Explore

Search

March 13, 2026 8:56 pm

ମୁଣ୍ଡ ନୁଆଁଇଲେ ଟ୍ରମ୍ପ : ଖୁସି ହେଲେ ପୁଟିନ

ଆମେରିକା : ଶେଷରେ ମୁଣ୍ଡ ନୁଆଁଇଲେ ଟ୍ରମ୍ପ । ନିଜେ ଆରମ୍ଭ କରିଥିବା ଖେଳରେ ନିଜେ ହିଁ ଫସିଗଲେ। ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ୧୪ ଦିନରେ ପହଞ୍ଚିଛି । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଆମେରିକା ପକ୍ଷରୁ ବିଭିନ୍ନ ଦାବି ହୋଇଆସୁଛି। ଆମେରିକୀୟ ପକ୍ଷ କହୁଛି ଯେ, ଇରାନ ଦିନକୁ ଦିନ ଦୁର୍ବଳ ହେଉଛି ଏବଂ ସଂଘର୍ଷରେ ଆମେରିକା ଶୀଘ୍ର ବିଜୟ ହାସଲ କରିବ। କିନ୍ତୁ ଯୁଦ୍ଧ ଦୀର୍ଘସ୍ଥାୟୀ ହେବା ସହିତ ବିଶ୍ୱ ରାଜନୀତିରେ ନୂଆ ପରିସ୍ଥିତି ଦେଖାଦେଉଛି।

ଏହି ସଂଘର୍ଷ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତି ଉପରେ ମଧ୍ୟ ଚର୍ଚ୍ଚା ବଢ଼ିଛି। ଗତକାଲି ପର୍ଯ୍ୟନ୍ତ ଋଷିଆ ଠାରୁ ତୈଳ କ୍ରୟ କରିବାକୁ ନେଇ ବିଭିନ୍ନ ଦେଶକୁ କଠୋର ସତର୍କବାଣୀ ଦେଇଥିବା ଟ୍ରମ୍ପ ସରକାର ଏବେ କିଛି ପରିସ୍ଥିତିରେ ରୁଷିଆ ତୈଳ କ୍ରୟ ପାଇଁ ଅସ୍ଥାୟୀ ଅନୁମୋଦନ ଦେଇଥିବା ଖବର ମିଳିଛି।

ବିଶ୍ଳେଷକମାନଙ୍କ ମତରେ, ଇରାନ ସହ ଚାଲିଥିବା ତୀବ୍ର ସଂଘର୍ଷ ଓ ବିଶ୍ୱ ତୈଳ ବଜାରରେ ଅସ୍ଥିରତା ଯୋଗୁଁ ଆମେରିକା ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି । ଏହାସହିତ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ମଧ୍ୟ ଦ୍ରୁତ ଭାବେ ବଢ଼ିଛି । ଚାରି ବର୍ଷ ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳ ମୂଲ୍ୟ ପ୍ରତି ବ୍ୟାରେଲ ୧୦୦ ଡଲାର ଅତିକ୍ରମ କରିଥିବା ଖବର ମିଳିଛି ।

ଆମେରିକା–ଇସ୍ରାଏଲ–ଇରାନ ମଧ୍ୟରେ ଚାଲିଥିବା ଏହି ସଂଘର୍ଷର ପ୍ରଭାବ ସାରା ବିଶ୍ୱ ଅର୍ଥନୀତି ଉପରେ ପଡ଼ୁଛି । ଯଦି ସମୟରେ ଏହି ପରିସ୍ଥିତିକୁ ନିୟନ୍ତ୍ରଣ କରାଯିବ ନାହିଁ, ତେବେ ବିଶ୍ୱସ୍ତରରେ ତୈଳ ସଙ୍କଟ ଆହୁରି ଗଭୀର ହେବାର ଆଶଙ୍କା ରହିଛି।

ଅନ୍ୟପକ୍ଷରେ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ସଂଘର୍ଷର ଶେଷ ପାଇଁ କୂଟନୀତିକ ସମାଧାନର ପକ୍ଷରେ ମତ ପ୍ରକାଶ କରିଛନ୍ତି। ସେ ଏହି ପ୍ରସଙ୍ଗରେ ଇରାନର ନେତୃତ୍ୱ ସହ ଆଲୋଚନା କରିଥିବା ସୂଚନା ମିଳିଛି ।

ବିଶ୍ୱର ଅନେକ ଦେଶ ଏହି ସଂଘର୍ଷ ନେଇ ଚିନ୍ତା ପ୍ରକାଶ କରୁଥିବା ବେଳେ, ଯୁଦ୍ଧ କେବେ ଓ କିପରି ଶେଷ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏହି ପରିସ୍ଥିତି ବିଶ୍ୱ ରାଜନୀତି ଓ ତୈଳ ବଜାରରେ ଆଗାମୀ ଦିନରେ ଆହୁରି ପ୍ରଭାବ ପକାଇପାରେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score