ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ବହୁବିଧ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର, ମନୋରଞ୍ଜନ, ଶ୍ରମ ଅପନୋଦନ, ସାମାଜିକ ସଂସ୍କାର ଆଦି ବହୁବିଧ ଉଦ୍ଦେଶ୍ୟକୁ ନେଇ ଲୋକନୃତ୍ୟର ସୃଷ୍ଟି ହୋଇଛି ।
ଗ୍ରାମବହୁଳ ଓଡ଼ିଶାରେ ଦୈନନ୍ଦିନ ଜୀବନରେ ଟିକେ ଆନନ୍ଦ ଉପଭୋଗ କରିବାକୁ ଅନୁଷ୍ଠିତ କରାଯାଏ ଯାତ୍ରା ଓ ମହୋତ୍ସବମାନ । ଓଡ଼ିଶାର ପ୍ରତ୍ୟେକ ପର୍ବପର୍ବାଣି ସହ ବିଭିନ୍ନ ଲୋକନୃତ୍ୟର ପ୍ରଚଳନ ରହିଛି । ଏହିସବୁ ନୃତ୍ୟ ମୁଖ୍ୟତଃ ଖୋଲା ଆକାଶତଳେ ପରିବେଷଣ କରାଯାଇଥାଏ । ପ୍ରତ୍ୟେକ ଲୋକନୃତ୍ୟରେ ଓଡ଼ିଶାର ପାରମ୍ପରିକ ସଂଗୀତ ଓ ବହୁଲୋକପ୍ରିୟ ଢଗଢମାଳି ଆଦିର ବ୍ୟବହାର ହୋଇଥାଏ । ଏହାସହିତ ପାରମ୍ପରିକ ବାଦ୍ୟର ବ୍ୟବହାର କରାଯାଇଥାଏ ।
ସଖୀକଣ୍ଢେଇ ନାଚ ଓଡ଼ିଶାର ଏକ ପାରମ୍ପାରିକ ନାଚ। ଏହା କେନ୍ଦ୍ରାପଡ଼ା ଜିଲ୍ଲାରୁ ଆରମ୍ଭ ହୋଇଥିଲା । କ୍ରମଶଃ ଏହି ନାଚ ଆଗ ଭଳି ଗ୍ରାମାଞ୍ଚଳ କିମ୍ବା ସହରରେ ଆଉ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ କେବଳ କେନ୍ଦ୍ରାପଡ଼ା ଜିଲ୍ଲାର ମନ୍ତ୍ରୀପଡ଼ା ସଖୀ କଣ୍ଢେଇ ନାଚ ଦଳ ଦେଖିବାକୁ ମିଳନ୍ତି । ଏକ ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପ୍ରଦର୍ଶିତ କରାଯାଏ । ସାଧାରଣ ମଣିଷଙ୍କ ଭଳି କଣ୍ଢେଇମାନଙ୍କୁ ନାନାଦି ବେଶଭୂଷା କରି ତାରଦ୍ୱାରା ସଂଯୋଗ କରାଯାଇଥାଏ ।
ଗୀତର ତାଳେ ତାଳେ କଣ୍ଢେଇମାନଙ୍କର ନୃତ୍ୟ ଓ ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରିବା ପାଇଁ, ନାଚ ଦଳର ଜଣେ ସଦସ୍ୟଙ୍କ ଦ୍ୱାରା କଣ୍ଢେଇ ଗୁଡ଼ିକୁ ସଂଯୋଗ କରାଯାଇଥିବା ତାରକୁ ଧରି ପରଦାର ନେପଥ୍ୟରେ ନିୟନ୍ତ୍ରିତ କରିଥାନ୍ତି । ସଖୀ କଣ୍ଢେଇ ନାଚ ଦଳରେ ଅତି କମରେ ୭ଜଣ କଳାକାର ଆବଶ୍ୟକ । ତେବେ ତିନିଜଣ କଣ୍ଢେଇ ନଚାଉଥିବାବେଳେ ଜଣେ ହାରମୋନିୟମ ବଜାନ୍ତି । ଏହାଛଡ଼ା ଜଣେ ଢୋଲକି ଓ ଜଣେ ଗିନି ବଜାନ୍ତି ।
