Explore

Search

April 13, 2026 9:49 pm

ସରିଲା ଆନନ୍ଦପୁର ମହୋତ୍ସବ : ୧୪ଟି ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ସରିଲା ଆନନ୍ଦପୁର ମହୋତ୍ସବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦେଇ କେନ୍ଦୁଝରବାସୀଙ୍କ ପାଇଁ ବଡ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଏକ ଶକ୍ତିଶାଳୀ ଅର୍ଥନୈତିକ କରିଡର ଭାବେ ବିକଶିତ ହେବ କେନ୍ଦୁଝର। ଉତ୍ତର ଓଡ଼ିଶାର ସମଗ୍ର ଉନ୍ନତିକୁ ଗତି ଦେବା ପାଇଁ ଏକ ବିଶେଷ ବିକାଶ ପରିଷଦ ଗଠିତ ହୋଇଛି । ଏହି ପଦକ୍ଷେପ ମାଧ୍ୟମରେ ଅଞ୍ଚଳର ବିଭିନ୍ନ ଜିଲ୍ଲାର ଅବସ୍ଥାପନା, ଆର୍ଥିକ ଓ ସାମାଜିକ ଉନ୍ନତିକୁ ତ୍ୱରାନ୍ୱିତ କରାଯିବ।

ସେହିପରି, କେନ୍ଦୁଝର ଜିଲ୍ଲାରେ ଏକ ବଡ଼ ଇସ୍ପାତ କାରଖାନା ସ୍ଥାପନ ପାଇଁ ପ୍ରୟାସ ଜାରି ରହିଛି। ଏହା ସାକାର ହେଲେ ଜିଲ୍ଲାର ଶିଳ୍ପ ଉନ୍ନତିକୁ ନୂଆ ଦିଗ ମିଳିବା ସହ କାର୍ଯ୍ୟସୃଷ୍ଟିର ସୁଯୋଗ ବଢ଼ିବ। ଆଗାମୀ ଦିନରେ କେନ୍ଦୁଝରକୁ ଏକ ଶିଳ୍ପମୁଖୀ ଓ ସମୃଦ୍ଧ ଅଞ୍ଚଳ ଭାବେ ପରିଣତ କରିବାର ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି । କେନ୍ଦୁଝର–ବଡବିଲ–ଯୋଡ଼ା ଅଞ୍ଚଳକୁ ଆଗାମୀ ଦିନରେ ରାଜ୍ୟର ଏକ ମୁଖ୍ୟ ଆର୍ଥିକ ମାର୍ଗ ଭାବେ ଗଢ଼ିବା ପାଇଁ ପରିକଳ୍ପନା କରାଯାଇଛି । ଏହି ଅଞ୍ଚଳରେ ଡାଟା ସେଣ୍ଟର, ବସ୍ତ୍ର ଉଦ୍ୟୋଗ ପାର୍କ, ଖେଳ ଷ୍ଟାଡିୟମ ଓ ଉନ୍ନତ ସଡକ ପରି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକ ଆରମ୍ଭ ହୋଇଛି।

ଏହି ସମସ୍ତ ପ୍ରୟାସ ଫଳରେ ଅଞ୍ଚଳର ଶିଳ୍ପ, ବ୍ୟବସାୟ ଓ ଯାତାୟାତ ବ୍ୟବସ୍ଥାରେ ଦୃଶ୍ୟମାନ ପରିବର୍ତ୍ତନ ଆସିବା ସହ ସମଗ୍ର ଉନ୍ନତିକୁ ନୂଆ ଗତି ମିଳିବ।

ସେ ଆହୁରି ମଧ୍ୟ କହିଥିଲେ ଯେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ସହରଟି ଓଡ଼ିଶାର ଏକ ଐତିହାସିକ ଓ ପ୍ରମୁଖ ନଗର ଭାବେ ପରିଚିତ। ପୁରାତନ ସମୟରୁ ଏହି ଅଞ୍ଚଳ ନିଜସ୍ୱ ଧର୍ମୀୟ ଓ ସାଂସ୍କୃତିକ ପରମ୍ପରା ପାଇଁ ଖ୍ୟାତି ଅର୍ଜନ କରିଆସିଛି ।

ଏହି ପରିପ୍ରେକ୍ଷୀରେ ଆନନ୍ଦପୁର ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ୨୬୭ କୋଟି ୫୦ ଲକ୍ଷ ଟଙ୍କା ବିନିଯୋଗରେ ୪୧ ଗୋଟି ଉନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ୩୪ କୋଟି ୧୫ ଲକ୍ଷ ଟଙ୍କା ଖର୍ଚ୍ଚରେ ୧୪ଟି ପ୍ରକଳ୍ପର ଲୋକାର୍ପଣ ହୋଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score