Explore

Search

March 14, 2026 9:06 pm

ପଶ୍ଚିମ ଏସିଆରେ ଯୁଦ୍ଧର ପ୍ରଭାବ : ଭୁବନେଶ୍ୱରରେ ଗ୍ୟାସ ସଙ୍କଟ, ବଢ଼ିଲା ହୋଟେଲ ଓ ଜଳଖିଆ ଦର

ଭୁବନେଶ୍ୱର/ମୋହନା : ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଓ ଉତ୍ତେଜନାର ପ୍ରଭାବ ଏବେ ଦେଶର ବଜାର ଉପରେ ପଡ଼ୁଥିବା ଦେଖାଯାଉଛି। ଗ୍ୟାସ ଯୋଗାଣରେ ବାଧା ସୃଷ୍ଟି ହେବାରୁ ରାଜଧାନୀ ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଅଭାବ ଦେଖାଦେଇଛି । ଏହାର ସିଧା ପ୍ରଭାବ ଛୋଟ ହୋଟେଲ, ଢାବା ଓ ଜଳଖିଆ ଦୋକାନ ଚାଳକମାନଙ୍କ ଉପରେ ପଡ଼ିଛି।

ଗ୍ୟାସ ସିଲିଣ୍ଡର ମିଳିବା କଷ୍ଟସାଧ୍ୟ ହୋଇପଡ଼ିଥିବା ସହିତ ଏହାର ଦର ମଧ୍ୟ ଦୁଇଗୁଣା ପର୍ଯ୍ୟନ୍ତ ବଢ଼ିଥିବା ଅଭିଯୋଗ କରୁଛନ୍ତି ବ୍ୟବସାୟୀମାନେ । ଫଳରେ ରୋଷେଇ ଖର୍ଚ୍ଚ ବଢ଼ିବା ସହିତ ହୋଟେଲ ମାଲିକମାନେ ମିଲ୍ସ ରେଟ ବୃଦ୍ଧି କରିବାକୁ ବାଧ୍ୟ ହୋଇଛନ୍ତି ।

ପୂର୍ବରୁ ୬୦ ଟଙ୍କାରେ ମିଳୁଥିବା ଭେଜ ଥାଳି ବର୍ତ୍ତମାନ ୮୦ ଟଙ୍କାକୁ ପହଞ୍ଚିଛି । ସେହିପରି ୮୦ ଟଙ୍କାର ନନଭେଜ ଥାଳି ଏବେ ୯୦ ରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି । କେବଳ ହୋଟେଲ ନୁହେଁ, ଜଳଖିଆ ଦୋକାନ ଗୁଡ଼ିକରେ ମଧ୍ୟ ଦର ବୃଦ୍ଧି ହୋଇଛି । ଯେଉଁ ପ୍ଲେଟ ଜଳଖିଆ ପୂର୍ବରୁ ୨୦ ଟଙ୍କାରେ ମିଳୁଥିଲା, ସେଥିରେ ଏବେ ୨୫ ଟଙ୍କା ନିଆଯାଉଛି ।

ଗ୍ୟାସ୍ ଯୋଗାଣ ଅସୁବିଧା ହେତୁ କିଛି ଦୋକାନୀ ଦୋକାନର ସମୟ କମେଇ ଦେଇଥିବା ବେଳେ, ଆଉ କିଛି ବ୍ୟବସାୟୀ ଦୋକାନ ବନ୍ଦ କରିବା ପରିସ୍ଥିତିରେ ପହଞ୍ଚିଛନ୍ତି । ଛାତ୍ରଛାତ୍ରୀ, ଦୈନିକ ଶ୍ରମିକ ଓ କାର୍ଯ୍ୟରତ ଲୋକମାନେ ଏହି ମୂଲ୍ୟବୃଦ୍ଧିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ।

ବ୍ୟବସାୟୀମାନଙ୍କ କହିବା ଅନୁଯାୟୀ, ସାଧାରଣ ଭାବେ ଗ୍ୟାସ ମିଳୁନଥିବାରୁ ସିଲିଣ୍ଡର ଶେଷ ହେଲେ ବ୍ଲାକ୍ ମାର୍କେଟରେ ଦୁଇଗୁଣା ଦରରେ କିଣିବାକୁ ପଡ଼ୁଛି । ଏପରି ସ୍ଥିତିରେ ଖାଦ୍ୟ ଦର ବଢ଼ାଇବା ବ୍ୟତୀତ ଆଉ କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି।

ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟବସାୟୀ ସଂଘ ସରକାରଙ୍କୁ ଶୀଘ୍ର ହସ୍ତକ୍ଷେପ କରି ଗ୍ୟାସ ଯୋଗାଣ ସ୍ଥିର କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଖାଦ୍ୟ ଦର ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ସେହିପରି ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏବେ ରନ୍ଧନ ଗ୍ୟାସର ଘୋର ସଙ୍କଟ ଦେଖାଦେଇଛି। ମୋହନାରେ ଥିବା ଏକମାତ୍ର ଇଣ୍ଡେନ ଗ୍ୟାସ ଡିପୋ ଉପରେ ହଜାର ହଜାର ଲୋକ ନିର୍ଭର କରନ୍ତି । ଯଦି ଏଠାରେ ଗ୍ୟାସ ଯୋଗାଣ ସ୍ବାଭାବିକ ନହୁଏ, ତେବେ ଆଗାମୀ ଦିନରେ ଅଞ୍ଚଳରେ ଜଳାଭାବ ସହ ରୋଷେଇ ପାଇଁ କାଠ ଚୁଲି ଉପରେ ର୍ନିଭର କରିବାକୁ ପଡ଼ିବ ବୋଲି ଆଶଙ୍କା କରାଯାଉଛି। ଗ୍ୟାସ ସଙ୍କଟ ଯୋଗୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଗ୍ୟାସ ଯୋଗାଣ ବ୍ୟବସ୍ଥାକୁ ସୁଧାରିବାକୁ ଲୋକେ ଦାବି କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score