ବିଭିନ୍ନ ପ୍ରସଙ୍ଗ ଉପରେ ବାଦ୍ୟଯନ୍ତ୍ର ଓ ସଂଗୀତ ସହ ତାଳ ଦେଇ ସଖୀକଣ୍ଢେଇ ନାଚ ହୁଏ । ନାଚ ମଧ୍ୟରୁ ବଂଶୀଚୋରି, ବାଟଛାଡ଼ ନାଗର, ଦ୍ରୌପଦୀ ବସ୍ତ୍ରହରଣ, ନାବକେଳି, ରାଧୀକା ଓ ଦୂତୀ, ଲଳିତା ଓ ଦୂତୀ, ଶବର ଶବରୁଣୀ ନାଚ ଅଧିକ ହୁଏ । ନାଚର ପ୍ରସଙ୍ଗ ଉପରେ ଜଣେ ମଧୁର କଣ୍ଠରେ ଗୀତ ବୋଲି ଦର୍ଶକଙ୍କୁ ଆମୋଦିତ କରନ୍ତି ।
ଏକ ଘଣ୍ଟା ମଧ୍ୟରେ ୮ରୁ ୧୦ ପ୍ରକାରର ନାଚ ପ୍ରଦର୍ଶିତ କରାଯାଏ । ପ୍ରଚାର ଓ ପ୍ରସାର ଅଭାବରୁ ତାରଦ୍ୱାରା ସଖୀ କଣ୍ଢେଇ ନାଚ ସମ୍ପୂର୍ଣ୍ଣ ଲୋପ ପାଇ ଯାଇଛି । କିନ୍ତୁ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଡେରାବିଶି ବ୍ଳକ ଅନ୍ତର୍ଗତ କୁରୁଜଙ୍ଗା ପଞ୍ଚାୟତର ମନ୍ତ୍ରୀପଡ଼ା ଗ୍ରାମର କେଳା ବସ୍ତିରେ ଏହି ନାଚର ଅସ୍ତିତ୍ୱ ରହିଛି । ପୂର୍ବରୁ ତାର ସାହାଯ୍ୟରେ ସଖୀ କଣ୍ଢେଇ ନଚା ଯାଉଥିଲା । ସେ ପ୍ରଥା ବନ୍ଦ ହୋଇଯିବାରୁ ଏବେ କାଠ କଣ୍ଢେଇକୁ ବେଶ ପୋଷାକରେ ସଜାଇ ହାତରେ ନଚାଉଛନ୍ତି । ବିଭିନ୍ନ ସମୟରେ ଘରୋଇ ସାଂସ୍କୃତିକ ସଙ୍ଗଠନ ଉଦ୍ୟମରେ ଏମାନେ ଭୁବନେଶ୍ୱର, ଦିଲ୍ଲୀ, ମୁମ୍ବାଇ, କଲିକତା ଯାଆନ୍ତି ।
ମୁକ୍ତାକାଶ ମଞ୍ଚରେ କଣ୍ଢେଇ ନାଚର ଆକର୍ଷଣ :
କଳାକାରଙ୍କ ଦକ୍ଷ ହସ୍ତଚାଳନା ଓ ଅଭିନୟରେ ନିର୍ଜୀବ କଣ୍ଢେଇମାନେ ମଞ୍ଚରେ ଜୀବନ୍ତ ହୋଇଉଠନ୍ତି। କାଠରେ ତିଆରି ଏହି କଣ୍ଢେଇମାନଙ୍କ ମାଧ୍ୟମରେ ବିଭିନ୍ନ ପୌରାଣିକ ଓ ସାମାଜିକ ଚରିତ୍ର ମଞ୍ଚକୁ ଆସି ଦର୍ଶକଙ୍କୁ ଆନନ୍ଦ ଦେଇଥାନ୍ତି। କାହାଣୀର ପ୍ରସଙ୍ଗ ଅନୁଯାୟୀ କଳାକାରମାନେ ପ୍ରଚ୍ଛଦପଟରେ ରହି କଣ୍ଢେଇ ଗୁଡ଼ିକୁ ନିୟନ୍ତ୍ରଣ କରି ଚଳାଇଥାନ୍ତି ।
ପାରମ୍ପରିକ କଣ୍ଢେଇ ନାଚ ମୁଖ୍ୟତଃ ଚାରି ପ୍ରକାରରେ ଦେଖିବାକୁ ମିଳେ । ହାତ କଣ୍ଢେଇ ବା ସଖୀ କଣ୍ଢେଇ, ସୂତା କଣ୍ଢେଇ, ବାଡ଼ି କଣ୍ଢେଇ ଓ ଛାୟା କଣ୍ଢେଇ । ଯାହାକୁ ରାବଣ ଛାୟା ବୋଲି ମଧ୍ୟ କୁହାଯାଏ। ହାତ କଣ୍ଢେଇକୁ କଳାକାର ହାତରେ ପିନ୍ଧି ପ୍ରଦର୍ଶନ କରନ୍ତି, ସୂତା କଣ୍ଢେଇକୁ ସୂତା ଦ୍ୱାରା ଚଳାଇ ଚରିତ୍ରକୁ ଜୀବନ୍ତ କରାଯାଏ। ବାଡ଼ି କଣ୍ଢେଇରେ ବାଡ଼ି ଓ ସୂତାର ସମନ୍ୱୟରେ ଚଳନ ଦେଖାଯାଏ । ତେବେ ଯେତେବେଳେ ଛାୟା କଣ୍ଢେଇରେ ଆଲୋକ ଓ ପରଦାର ମାଧ୍ୟମରେ ଛାୟା ଆକୃତି ଦେଖାଇ କାହାଣୀ ପ୍ରସ୍ତୁତ କରାଯାଏ।
