁଗ୍ମ ଯାଞ୍ଚ ଦଳରେ ଗୋଆସ୍ଥିତ ଜାତୀୟ ଜଳକ୍ରୀଡ଼ା ସଂସ୍ଥାନର ବିଶେଷଜ୍ଞ, ପର୍ଯ୍ୟଟନ ବିଭାଗର ଟେକ୍ନିକାଲ ସେଲ୍ ପ୍ରତିନିଧି ଏବଂ ଜିଲ୍ଲା ସ୍ତରୀୟ କମିଟିର ସଦସ୍ୟମାନେ ସାମିଲ ହୋଇଛନ୍ତି । ମେ’ ୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ପରିଦର୍ଶନ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି।

କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ଥିବା ଜଳକ୍ରୀଡ଼ା ପ୍ରକଳ୍ପର ପୁନଃ ସମୀକ୍ଷା କରାଯାଇଥିବା ବେଳେ, ପୁରୀ ସମୁଦ୍ରତଟ ଓ ନୂଆ ନଦୀ ଅଞ୍ଚଳରେ ପ୍ରସ୍ତାବିତ ଜଳକ୍ରୀଡ଼ା ପ୍ରକଳ୍ପଗୁଡ଼ିକର ମଧ୍ୟ ଯାଞ୍ଚ ହୋଇଛି। ପୁରୀ ବେଳାଭୂମିରେ କିଛି ବେସରକାରୀ ସଂସ୍ଥା ପକ୍ଷରୁ ଦାଖଲ ହୋଇଥିବା ଜେଟ୍ ସ୍କି, ବୋଟିଂ ଓ ଅନ୍ୟାନ୍ୟ ଜଳକ୍ରୀଡ଼ା ପ୍ରକଳ୍ପର ଭିତ୍ତିଭୂମି ମଧ୍ୟ ଯାଞ୍ଚ କରାଯାଇଛି ।

ଆସନ୍ତା ଦିନରେ ଗୋପାଳପୁର ବେଳାଭୂମି ଓ ପାରାଦୀପ ଅଞ୍ଚଳରେ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକର ସ୍ଥଳ ପରିଦର୍ଶନ ହେବ। ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ କମିଟି ରିପୋର୍ଟ ଆଧାରରେ ପ୍ରକଳ୍ପ ଗୁଡ଼ିକୁ ରାଜ୍ୟସ୍ତରୀୟ ଟେକ୍ନିକାଲ କମିଟି ସମ୍ମୁଖରେ ଉପସ୍ଥାପନ କରାଯିବ।

ରାଜ୍ୟ ସରକାର ସମୁଦ୍ରତଟ, ହ୍ରଦ ଓ ଡ୍ୟାମ ଅଞ୍ଚଳକୁ ଦୁଃସାହସିକ ପର୍ଯ୍ୟଟନର ନୂଆ କେନ୍ଦ୍ରରୂପେ ବିକଶିତ କରିବାକୁ ଯୋଜନା କରୁଛନ୍ତି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଜଳକ୍ରୀଡ଼ା ସହିତ ସ୍ଥାନୀୟ ଯୁବକମାନଙ୍କ ପାଇଁ ନୂଆ ରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score