Explore

Search

April 13, 2026 11:08 pm

ଅତୀତରୁ ଆଧୁନିକତା : ଭୁବନେଶ୍ୱରର ଅଦ୍ଭୁତ ଯାତ୍ରା

ଭୁବନେଶ୍ୱର : ୭୮ ବର୍ଷ ବୟସରେ ପାଦ ଥାପିଲା ଭୁବନେଶ୍ୱର । ସମୟ ସହ ବଦଳିଛି ପରିବେଶ । ତଥାପି ମନେ ରଖିଛି ଇତିହାସ । ପ୍ରାୟ ଆଠ ଦଶକର ଦୀର୍ଘ ପଥଚଲା ପରେ ଓଡ଼ିଶାର ହୃଦୟକେନ୍ଦ୍ର ଭୁବନେଶ୍ୱର ଆଜି ନୂତନ ଉଚ୍ଚତାକୁ ସ୍ପର୍ଶ କରିଛି। ଦିନେ ଘଞ୍ଚ ଜଙ୍ଗଲ ଓ ନିରବ ପରିବେଶ ଥିଲା, ସେଠାରେ ଆଜି ଉଭା ହୋଇଛି ଆଧୁନିକ ଅଟ୍ଟାଳିକା ଓ ବ୍ୟସ୍ତ ନଗର ଜୀବନ। ମନ୍ଦିରର ସହର ଭାବେ ପରିଚିତ ଏହି ନଗର ଏବେ ଆଧୁନିକ ଯୋଜନାବଦ୍ଧ ନଗରୀର ଚିହ୍ନ ହୋଇଯାଇଛି ।

ଏହି ସହର ସହ ଅନେକ ଲୋକଙ୍କ ଭାବନା ଜଡିତ । କାହାର ଶୈଶବର ସ୍ମୃତି, କାହାର ସ୍ବପ୍ନର ଆରମ୍ଭ। ପୁରୁଣା ସହରର ସଂକୀର୍ଣ୍ଣ ଗଳିରେ ଇତିହାସ ଆଜିବି ଜୀବନ୍ତ ଅଛି । ଯେଉଁଠାରେ ନୂତନ ଅଞ୍ଚଳର ଚଉଡ଼ା ରାସ୍ତା ଓ ଉନ୍ନତ ପରିବେଶ ଆଧୁନିକତାର କଥା କହେ।

ଏକ ସାଧାରଣ ଅଞ୍ଚଳରୁ ଆରମ୍ଭ ହୋଇଥିବା ଏହି ନଗର ଆଜି ବିକାଶର ଅନେକ ପର୍ଯ୍ୟାୟ ଦେଖିଛି। ସାଧାରଣ ଯାନବାହନରୁ ଆରମ୍ଭ କରି ଉନ୍ନତ ଯାତାୟାତ ବ୍ୟବସ୍ଥା ପର୍ଯ୍ୟନ୍ତ ସବୁ କିଛିରେ ଦୃଶ୍ୟମାନ ହେଉଛି ପରିବର୍ତ୍ତନ। ଭିଡ଼, ଉଚ୍ଚ ଅଟ୍ଟାଳିକା, ବ୍ୟବସାୟିକ କେନ୍ଦ୍ର ଓ ଚକାଚକ ରାସ୍ତା ମଧ୍ୟରେ ଏହି ସହର ଆଜି ଏକ ବିଶିଷ୍ଟ ପରିଚୟ ଗଢ଼ିଛି ।

ଇତିହାସ ଅନୁଯାୟୀ, ୧୯୪୦ ଦଶକର ଶେଷ ଦିଗରେ ଭୁବନେଶ୍ୱର ସହରକୁ ରାଜଧାନୀ ଭାବେ ଗଢ଼ିବାର ପ୍ରସ୍ତାବ ଦିଆଯାଇଥିଲା । ପରେ ଜବାହାରଲାଲ ନେହରୁଙ୍କ ଦ୍ୱାରା ଏହାର ଭିତ୍ତି ପ୍ରସ୍ତର ସ୍ଥାପିତ ହେବା ସହ ଆରମ୍ଭ ହୋଇଥିଲା ନୂଆ ଅଧ୍ୟାୟ। ସେତେବେଳେ ଛୋଟ ଅଞ୍ଚଳ ଓ ସୀମିତ ଲୋକସଂଖ୍ୟା ସହିତ ଆରମ୍ଭ ହୋଇଥିବା ଏହି ସହର ଆଜି ଲକ୍ଷାଧିକ ଲୋକଙ୍କ ନିବାସସ୍ଥଳୀ ହୋଇପାରିଛି।

