Explore

Search

March 28, 2026 10:51 pm

କୋରାପୁଟ : ପ୍ରକୃତିର କୋଳରେ ଭ୍ରମଣର ସର୍ବଶ୍ରେଷ୍ଠ ଗନ୍ତବ୍ୟ

କୋରାପୁଟ : ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ କୋରାପୁଟ ଜିଲ୍ଲା ନିଜସ୍ୱ ଅଲଗା ପରିଚୟ ଗଢ଼ିଛି । ପର୍ବତମାଳା, ଘନ ଜଙ୍ଗଲ, ଝରଣା ଓ ସବୁଜ ପରିବେଶର ଅଦ୍ଭୁତ ସମନ୍ୱୟ ଏହାକୁ ପ୍ରକୃତିପ୍ରେମୀଙ୍କ ପାଇଁ ସ୍ୱର୍ଗ ସମାନ କରିଛି। ବିଶେଷକରି ଶୀତ ଋତୁ ଆସିଲେ, ପିକନିକ କିମ୍ବା ଭ୍ରମଣ ପାଇଁ ପ୍ରଥମ ପସନ୍ଦ ହୋଇଯାଏ କୋରାପୁଟ । ସକାଳର ହାଲୁକା କୁହୁଡି, ପାହାଡ ଉପରୁ ଉଦୟମାନ ସୂର୍ଯ୍ୟ ଓ କଫି ବଗିଚାର ସୁଗନ୍ଧ ମିଶି ଏଠାର ଅନୁଭୂତିକୁ ଅଲୌକିକ କରିଦିଏ ।

ଯଦି ଆପଣ କୋରାପୁଟ ଯିବାକୁ ଭାବୁଛନ୍ତି, ତେବେ ଏହି ୬ଟି ଆକର୍ଷଣୀୟ ସ୍ଥାନ ଆପଣଙ୍କ ଯାତ୍ରାକୁ ଅଧିକ ସ୍ମରଣୀୟ କରିଦେବ।

ଦେଓମାଳି – ଶୃଙ୍ଗରେ ସୂର୍ଯ୍ୟୋଦୟର ମନୋହର ଦୃଶ୍ୟ

ବର୍ଷର ବାରମାସ ପର୍ଯ୍ୟଟକମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ବି ‘ପରବ’ ପାଳନ ଅବସରରେ ନଭେମ୍ବର ୧୩ ତାରିଖ ଦିନ ଏଠାକୁ ପର୍ଯ୍ୟଟକମାନେ ବିଶେଷ ସଂଖ୍ୟାରେ ଆସିଥାନ୍ତି ଓ ପାହାଡ଼ ଚଢିଥାନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଛଅଟି ଶିଖର ଦୃଶ୍ୟ (view point) ନିର୍ମାଣ କରାଯାଇଛି । ଏଠାରୁ ଦେଓମାଳୀ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ୍ୟ । ଏଠାରେ ରହିବାପାଇଁ କୌଣସି ବ୍ୟବସ୍ଥା ନାହିଁ। ବଣଭୋଜି, ପାହାଡ଼ ଚଢା ଓ ପରିବାର ସହିତ ଭ୍ରମଣ ପାଇଁ ଏ ସ୍ଥାନଟି ଉପଯୋଗୀ। ନିଜର ଯାନ ବାହନ ନେଇ ଏଠାକୁ ସିଧା ଯାଇହୁଏ। ଏଠାକୁ ଯିବାପାଇଁ ସେମିଳିଗୁଡ଼ା, ସୁନାବେଡ଼ା, କୋରାପୁଟ ଅଥବା କୁନ୍ଦୁଲି ହାଟରୁ କମାଣ୍ଡର ଗାଡ଼ି ମିଳିଥାଏ । ଦେଓମାଳି ଉପତ୍ୟକାକୁ ଯିବାପାଇଁ ଦେଓମାଳି ଛକରୁ ୬ କି.ମି ଚାଲିଚାଲି ଯିବାକୁ ହୋଇଥାଏ।

ଓଡ଼ିଶାର ସର୍ବୋଚ୍ଚ ଶିଖର ଦେଓମାଳି ପର୍ବତ କୋରାପୁଟର କୋଟିଆ ଅଞ୍ଚଳରେ ଅବସ୍ଥିତ । ଟ୍ରେକିଂ ପ୍ରେମୀଙ୍କ ପାଇଁ ଏହା ଏକ ସ୍ଵର୍ଗ। ଶୃଙ୍ଗରେ ସୂର୍ଯ୍ୟୋଦୟ ଦେଖିବାର ଅନୁଭୂତି ଅସାଧାରଣ । ପିକନିକ ଓ ଗୋଷ୍ଠୀ ଭ୍ରମଣ ପାଇଁ ଏହା ଅତ୍ୟନ୍ତ ଉପଯୁକ୍ତ ସ୍ଥାନ।

