Explore

Search

March 20, 2026 9:25 pm

ଆଲାର୍ମ ଲଗେଇ ଶୋଇଲେ ଚାଲିଯିବ ଜୀବନ

ଆଲାର୍ମ ଲଗେଇ ଶୋଇଲେ ଚାଲିଯିବ ଜୀବନ। କଥା ଟା ବିଶ୍ୱାସ ନଲାଗିଲେ ବି ଏକଦମ ସତ । ଆଲାର୍ମ ମଣିଷ ପାଇଁ ଯେତିକି ସୁବିଧା ସେତିକି ବିପଦ ବୋଲି କହିଛନ୍ତି ବିଶେଷଜ୍ଞ । ଆଜିକାଲି ଅଧିକାଂଶ ଲୋକ ଶୀଘ୍ର ଉଠିବା ପାଇଁ ଆଲାର୍ମ ସେଟ କରନ୍ତି । କାରଣ ବ୍ୟସ୍ତ ବହୁଳ ସମୟ ଭିତରେ ମଣିଷ ଥକି ଯାଏ । ଫଳରେ ନିଦରୁ ଉଠିବାରେ ତାକୁ ସମସ୍ୟା ହୋଇଥାଏ । ତେଣୁ ନିଦ ଭାଙ୍ଗିବା ପାଇଁ ଅନେକ ଲୋକେ ଆଲାର୍ମ ସେଟ କରି ଶୋଇଥାନ୍ତି । ତେବେ ଜାଣିଛନ୍ତି କି ଏହି ଆଲାର୍ମ ସେଟ କରି ଶୋଇବା ଆପଣଙ୍କ ହୃଦୟକୁ କ୍ଷତି ପହଞ୍ଚାଇପାରେ।

ଆଲାର୍ମର ଜୋର ଶବ୍ଦରେ ହଠାତ ନିଦ ଭାଙ୍ଗିବା ସ୍ୱାସ୍ଥ୍ୟ ପାଇଁ ବିପଦ ବୋଲି ଅନେକ ଗବେଷଣାରେ ପ୍ରକାଶ ପାଇଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ,ଜଣେ ମଣିଷ ଗଭୀର ନିଦ୍ରାରେ ଥିବା ବେଳେ ହଠାତ ଆଲାର୍ମ ଶବ୍ଦ ଶରୀରକୁ ଚମକାଇ ଉଠାଇ ଦେଇଥାଏ। ଯାହା ରକ୍ତଚାପ ଓ ହୃଦଗତିରେ ଅସ୍ଥିରତା ଆଣିପାରେ।

ମନୁଷ୍ୟ ଶରୀର ଏକ ପ୍ରାକୃତିକ ଜୈବିକ ଘଣ୍ଟା ଅନୁସାରେ କାମ କରେ, ଯାହାକୁ ସର୍କାଡିଆନ ରିଥମ କୁହାଯାଏ। ଏହି ପ୍ରକ୍ରିୟା ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସହିତ ଶରୀରକୁ ସମନ୍ୱୟରେ ରଖେ । କିନ୍ତୁ ଆଲାର୍ମ ଯୋଗୁଁ ନିଦ୍ରା ହଠାତ ଭାଙ୍ଗିଲେ “ସ୍ଲିପ ଇନରସିଆ” ନାମକ ଅବସ୍ଥା ଦେଖାଯାଏ । ଯାହାର ପରିଣାମରେ ଲୋକମାନେ ସକାଳେ ଅଳସୁଆ ଓ ଅସ୍ପଷ୍ଟ ଅନୁଭବ କରନ୍ତି ।

ଏହି ଅବସ୍ଥାରେ ଶରୀର ହଠାତ ଜାଗ୍ରତ ହେବାକୁ ଚେଷ୍ଟା କରିଥାଏ, ଯାହା ହୃଦୟ ଉପରେ ଅଧିକ ଚାପ ପକାଏ। ସେହିପରି, ଆଲାର୍ମର ତୀବ୍ର ଶବ୍ଦ ଶରୀରରେ କର୍ଟିସୋଲ ଓ ଆଡ୍ରେନାଲିନ ଭଳି ଚାପ ସମ୍ବନ୍ଧୀୟ ହରମୋନର ହଠାତ ବୃଦ୍ଧି ପାଇଥାଏ । ଯାହାଫଳରେ ରକ୍ତଚାପ ବଢ଼ିବା ସହିତ ହୃଦସ୍ପନ୍ଦନ ତୀବ୍ର ହୁଏ । ଏପରିକି ହୃଦରୋଗର ସମସ୍ୟା ଆଶଙ୍କା ବଢ଼ାଇ ଦେଇପାରେ।

ନିଦ୍ରାର ଗୁଣତ୍ୱ ମନୋଭାବ ଓ ଭାବନାତ୍ମକ ସ୍ଥିରତା ସହିତ ଗଭୀର ଭାବରେ ଜଡିତ। ସେହିପରି ଆଲାର୍ମ ଯୋଗୁଁ ବାରମ୍ବାର ନିଦରେ ବାଧା ଆସିଲେ ମନ ଅସ୍ଥିର ରହିବାସହ ଚିଡ଼ଚିଡ଼ା ଓ ଚିନ୍ତାଗ୍ରସ୍ତ ହୋଇପାରେ । ଯାହା ସମଗ୍ର ଦିନର ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ।

ତେବେ ବିଶେଷଜ୍ଞମାନେ କହୁଛନ୍ତି, ଆଲାର୍ମ ବିନା ସ୍ୱାଭାବିକ ଭାବରେ ଉଠିବା ଅଭ୍ୟାସ ଗଢ଼ିଉଠିବା ସମ୍ଭବ। ପ୍ରତିଦିନ ସମାନ ସମୟରେ ଶୋଇବା ଓ ଉଠିବା ଅଭ୍ୟାସ କରନ୍ତୁ। ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କମାଇବା, ବହି ପଢିବା, ହାଲୁକା ବ୍ୟାୟାମ କିମ୍ବା ଧ୍ୟାନ କରିବା ଶରୀରକୁ ଶାନ୍ତ କରି ଭଲ ନିଦ୍ରା ପାଇଁ ସହାୟକ ହୁଏ।

ଏହିପରି ସୁସ୍ଥ ଜୀବନଶୈଳୀ ଅନୁସରଣ କଲେ ଆଲାର୍ମର ଆବଶ୍ୟକତା କମିବା ସହିତ ଶରୀର ଓ ମନ ଦୁହେଁ ସୁସ୍ଥ ରହିପାରିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score