ବର୍ତ୍ତମାନ ଏହି ନଗର କ୍ରୀଡ଼ା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଗୁରୁତ୍ୱ ଅର୍ଜନ କରିଛି। ଏହା କେବଳ ଏକ ପ୍ରଶାସନିକ କେନ୍ଦ୍ର ନୁହେଁ, ବରଂ ସମ୍ଭାବନା ଓ ସ୍ବପ୍ନର ନଗରୀ।

ଛୋଟ ଚାରାରୁ ବଡ଼ ବୃକ୍ଷର ରୂପ ନେବା ପରି, ଏହି ସହର ମଧ୍ୟ ଧୀରେ ଧୀରେ ଉନ୍ନତିର ଶିଖରକୁ ପହଞ୍ଚିଛି। ଏହି ଅଗ୍ରଗତିରେ ନେତୃତ୍ୱ, ପ୍ରଶାସନ ଓ ସାଧାରଣ ଲୋକଙ୍କ ସାମୁହିକ ପ୍ରୟାସ ଅତ୍ୟନ୍ତ ମୂଲ୍ୟବାନ। ଆଗାମୀ ଦିନରେ ମଧ୍ୟ ଏହି ଉନ୍ନତିର ଯାତ୍ରା ଅବିରତ ଚାଲିଥିବାର ଆଶା ରହିଛି।

୧୯୪୮ ମସିହାରେ ଆଜିର ଦିନରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ନେତୃତ୍ୱରେ ଭୁବନେଶ୍ୱରକୁ ଏକ ନୂତନ ରାଜଧାନୀ ସହର ଭାବେ ଗଢ଼ି ତୋଳାଯାଇଥିଲା । ଏହି ସୁନିୟୋଜିତ ସହରର ଡିଜାଇନ୍ ପ୍ରସ୍ତୁତ କରିଥିଲେ ଜର୍ମାନ ନିର୍ମାତା ଓଟୋ କୋନିଗ୍ସବର୍ଗର । ଆରମ୍ଭରେ ପ୍ରାୟ ୪ ଲକ୍ଷ ଲୋକଙ୍କ ସହିତ ଗଢ଼ିଉଠିଥିବା ଏହି ସହର, କ୍ରମେ ବିକାଶର ପଥରେ ଅଗ୍ରସର ହୋଇ ଆଜି ପ୍ରାୟ ୧୫ ଲକ୍ଷ ଜନସଂଖ୍ୟାକୁ ଆଶ୍ରୟ ଦେଉଛି । ସମୟ ସହିତ ଭୁବନେଶ୍ୱରର ଚିତ୍ର ମଧ୍ୟ ବଦଳିଛି । ପୂର୍ବରୁ ହରିତମାରେ ଭରିଥିବା ସହରଟି ଏବେ ଉଚ୍ଚ ଅଟ୍ଟାଳିକା ଓ ଆଧୁନିକ ଢାଞ୍ଚାରେ ଭରିଥିବା ଏକ କଂକ୍ରିଟ ଏବେ ନଗରୀରେ ପରିଣତ ହୋଇଛି ।

ଅନ୍ୟପକ୍ଷରେ ପ୍ରତିବର୍ଷର ପରମ୍ପରାକୁ ଅନୁସରଣ କରି, ଏହିବର୍ଷ ମଧ୍ୟ ବିଭିନ୍ନ ମାନଚିତ୍ରରେ ସ୍ୱତନ୍ତ୍ର କୃତିତ୍ୱ ଦେଖାଇଥିବା ବ୍ୟକ୍ତିତ୍ୱମାନଙ୍କୁ ‘ରାଜଧାନୀ ଗୌରବ’ ସମ୍ମାନରେ ସମ୍ମାନିତ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀଯୁକ୍ତ ହରିବାବୁ କମ୍ଭମପତିଙ୍କ ହସ୍ତେ ଏହି ସମ୍ମାନ ପ୍ରଦାନ ହେବ।

ଏହାସହିତ, ଏହିବର୍ଷ ଏକ ନୂତନ ପରମ୍ପରାର ଆରମ୍ଭ ହୋଇଛି। ଲିଙ୍ଗରାଜ ମହାପ୍ରଭୁଙ୍କର ଆଶୀର୍ବାଦର ପ୍ରତୀକ ଭାବେ ଏକ ପବିତ୍ର ମଶାଲ ମନ୍ଦିର ପରିସରରୁ ଆଣି ପ୍ରଥମ ଥର ପ୍ରତିଷ୍ଠା ଦିବସ ଅବସରରେ ପ୍ରଜ୍ୱଳିତ କରାଯାଇଛି। ଏହି ପଦକ୍ଷେପ ସମାରୋହକୁ ଆଧ୍ୟାତ୍ମିକ ଓ ପାରମ୍ପରିକ ଗୌରବରେ ଅଧିକ ଶୋଭାୟମାନ କରିଛି।