ଗୁପ୍ତେଶ୍ୱର – ଆଧ୍ୟାତ୍ମିକତା ଓ ପ୍ରକୃତିର ସଂଯୋଗ

କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ନିକଟରେ ଅବସ୍ଥିତ ଏକ ଶୈବପୀଠ। ପାହାଡ ମଧ୍ୟରେ ଥିବା ଗୁମ୍ଫାରେ ଅବସ୍ଥିତ ଗୁପ୍ତେଶ୍ୱର ଶୈବପୀଠ ଧାର୍ମିକ ଓ ପ୍ରାକୃତିକ ଦୁହିଁ ଦିଗରୁ ଖୁବ ଗୁରୁତ୍ୱପୂର୍ଣ୍ଣ । ପୌରାଣିକ କଥା ଅନୁସାରେ, ଭଗବାନ ଶ୍ରୀରାମ ଏଠାରେ ପୂଜା କରିଥିଲେ। ନିକଟରେ ଥିବା ରାମକୁଣ୍ଡ ଓ ସୀତାକୁଣ୍ଡ ଏହି ସ୍ଥାନକୁ ଆହୁରି ପବିତ୍ର କରିଥାଏ। ଗୁମ୍ଫା ଭିତରେ ୧୦ ଫୁଟ ଗୋଲେଇ ଓ ୩ ଫୁଟ ଉଚ୍ଚତାର ଶିବଲିଙ୍ଗ ରହିଛି । ପୌରାଣିକ କଥା ଅନୁଯାୟୀ ଶ୍ରୀରାମଚନ୍ଦ୍ର ଭାଇ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କ ସହିତ ବନବାସ କାଳରେ ଏହି ଗୁମ୍ଫାରେ ଶିବଲିଙ୍ଗ ସ୍ଥାପନ କରି ପୂଜାର୍ଚ୍ଚନା କରିଥିଲେ । ପାହାଡ଼ଠାରୁ ସାମାନ୍ୟ ଦୁରରେ ରାମକୁଣ୍ଡ ଓ ସୀତାକୁଣ୍ଡ ରହିଛି । ଏଠାରେ ରାମ ଓ ସୀତା ସ୍ନାନ କରୁଥିବା ଲୋକକଥାରୁ ଜଣାଯାଏ । ଗୁପ୍ତେଶ୍ୱର ପୀଠର ଆଖପାଖ ଆଦିବାସୀପଲ୍ଲୀରେ ରହୁଥିବା ଦୁରୁଆ ସମ୍ପ୍ରଦାୟର ଲୋକମାନଙ୍କଦ୍ୱାରା ଗୁପ୍ତେଶ୍ୱରଙ୍କ ସେବାକାର୍ଯ୍ୟ ସମ୍ପନ୍ନ ହୋଇଥାଏ । ଆଉ ଏକ ବିଶେଷତ୍ୱ ହେଲା ପ୍ରଭୁଙ୍କ ଧର୍ମ ଛତ୍ର ଆଗରେ ଏକ ମହୁଫେଣା ରହିଛି, ଯେଉଁ ମହୁ ଫେଣାରୁ ବର୍ଷକୁ ମାତ୍ର ତିନିଥର ମହୁ ଝରେ ।

