Explore

Search

March 30, 2026 11:03 pm

“ମନ କି ବାତ”ରେ ଓଡ଼ିଶାର ସଫଳତା କାହାଣୀ : ସୁଜାତା ଭୂୟାଁ ଓ ଓମ ପ୍ରକାଶଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପ୍ରଧାନମନ୍ତ୍ରୀଙ୍କ ସାପ୍ତାହିକ ରେଡିଓ କାର୍ଯ୍ୟକ୍ରମ “ମନ କି ବାତ”ରେ ପୁଣିଥରେ ଓଡ଼ିଶାର ପ୍ରେରଣାଦାୟକ ଗାଥା ଗୁଞ୍ଜି ଉଠିଛି । ଏଥର ସମ୍ବଲପୁରର ସଫଳ ମାଛ ଚାଷୀ ସୁଜାତା ଭୂୟାଁ ଏବଂ କେନ୍ଦ୍ରାପଡ଼ାର ଛାତ୍ର ଓମ ପ୍ରକାଶ ରଥଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ଯାହାକୁ ଶୁଣି ଉଭୟଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ସୃଷ୍ଟି ହୋଇଛି।

ସମ୍ବଲପୁର ମୋଦିପଡ଼ାର ସୁଜାତା ଭୂୟାଁ ଜଣେ ସାଧାରଣ ଗୃହିଣୀ ହୋଇଥିଲେ ମଧ୍ୟ ଆଜି ସେ ସଫଳ ଉଦ୍ୟମୀର ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି । ୨୦୦୭ରେ ବିବାହ ପରେ ସେ ପୂର୍ଣ୍ଣରୂପେ ଘରୋଇ ଜୀବନରେ ନିୟୋଜିତ ଥିଲେ। କିନ୍ତୁ ୨୦୨୨ ମସିହାରେ ସ୍ୱାମୀଙ୍କ ସହିତ ହୀରାକୁଦ ଡ୍ୟାମ ଅଞ୍ଚଳକୁ ଯାଇଥିବାବେଳେ ‘କେଜ କଲଚର’ ମାଛ ଚାଷ ଦେଖି ସେ ନୂଆ କିଛି କରିବାକୁ ପ୍ରେରିତ ହୋଇଥିଲେ।

ସେଠାରୁ ଆରମ୍ଭ ହେଲା ତାଙ୍କର ନୂଆ ଯାତ୍ରା। ବର୍ତ୍ତମାନ ସୁଜାତା ହୀରାକୁଦ ଜଳାଶୟରେ କେଜ କଲଚର ପ୍ରଣାଳୀରେ ବର୍ଷକୁ ୨୫ରୁ ୩୦ ଟନ ପର୍ଯ୍ୟନ୍ତ ମାଛ ଉତ୍ପାଦନ କରୁଛନ୍ତି । ତାଙ୍କ ଉତ୍ପାଦିତ ମାଛ ରାୟପୁର, କୋଲକାତା ଓ ବିଜୟୱାଡା ପର୍ଯ୍ୟନ୍ତ ବଜାରରେ ବିକ୍ରି ହେଉଛି। ଏଥିରୁ ସେ ପ୍ରତିବର୍ଷ ପ୍ରାୟ ୬ରୁ ୭ ଲକ୍ଷ ଟଙ୍କା ଲାଭ କରୁଛନ୍ତି। ସାଧାରଣ ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ ନିଜ ଇଚ୍ଛାଶକ୍ତି ଓ ପରିଶ୍ରମରେ ସେ ଏହି ସଫଳତା ହାସଲ କରିଛନ୍ତି। ଆଗାମୀ ଦିନରେ ଚିଙ୍ଗୁଡ଼ି ଚାଷ ଆରମ୍ଭ କରି ତାଙ୍କ ବ୍ୟବସାୟକୁ ଆହୁରି ବିସ୍ତାର କରିବାର ଯୋଜନା ରହିଛି।

ଅନ୍ୟପଟେ, କେନ୍ଦ୍ରାପଡ଼ା ଜିଲ୍ଲାର ଓମ ପ୍ରକାଶ ରଥଙ୍କୁ ମଧ୍ୟ “ମନ କି ବାତ”ରେ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ୧୯ ବର୍ଷ ବୟସ୍କ ଜଣେ କଲେଜ ଛାତ୍ରଙ୍କ ମହିଳା ସଶକ୍ତିକରଣ ବିଷୟରେ ଲେଖା ନିବନ୍ଧକୁ ମୋଦି ବିଶେଷ ଭାବେ ଉଲ୍ଲେଖ କରି, ତାଙ୍କର ଚିନ୍ତାଧାରାକୁ ସ୍ୱାଗତ କରିଛନ୍ତି।

ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ସଫଳତାକୁ ଜାତୀୟ ମଞ୍ଚରେ ଆଣି ପ୍ରଶଂସା କରିବା ଦ୍ୱାରା ଅନ୍ୟମାନେ ମଧ୍ୟ ପ୍ରେରିତ ହେଉଛନ୍ତି। “ମନ କି ବାତ” ମାଧ୍ୟମରେ ଏପରି କାହାଣୀମାନେ ସମାଜକୁ ନୂଆ ଦିଗ ଦେଉଛି ଓ ସଫଳତା ପାଇଁ ପ୍ରେରଣା ଯୋଗାଉଛି । ଯାହା କେନ୍ଦ୍ରାପଡା ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବର ବିଷୟ ।

ଏହି ସଫଳତା ସମ୍ପର୍କରେ ପ୍ରତିକ୍ରିୟା ରଖି ଓମ କହିଛନ୍ତି, “My Bharat ପୋର୍ଟାଲ ମୋ ପାଇଁ ଏକ ବଡ଼ ସୁଯୋଗ ଆଣିଥିଲା। ସେଠାରେ ରେଜିଷ୍ଟ୍ରେସନ କରି ମୁଁ କୁଇଜ ପ୍ରତିଯୋଗିତାରେ ଭାଗ ନେଇଥିଲି । ମୋଟ ୩୨ଟି ପ୍ରଶ୍ନ ମଧ୍ୟରୁ ୨୮ଟିର ସଠିକ ଉତ୍ତର ଦେଇପାରିଥିଲି। ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ମୁଁ ଭଲଭାବେ ଅଧ୍ୟୟନ ଓ ଗବେଷଣା କରିଥିଲି।

ମୁଁ ରାଜନୀତି ବିଜ୍ଞାନ ଓ ସମାଜଶାସ୍ତ୍ରର ଛାତ୍ର ହେବାରୁ ସମାଜ ଓ ରାଜନୀତି ସମ୍ପର୍କରେ ମୋର ଭଲ ଧାରଣା ରହିଛି, ଯାହା ଏହି ପ୍ରତିଯୋଗିତାରେ ମୋତେ ସହାୟତା କରିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score