Explore

Search

April 7, 2026 1:32 am

ଜିଲ୍ଲାପାଳ କୀର୍ତ୍ତିଭାସନଙ୍କ ମହାନତା : ଗର୍ଭବତୀଙ୍କ ସାଥୀ ହେବ ‘ନିରୀକ୍ଷଣ’

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନଙ୍କ ମହାନତା। ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା କମେଇବା ପାଇଁ ଜିଲ୍ଲା ପ୍ରଶାସନ ଭିଡ଼ିଲେ ଅଣ୍ଟା। ଆଉ ଯାହାକୁ ନେଇ ଗଞ୍ଜାମବାସୀ ଖୁସିବ୍ୟକ୍ତ କରିବା ସହ ଜିଲ୍ଲାପାଳଙ୍କୁ ଧନ୍ୟବାଦ ଜଣେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ଗର୍ଭବତୀ ମହିଳାଙ୍କ ଯନ୍ତ୍ରଣା କମେଇବା ପାଇଁ ଜିଲ୍ଲା ପ୍ରଶାସନ ଏକ ନୂଆ ପଦକ୍ଷେପ ନେଇଛନ୍ତି। ଏବେ ଗର୍ଭବତୀମାନେ ଅଲଟ୍ରାସାଉଣ୍ଡ ପରୀକ୍ଷା ଓ ପ୍ରସବ ସମୟରେ ଯେକୌଣସି ଡାକ୍ତରଖାନାକୁ ସୁବିଧାରେ ଯାଇପାରିବେ। ଏହି ସୁବିଧା ଖୁବ ଶୀଘ୍ର ସମଗ୍ର ଗଞ୍ଜାମ ଜିଲ୍ଲାରେ ଲାଗୁ ହେବାକୁ ଯାଉଛି ।

ଏହି ଜିଲ୍ଲାର ଅନେକ ଦୁର୍ଗମ ଅଞ୍ଚଳରେ ଆଜି ମଧ୍ୟ ଯାତାୟାତ ବ୍ୟବସ୍ଥାର ସୁବିଧା ନାହିଁ । ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ପ୍ରାୟ ୨୪୭ଟି ଗ୍ରାମ ଏପର୍ଯ୍ୟନ୍ତ ଅପହଞ୍ଚ ଅଞ୍ଚଳରେ ରହିଛି । ପାତ୍ରପୁର, ଧରାକୋଟ ଓ ସୋରଡ଼ା ଭଳି ବ୍ଲକ ଗୁଡିକରେ ଗର୍ଭବତୀମାନେ ଡାକ୍ତରଖାନା ପହଞ୍ଚିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାରୀ ଆମ୍ବୁଲାନ୍ସ ସେବା ସବୁଠାରେ ସମୟରେ ମିଳୁନଥିବାରୁ ଅନେକ ସମୟରେ ଜରୁରୀ ସ୍ଥିତିରେ ମା’ ଓ ଶିଶୁଙ୍କ ଜୀବନ ମଧ୍ୟ ବିପଦରେ ପଡୁଛି।

ଏହି ସମସ୍ୟାକୁ ଦୂର କରିବାକୁ ଯାଇ ଗଞ୍ଜାମ ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନଙ୍କ ନେତୃତ୍ୱରେ ‘ନିରୀକ୍ଷଣ ସାଥୀ’ ନାମକ ଏକ ନୂଆ ପରିକଳ୍ପନା ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଏକ ବିଶେଷ ମୋବାଇଲ ଆପ ମଧ୍ୟ ପ୍ରସ୍ତୁତ କରାଯାଉଛି ।

ଏହି ଆପ ମାଧ୍ୟମରେ ଗର୍ଭବତୀମାନେ ନିଜର ସମ୍ପୂର୍ଣ୍ଣ ତଥ୍ୟ ଭରି, କେଉଁଠାରୁ କେଉଁ ଡାକ୍ତରଖାନାକୁ ଯିବେ ତାହା ଚୟନ କରିପାରିବେ । ‘ଓକେ’ କ୍ଲିକ କରିବା ସହିତ ନିକଟବର୍ତ୍ତୀ ଅଞ୍ଚଳର ଯାନବାହନ (ଅଟୋ କିମ୍ବା ଅନ୍ୟ ଯାତ୍ରୀବାହୀ ଗାଡ଼ି) ସେମାନଙ୍କ ନିକଟକୁ ପହଞ୍ଚିବ। ଏହା ମାଧ୍ୟମରେ ସେମାନେ ସମ୍ପୂର୍ଣ୍ଣ ମାଗଣାରେ ଡାକ୍ତରଖାନାକୁ ଯାଇପାରିବେ ।

ଯାତ୍ରା ଶେଷ ହେବା ପରେ ଯାନ ଭଡ଼ା ଜିଲ୍ଲା ପ୍ରଶାସନ ଦ୍ୱାରା ଦିଆଯିବ। ବିଶେଷକରି ମାସିକ ଅଲଟ୍ରାସାଉଣ୍ଡ ପରୀକ୍ଷା ପାଇଁ ଯାତାୟାତ ସୁବିଧା ମଧ୍ୟ ଏହି ଯୋଜନାରେ ମିଳିବ । ଯାହା ପୂର୍ବରୁ ଗର୍ଭବତୀମାନଙ୍କ ପାଇଁ ଅର୍ଥ ଭାର ବଢ଼ାଉଥିଲା।

ଜିଲ୍ଲାପାଳ ଶ୍ରୀଯୁକ୍ତ ଭି.କୀର୍ତ୍ତିଭାସନଙ୍କ କହିବା ଅନୁଯାୟୀ, ଏହି ଯୋଜନା ଦ୍ୱାରା ଗର୍ଭବତୀମାନେ ୟୁସିଜି ସ୍କାନ ଓ ପ୍ରସବ ସମୟରେ ସହଜରେ ଡାକ୍ତରଖାନା ପହଞ୍ଚିପାରିବେ । ଏହାର ସମସ୍ତ ଖର୍ଚ୍ଚ ରେଡକ୍ରସ ପକ୍ଷରୁ ବହନ କରାଯିବ। ଏହି ପଦକ୍ଷେପ ଗଞ୍ଜାମ ଜିଲ୍ଲାର ଗର୍ଭବତୀ ମହିଳାଙ୍କ ପାଇଁ ଏକ ବଡ଼ ସହାୟତା ହେବ ବୋଲି ଆଶା କରାଯାଉଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score