Explore

Search

May 30, 2026 7:51 pm

ସରିଲା ପ୍ରସ୍ତୁତି : ଆଉ ଦିନକ ପରେ ଆରମ୍ଭ ହେବ ଛତ୍ରପୁର ମହୋତ୍ସବ

ଛତ୍ରପୁର : ଆଉ ମାତ୍ର ଗୋଟିଏ ଦିନ, ଏହାପରେ କମ୍ପିବ ଛତ୍ରପୁର । କାରଣ ଆସନ୍ତା ୧ ତାରିଖରୁ “ଛତ୍ରପୁର ମହୋତ୍ସବ” ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆୟୋଜିତ ହେବାକୁ ଯାଉଛି । ଏନେଇ ସମସ୍ତ ପ୍ରସ୍ତୁତି ଶେଷପର୍ଯ୍ୟାରେ ପହଞ୍ଚିଲାଣି । ଛତ୍ରପୁର ମହୋତ୍ସବ କିଭଳି ଶାନ୍ତି ଶୃଙ୍ଖଳା ସହ ଶେଷ ହେବ ସେ ନେଇ ଜିଲ୍ଲାର ସମ୍ବନ୍ଧିତ ବିଭାଗମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି. କୀର୍ତ୍ତିଭାସନ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ଜୁନ ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ପରମ୍ପରା, କୃଷି, ସଂସ୍କୃତି ଓ ସରକାରୀ ଯୋଜନାର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳିବ। ଚଳିତ ବର୍ଷ ମହୋତ୍ସବର ମୁଖ୍ୟ ଆକର୍ଷଣ ଭାବେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସହିତ ଛତ୍ରପୁର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଆୟୋଜନ କରାଯିବ। ଚାଷୀମାନଙ୍କ ପାଇଁ ନୂତନ କୃଷି ପ୍ରଯୁକ୍ତି, ଆଧୁନିକ ଯନ୍ତ୍ରପାତି ଓ ବିଭିନ୍ନ ସରକାରୀ ସହାୟତା ବିଷୟରେ ସଚେତନତା ସୃଷ୍ଟି କରାଯିବ।

ଏହାସହ ଓରମାସ, ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି, ସୁଭଦ୍ରା ଶକ୍ତି ଓ ବିଭିନ୍ନ ଲାଇନ ବିଭାଗର ସମନ୍ୱୟରେ ପ୍ରାୟ ୧୫୦ଟି ଷ୍ଟଲ ଖୋଲାଯିବ। ଏହି ଷ୍ଟଲଗୁଡ଼ିକ ମାଧ୍ୟମରେ ଲୋକମାନେ ସରକାରୀ ଯୋଜନା, ସ୍ୱୟଂରୋଜଗାର, ମହିଳା ସଶକ୍ତିକରଣ, କୃଷି, ପଶୁପାଳନ ଓ ଜୀବିକା ଉନ୍ନୟନ ସମ୍ପର୍କିତ ବିଭିନ୍ନ ସୂଚନା ପାଇପାରିବେ।

ମହୋତ୍ସବକୁ ଆହୁରି ରଙ୍ଗିନ କରିବା ପାଇଁ ୩୦ଟି ସାଂସ୍କୃତିକ ଦଳ ଦ୍ୱାରା ନୃତ୍ୟ, ସଙ୍ଗୀତ ଓ ଲୋକକଳା କାର୍ଯ୍ୟକ୍ରମ ପରିବେଷଣ କରାଯିବ। ସରକାରୀ ଯୋଜନା ଓ ସାମାଜିକ ସଚେତନତାକୁ ଲୋକକଳା ମାଧ୍ୟମରେ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ମଧ୍ୟ ବିଶେଷ ପ୍ରୟାସ କରାଯିବ ।

ତେବେ ଏହି ମହୋତ୍ସବକୁ ଆହୁରି ଗରମ କରିବା ପାଇଁ ଆଉ ଦର୍ଶକଙ୍କୁ ଝୁମେଇବା ପାଇଁ ଓଡିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଅନୁରାଗ ଦାସ, ମଣ୍ଟୁ ଛୁରିଆ ସଞ୍ଚେଟ ପରମ୍ପରା ଭଳି ବହୁ ନାମିଦାମୀ କଳାକାର ଆସୁଛନ୍ତି । ଯାହାକୁ ନେଇ ମାହଲୋ ପୁରା ସରଗରମ ରହିବ ।

ତେବେ ମହୋତ୍ସବକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବୈଠକରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା, ପାନୀୟଜଳ, ଅଗ୍ନିନିରାପତ୍ତା ଓ ଆଇନ-ଶୃଙ୍ଖଳା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ସମ୍ବନ୍ଧିତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମହୋତ୍ସବ ସମୟରେ ସୁଚାରୁ ପରିଚାଳନା ପାଇଁ ପୋଲିସ ମୁତୟନ ବ୍ୟବସ୍ଥା ମଧ୍ୟ କରାଯିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score