Explore

Search

April 9, 2026 11:22 pm

୪୦ ହଜାର କୋଟିର ବିନିଯୋଗରେ ୩୬ଟି ଶିଳ୍ପ ପ୍ରକଳ୍ପ ଆରମ୍ଭ, ଓଡ଼ିଶାରେ ଉନ୍ନତିର ନୂଆ ଅଧ୍ୟାୟ

ଭୁବନେଶ୍ୱର : ଓଡ଼ିଶାର ଶିଳ୍ପ ଉନ୍ନତି ପଥରେ ଆଉ ଗୋଟିଏ ବଡ଼ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଅଞ୍ଚଳରେ ପ୍ରାୟ ୪୦ ହଜାର କୋଟି ଟଙ୍କା ନିବେଶରେ ୩୬ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିଛନ୍ତି । ଏଥିରୁ ୨୫ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଥିବା ବେଳେ ୧୧ଟି ପ୍ରକଳ୍ପ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଥିଲେ ଯେ, ଓଡ଼ିଶା ଏବେ କେବଳ ସମ୍ଭାବନାର ରାଜ୍ୟ ନୁହେଁ, ବରଂ ବିକାଶର ନୂଆ ଦିଗକୁ ଦୃଢ଼ତାର ସହ ଆଗେଇ ଯାଉଛି । ଏହି ପ୍ରକଳ୍ପମାନେ ଆରମ୍ଭ ହେବା ସହିତ ରାଜ୍ୟରେ ଶିଳ୍ପୀକରଣ ଆହୁରି ତ୍ୱରାନ୍ବିତ ହେବ ।

ଏହି ସମସ୍ତ ପ୍ରକଳ୍ପ ଦ୍ୱାରା ୫୯ ହଜାରରୁ ଅଧିକ ନୂତନ ନିଯୁକ୍ତି ସୃଷ୍ଟି ହେବାର ଅନୁମାନ ରହିଛି । ଗ୍ରୀନ ଏନର୍ଜି, ଧାତୁ ଶିଳ୍ପ, ବୟନ ଓ ପୋଷାକ, ପ୍ଲାଷ୍ଟିକ୍, ପର୍ଯ୍ୟଟନ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଅଟୋମୋବାଇଲ ଓ ସିମେଣ୍ଟ ଭଳି ବିଭିନ୍ନ କ୍ଷେତ୍ରରେ ଏହି ପ୍ରକଳ୍ପ ଗୁଡ଼ିକ ଆରମ୍ଭ ହେବ। ଏହା ରାଜ୍ୟର ଅର୍ଥନୀତିକୁ ଶକ୍ତିଶାଳୀ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନେବ।

‘ସମୃଦ୍ଧ ଓଡ଼ିଶା’ ଲକ୍ଷ୍ୟକୁ ନେଇ ରାଜ୍ୟ ଦ୍ୱିତୀୟ ଶିଳ୍ପ ବିପ୍ଳବ ଦିଗରେ ଗତି କରୁଛି । ପ୍ରତିଶ୍ରୁତିକୁ କାର୍ଯ୍ୟରୂପ ଦେବା ଓ ସମ୍ଭାବନାକୁ ସଫଳତାରେ ପରିଣତ କରିବାରେ ସରକାର ସଫଳ ହେଉଛି । ଆଗାମୀ କିଛି ବର୍ଷରେ ଓଡ଼ିଶା ଦେଶର ଏକ ଶକ୍ତିଶାଳୀ ଶିଳ୍ପ କେନ୍ଦ୍ର ଭାବେ ଉଭା ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବରୁ ସରକାର ପକ୍ଷରୁ ୧୦୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ ହୋଇଥିବା ସହ ଲକ୍ଷାଧିକ ନିଯୁକ୍ତି ସୃଷ୍ଟି ହୋଇଛି ।

ଏହି ପ୍ରକଳ୍ପମାନଙ୍କ ମାଧ୍ୟମରେ ଯେଉଁ ସାମଗ୍ରୀ ପୂର୍ବରୁ ବିଦେଶରୁ ଆଣାଯାଉଥିଲା, ସେଗୁଡ଼ିକ ଏବେ ଓଡ଼ିଶାରେ ଉତ୍ପାଦିତ ହେବ। ଏହା ରାଜ୍ୟକୁ ଆତ୍ମନିର୍ଭର କରିବା ସହିତ ବିଶ୍ୱ ବଜାରରେ ଓଡ଼ିଶାର ପରିଚୟ ବଢ଼ାଇବ।

ରାଜ୍ୟ ସରକାର ଭିତ୍ତିଭୂମି ଉନ୍ନତି ପାଇଁ ବହୁତ ବୃହତ ବିନିଯୋଗ କରୁଛନ୍ତି । ସଡ଼କ, ବିଦ୍ୟୁତ, ପାଣି ଓ ଯୋଗାଯୋଗ ବ୍ୟବସ୍ଥାକୁ ଶକ୍ତିଶାଳୀ କରି ଶିଳ୍ପ ପ୍ରତିଷ୍ଠା ପାଇଁ ସୁବିଧା ଯୋଗାଯାଉଛି । ଶିଳ୍ପପତିମାନଙ୍କୁ ସମୟ ମଧ୍ୟରେ ଅନୁମତି ଓ ସମସ୍ୟାର ସମାଧାନ ଦେବାକୁ ସରକାର ପ୍ରତିବଦ୍ଧ । ସମଗ୍ର ଦୃଷ୍ଟିରୁ ଏହି ନିବେଶ ଓ ପ୍ରକଳ୍ପ ଆରମ୍ଭ ଓଡ଼ିଶାକୁ ଶିଳ୍ପ ମାନଚିତ୍ରରେ ଆଉ ଅଧିକ ସୁଦୃଢ଼ କରିବା ସହ ରୋଜଗାର ଓ ଅର୍ଥନୈତିକ ବିକାଶରେ ନୂଆ ଗତି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score