ସାଧାରଣତଃ ଏହି କଣ୍ଢେଇମାନେ ହାଲୁକା କାଠରେ ତିଆରି ହୋଇଥାନ୍ତି ଓ ଚରିତ୍ର ଅନୁଯାୟୀ ଏହାର ଉଚ୍ଚତା ପ୍ରାୟ ୧ ଫୁଟରୁ ୨ ଫୁଟ ପର୍ଯ୍ୟନ୍ତ ହୁଏ। ଗୀତ, ସଂଲାପ ଓ ସଙ୍ଗୀତର ସମନ୍ୱୟରେ ପ୍ରାୟ ୨ରୁ ୩ ଘଣ୍ଟା ଧରି ଏହି ପ୍ରଦର୍ଶନ ଚାଲିଥାଏ।
ଦାସକାଠିଆ ଓ ପାଲା ପରମ୍ପରା ପରି, ଗ୍ରାମାଞ୍ଚଳର ମୁକ୍ତାକାଶ ମଞ୍ଚରେ କଣ୍ଢେଇ ନାଚ ଆଜି ମଧ୍ୟ ଲୋକମାନଙ୍କ ପାଇଁ ଅନନ୍ୟ ମନୋରଞ୍ଜନର ମାଧ୍ୟମ ଭାବେ ରହିଆସିଛି । ଏହି ପାରମ୍ପରିକ ଲୋକକଳା ଓଡ଼ିଶାର ସଂସ୍କୃତିକ ଐତିହ୍ୟକୁ ଜୀବନ୍ତ ରଖିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିଭାଉଛି ।
ତେବେ ସମୟର ଦୌଡ଼ରେ ଆମେ ଆଗକୁ ବଢ଼ୁଛୁ, କିନ୍ତୁ ସେହି ଦୌଡ଼ରେ କେତେ ଅମୂଲ୍ୟ ସାଂସ୍କୃତିକ ପରମ୍ପରାକୁ ପଛରେ ଛାଡ଼ି ଆସୁଛୁ, ତାହା ନେଇ ଆମେ କେବେ ଗଭୀର ଭାବେ ଚିନ୍ତା କରୁନାହୁଁ । କଣ୍ଢେଇ ନାଚ କେବଳ ଏକ ମନୋରଞ୍ଜନମୂଳକ କଳା ନୁହେଁ, ଏହା ଓଡ଼ିଆ ଲୋକସଂସ୍କୃତି ଓ ଜୀବନଧାରାର ଗଭୀର ଅଭିବ୍ୟକ୍ତି। ଗ୍ରାମୀଣ ଜୀବନ, ସାମାଜିକ ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ଚେତନାକୁ ଏହି ଲୋକକଳା ସରଳ ଭାବରେ ଦର୍ଶକମାନଙ୍କ ମନକୁ ପହଞ୍ଚାଇଥାଏ। ଏହା ଏମିତି ଏକ ନାଟ୍ୟ ଶୈଳୀ, ଯେଉଁଥିରେ ନିର୍ଜୀବ କଣ୍ଢେଇମାନେ ମଧ୍ୟ ଜୀବନ୍ତ ଭାବନାର ପ୍ରକାଶ ଦେଇପାରନ୍ତି।
କାଠରେ ତିଆରି ଏକ ଛୋଟ କଣ୍ଢେଇ ସୂତାର ସହାୟତାରେ ଯେତେବେଳେ ଚଳିତ ହୁଏ, ସେତେବେଳେ ତାହାର ଅଭିନୟରେ ମଣିଷର ହସ, କାନ୍ଦ, ରୋଷ ଓ ସ୍ନେହ ଭଳି ଭାବନାମାନେ ସ୍ପଷ୍ଟ ଭାବରେ ଦେଖାଯାଏ। ଏହି ଦୃଶ୍ୟ କଳାର ଅପୂର୍ବ ଶକ୍ତିକୁ ଅନୁଭବ କରାଇଥାଏ। ସାଧନ, ସରଳ ଆଲୋକ ବ୍ୟବସ୍ଥା ଓ ସାଧାରଣ ସଙ୍ଗୀତ ସହିତ ମଧ୍ୟ ଏହି ନାଚ ଦର୍ଶକମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