୭୮ତମ ରାଜଧାନୀ ପ୍ରତିଷ୍ଠା ଉତ୍ସବ ଅବସରରେ ପୁରୁଣା ଓ ଆଧୁନିକ ଭୁବନେଶ୍ୱରର ଐତିହ୍ୟ, ସଂସ୍କୃତି ଓ ସ୍ମୃତିମୟ ମୁହୂର୍ତ୍ତ ଗୁଡ଼ିକୁ ଉଜାଗର କରୁଥିବା ଏକ ବିଶେଷ ଫଟୋ ପ୍ରଦର୍ଶନୀ ଜୟଦେବ ଭବନରେ ଆୟୋଜିତ ହୋଇଛି। ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ସହ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ମିଶି ଏହି କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି।

ପ୍ରଦର୍ଶନୀର ଉଦଘାଟନ ପରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ ଏହାକୁ ପରିଦର୍ଶନ କରି, ‘ମନ୍ଦିରମାଳିନୀ’ ଭୁବନେଶ୍ୱରର ଐତିହ୍ୟ ଓ ପରମ୍ପରାକୁ ଫଟୋ ମାଧ୍ୟମରେ ନିକଟରୁ ଅନୁଭବ କରିଥିଲେ। ଏହି ପ୍ରଦର୍ଶନୀ ନଗରର ଗୌରବମୟ ଅତୀତକୁ ସ୍ମରଣ କରାଇବା ସହ ନୂଆ ପୀଢ଼ିକୁ ଏହାର ସମୃଦ୍ଧ ଐତିହ୍ୟ ସମ୍ପର୍କରେ ସଚେତନ କରୁଛି । ତେବେ ଚଳିତବର୍ଷ ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ପାଳନ ହେବ ରାଜଧାନୀ ପ୍ରତିଷ୍ଠା ଦିବସ ।

କ’ଣ କୁହେ ଇତିହାସ :

ଭୁବନେଶ୍ୱର ନାମର ମୂଳ ଉତ୍ସ ହେଉଛି ଭଗବାନ ଶିବଙ୍କ ‘ତ୍ରିଭୁବନେଶ୍ୱର’ ନାମ। ଯେଉଁଥିରୁ ଏହି ନଗରୀର ପରିଚୟ ଗଢ଼ି ଉଠିଛି । ପ୍ରାଚୀନ କାଳରୁ ଏହି ଅଞ୍ଚଳର ଐତିହ୍ୟ ବହୁ ପୁରୁଣା । ଯାହାକି ପ୍ରାୟ ୩୦୦୦ ବର୍ଷ ପୂର୍ବରୁ ମହାମେଘବାହନ ଚେଦି ବଂଶର ଶାସନ ସମୟରୁ ଆରମ୍ଭ ହୋଇଥିବା ବୋଲି କୁହାଯାଏ। ସେମାନଙ୍କର ରାଜଧାନୀ ଏବେର ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ଼ରେ ଅବସ୍ଥିତ ଥିଲା ।

ଏହି ଐତିହ୍ୟବାହୀ ସହର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ‘ମନ୍ଦିର ମାଳିନୀ ନଗରୀ’ ପରି ବିଭିନ୍ନ ନାମରେ ଖ୍ୟାତିଲାଭ କରିଛି । ଭାରତ ସ୍ୱାଧୀନତା ପାଇବା ପରେ, ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତର ହେବା ସହିତ ଏହାର ଗୁରୁତ୍ୱ ବଢ଼ିଥିଲା। ଏବେ ଭୁବନେଶ୍ୱର ଓ କଟକ ମିଶି ‘ଟ୍ୱିନ ସିଟି’ ଭାବେ ପରିଚିତ।

ଆଧୁନିକ ଭୁବନେଶ୍ୱର ଗଢ଼ି ତୋଳିବା ପାଇଁ ୧୯୪୬ ମସିହାରେ ଜର୍ମାନ ସ୍ଥପତି ଅଟୋ କଏନିଗ୍ସବର୍ଗର ଏକ ସୁନିୟୋଯିତ ନକ୍ସା ପ୍ରସ୍ତୁତ କରିଥିଲେ। ଏହାର ଆଧାରରେ ୧୯୪୮ ଅପ୍ରେଲ ୧୩ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ହସ୍ତେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ସ୍ଥାପିତ ହୋଇଥିଲା। ବର୍ତ୍ତମାନ ସେହି ଫଳକଟି ବିଧାନସଭା ନିକଟରେ ସ୍ମୃତିଚିହ୍ନ ଭାବେ ରହିଛି।