ଡୁଡୁମା ଜଳପ୍ରପାତ – ପ୍ରକୃତିର ଗର୍ଜନଶୀଳ ସୌନ୍ଦର୍ଯ୍ୟ

ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ କୋରାପୁଟ ଜିଲ୍ଲା ନିଜସ୍ୱ ଅଲଗା ପରିଚୟ ସୃଷ୍ଟି କରିଛି । ପର୍ବତ, ଜଙ୍ଗଲ ଓ ଜଳପ୍ରପାତର ସୁନ୍ଦର ସମନ୍ୱୟ ଏହି ଅଞ୍ଚଳକୁ ପ୍ରକୃତିର ଏକ ଅଦ୍ଭୁତ ଉପହାରରେ ପରିଣତ କରିଛି । ଏଠାରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀମଧ୍ୟରୁ ମାଛକୁଣ୍ଡ ଅଞ୍ଚଳର ଡୁଡୁମା ଜଳପ୍ରପାତ ବିଶେଷ ଭାବେ ପରିଚିତ। ବର୍ଷର ସମସ୍ତ ଋତୁରେ ପର୍ଯ୍ୟଟକମାନେ ଏହି ମନୋହର ଜଳପ୍ରପାତକୁ ଦେଖିବା ପାଇଁ ଭିଡ଼ କରନ୍ତି । ବିଶେଷକରି ପର୍ଯ୍ୟଟନ ଋତୁରେ ଡୁଡୁମାର ଗର୍ଜନଶୀଳ ଜଳଧାରା ଓ ଚାରିପାଖର ସବୁଜ ପରିବେଶ ପର୍ଯ୍ୟଟକଙ୍କୁ ମନମୁଗ୍ଧ କରିଦିଏ । ମାଛକୁଣ୍ଡ ଉପତ୍ୟକାରେ ଅବସ୍ଥିତ ଏହି ପ୍ରସିଦ୍ଧ ଡୁଡୁମା ଜଳପ୍ରପାତ କୋରାପୁଟ ଜିଲ୍ଲାର ଗର୍ବ ବୋଲି କୁହାଯାଏ। ୧୫୭ ମିଟର ଉଚ୍ଚତାର ଡୁଡୁମା ଜଳପ୍ରପାତ ଦକ୍ଷିଣ ଭାରତର ଗୁରୁତ୍ୱପୂର୍ଣ୍ଣ ଜଳପ୍ରପାତମାନଙ୍କ ମଧ୍ୟରୁ ଗୋଟିଏ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାରେ ଅବସ୍ଥିତ ଏହି ସ୍ଥାନ ପ୍ରକୃତିର ଅପୂର୍ବ ରୂପକୁ ପ୍ରକାଶ କରେ। ଏଠାରେ ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପ ମଧ୍ୟ ଅଛି।

ପୁଞ୍ଜିସିଲି ଜଳପ୍ରପାତ – ପରିବାର ସହ ଶାନ୍ତିମୟ ଭ୍ରମଣ

ପୁଞ୍ଜିସିଲି ଜଳପ୍ରପାତ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏକ ସୁନ୍ଦର ପ୍ରାକୃତିକ ସ୍ଥଳ। ଏହା ନିଜର ମନୋରମ ପରିବେଶ ଏବଂ ସବୁଜିମା ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। କୋରାପୁଟ ସହର ଠାରୁ ନିକଟରେ ଅବସ୍ଥିତ ପୁଞ୍ଜିସିଲି ଝରଣା ପରିବାର ସହ ବଣଭୋଜି ପାଇଁ ଖୁବ ଭଲ ସ୍ଥାନ। ସବୁଜ ପରିବେଶ ଓ ଶାନ୍ତ ମହଲ ଏଠାରେ ଆସୁଥିବା ପର୍ଯ୍ୟଟକଙ୍କୁ ମନମୁଗ୍ଧ କରିଥାଏ।

କୁଟୁଣିପଦର – ଅଦ୍ଭୁତ ସହସ୍ର ଶିବଲିଙ୍ଗର ରହସ୍ୟ

ଲକ୍ଷ୍ମୀପୁର ଅଞ୍ଚଳର କୁଟୁଣିପଦର ଗ୍ରାମରେ ଥିବା ପାହାଡ ଭିତରେ ସହସ୍ର ଶିବଲିଙ୍ଗ ଦର୍ଶନ ମିଳେ। ଏହାସହ ଜଡିତ ଲୋକକଥା ଓ ଆଧ୍ୟାତ୍ମିକ ମାହାତ୍ମ୍ୟ ଭକ୍ତମାନଙ୍କୁ ଆକର୍ଷିତ କରେ।

ରାଣୀଡୁଡୁମା – ପ୍ରକୃତି ସହ ମନୋରଞ୍ଜନର ମିଶ୍ରଣ
ନନ୍ଦପୁର ଅଞ୍ଚଳରେ ଥିବା ରାଣୀଡୁଡୁମା ଜଳପ୍ରପାତ ଦର୍ଶନୀୟ ଓ ଶାନ୍ତ ପରିବେଶର ଏକ ଅନ୍ୟତମ ସ୍ଥାନ। ଏଠାରେ ଥିବା ଚିଲ୍ଡ୍ରେନ୍ ପାର୍କ ଓ ପିକନିକ୍ ସୁବିଧା ଏହାକୁ ପରିବାର ଭ୍ରମଣ ପାଇଁ ଆହୁରି ଆକର୍ଷଣୀୟ କରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score