ସେବେ ଠାରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖକୁ ‘ଭୁବନେଶ୍ୱର ପ୍ରତିଷ୍ଠା ଦିବସ’ ଭାବେ ପାଳନ କରାଯାଉଛି । ପ୍ରାରମ୍ଭିକ ଯୋଜନା ଅନୁଯାୟୀ, ପ୍ରଥମ ଦଶକରେ ସହରର ଜନସଂଖ୍ୟା ୧୫ ହଜାରରୁ ୪୦ ହଜାର ପର୍ଯ୍ୟନ୍ତ ବୃଦ୍ଧି ଓ କ୍ଷେତ୍ରଫଳ ପ୍ରାୟ ୧୩୨ ବର୍ଗ କିଲୋମିଟର ହେବାର ଆକଳନ କରାଯାଇଥିଲା । ଯାହା ଭବିଷ୍ୟତରେ ଏକ ସୁନିୟୋଯିତ ନଗର ଗଢ଼ିବାର ଭିତି ତିଆରି କରିଥିଲା ।
ଭୁବନେଶ୍ୱରର ଯୋଜନାବଦ୍ଧ ଉନ୍ନତିକୁ ଗତି ଦେବା ପାଇଁ ପ୍ରଥମେ ଜଣେ “ବିଶେଷ ପ୍ରୟୋଜନା ଅଧିକାରୀ”ଙ୍କୁ ନିଯୁକ୍ତ କରାଯାଇଥିଲା। ସହରର ଜନସଂଖ୍ୟା ଦିନକୁଦିନ ବଢ଼ିବା ସହିତ, ପରେ ଏଠାରେ ମୁନିସିପାଲିଟି ବ୍ୟବସ୍ଥା ପ୍ରବର୍ତ୍ତନ କରାଗଲା। ଏହାପରେ, ଭୁବନେଶ୍ୱର ସହ ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳକୁ ସମ୍ମିଳିତ କରି “ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା (ବ୍ରିଟ)” ଗଠନ ହେଲା, ଯାହା ଅଞ୍ଚଳୀୟ ଯୋଜନା ଓ ବିକାଶକୁ ସମନ୍ୱୟ କରୁଥିଲା ।
ପରବର୍ତ୍ତୀ ପର୍ଯ୍ୟାୟରେ, ସହରର ବିକାଶକୁ ଆହୁରି ସୁଦୃଢ କରିବା ପାଇଁ ମୁନିସିପାଲ କର୍ପୋରେସନ ସହ ପାଶ୍ୱର୍ବର୍ତ୍ତୀ ଗ୍ରାମାଞ୍ଚଳକୁ ଯୋଡ଼ି “ଭୁବନେଶ୍ୱର ଉନ୍ନୟନ ସଂସ୍ଥା (ବିଡିଏ)” ଗଠନ କରାଯାଇଥିଲା । ଯାହା ସହର ଯୋଜନା ଓ ଆଧୁନିକୀକରଣରେ ମୁଖ୍ୟ ଭୂମିକା ନେଉଛି ।

ଐତିହ୍ୟ ଓ ସଂସ୍କୃତିରେ ଗଢ଼ି ଉଠିଥିବା ଭୁବନେଶ୍ୱର ଆଜି ଆଧୁନିକତାର ନୂଆ ଚିହ୍ନ ରଚିଛି । ସ୍ୱାସ୍ଥ୍ୟ, ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଏହି ସହର ଏକ ମୁଖ୍ୟ କେନ୍ଦ୍ର ଭାବେ ଉଭା ହୋଇଛି । ଚାକିରି ସୁଯୋଗ ପାଇଁ ମଧ୍ୟ ଅନେକ ଲୋକଙ୍କ ପ୍ରଥମ ପସନ୍ଦ ହୋଇଉଠିଛି ଏହି ରାଜଧାନୀ । ଯାହା ହଜାର ହଜାର ଯୁବକ-ଯୁବତୀଙ୍କୁ ଜୀବିକାର ଅବସର ଦେଇଆସୁଛି।
‘ମନ୍ଦିରର ସହର’ ଭାବରୁ ଆରମ୍ଭ କରି ‘ସ୍ମାର୍ଟ ସିଟି’ ପର୍ଯ୍ୟନ୍ତ ଯାତ୍ରା କରିଥିବା ଭୁବନେଶ୍ୱର ଆଗାମୀ ଦିନରେ ଏକ ହାଇଟେକ୍ ସିଟି ଭାବେ ଆତ୍ମପ୍ରକାଶ କରିବାକୁ ଯାଉଛି। ସହରର ଦ୍ରୁତ ବିକାଶ ସହିତ, ମେଟ୍ରୋ ସହରର ସ୍ୱପ୍ନ ମଧ୍ୟ ଶୀଘ୍ର ତଥ୍ୟରେ ପରିଣତ ହେବାର ଆଶା ଉଇଁଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score