Explore

Search

March 11, 2026 9:49 pm

ଅଙ୍ଗଦାନର ସନ୍ଦେଶ ନେଇ ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ‘ଆFAA’

ଭୁବନେଶ୍ୱର : ଅଙ୍ଗଦାନ ଭଳି ଏକ ସାମାଜିକ ଓ ମାନବୀୟ ବିଷୟକୁ ନେଇ ନିର୍ମିତ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆFAA’ । ଚଳଚ୍ଚିତ୍ରଟିର ପୋଷ୍ଟର ଉନ୍ମୋଚନ ସହ ମୁକ୍ତି ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏହାର ପ୍ରେସମିଟ୍ ଭୁବନେଶ୍ୱର ପ୍ରେସ କ୍ଲବରେ ଆୟୋଜିତ ହୋଇଥିବା ବେଳେ ଫିଲ୍ମ ଟିମ ପକ୍ଷରୁ ଚଳଚ୍ଚିତ୍ର ସମ୍ପର୍କରେ ବିଭିନ୍ନ ସୂଚନା ଦିଆଯାଇଛି । ଆସନ୍ତା ରାମନବମୀ ଅବସରରେ, ମାର୍ଚ୍ଚ ୨୭ ତାରିଖରେ ଏହି ଫିଲ୍ମ ରାଜ୍ୟର ବିଭିନ୍ନ ସିନେମା ହଲରେ ପ୍ରଦର୍ଶିତ ହେବ ।

କାହାଣୀରେ ସାମାଜିକ ସନ୍ଦେଶ

‘ଆFAA’ ଚଳଚ୍ଚିତ୍ରଟିର ମୂଳ ଆଧାର ହେଉଛି ଅଙ୍ଗଦାନର ମହତ୍ତ୍ୱ । କାହାଣୀ ମାଧ୍ୟମରେ ଦର୍ଶାଯାଇଛି ଯେ କିଭଳି ଜଣେ ପ୍ରତିଭାଶାଳୀ ଶିଶୁ ନିଜ ସ୍ୱପ୍ନକୁ ସାକାର କରିବାର ଆଶା ନେଇ ଜୀବନର କଠିନ ପରିସ୍ଥିତି ସହ ସଂଘର୍ଷ କରେ । ମୃତ୍ୟୁର ଭୟ ମଧ୍ୟରେ ମଧ୍ୟ ସେ କିପରି ଆଶା ଓ ସାହସ ନେଇ ବଞ୍ଚିଥାଏ, ସେହି ଭାବନାପ୍ରବଣ ଯାତ୍ରାକୁ ଚଳଚ୍ଚିତ୍ରରେ ପ୍ରସ୍ତୁତ କରାଯାଇଛି ।

ଏହାସହ ସୈନିକ ସ୍କୁଲରେ ଝିଅମାନଙ୍କ ଶିକ୍ଷା ଓ ଦେଶପ୍ରେମର ଭାବନାକୁ ମଧ୍ୟ ଫିଲ୍ମରେ ଉପସ୍ଥାପିତ କରାଯାଇଛି । ନିର୍ମାତାମାନଙ୍କ କହିବା ଅନୁସାରେ, ଏହି କାହାଣୀ ଦର୍ଶକଙ୍କ ମନକୁ ଛୁଇଁବାସହ ଅଙ୍ଗଦାନ ପ୍ରତି ସମାଜରେ ସଚେତନତା ବଢ଼ାଇବ ।

ସଂଳାପ ଲେଖକ ଭାବେ ନୂଆ ଭୂମିକା

ଏହି ଚଳଚ୍ଚିତ୍ର ମାଧ୍ୟମରେ ବରିଷ୍ଠ ଅଭିନେତା କୁନା ତ୍ରିପାଠୀ ପ୍ରଥମଥର ପାଇଁ ସଂଳାପ ଲେଖକ ଭାବେ ଆତ୍ମପ୍ରକାଶ କରିଛନ୍ତି । ତାଙ୍କ ଲେଖା ସଂଳାପ ଫିଲ୍ମର ଭାବନାକୁ ଆହୁରି ଗଭୀର କରିବ ବୋଲି ଚଳଚ୍ଚିତ୍ର ଦଳର କର୍ମୀ ଆଶା ରଖିଛନ୍ତି ।

ତାରକାମାନଙ୍କ ଅଭିନୟ

ଫିଲ୍ମରେ ନୈନା ଦାସଙ୍କ ସହ ପ୍ରୀତିରାଜ ଶତପଥୀ, ହର ରଥ, ସିଦ୍ଧାର୍ଥ ତିୱାରୀ, ମୀରା ଝଞ୍ଜା ଦାସ, ସ୍ୱସ୍ତିକ ଚୌଧୁରୀ, ରବି ମିଶ୍ର, ଧରିତ୍ରୀ ଖଣ୍ଡୁଆଳ, ରାକେଶ କୁମାର ବାରିକ, ଶ୍ରିୟା ଓ ଶ୍ରାବଣୀ ଆଦି ଅଭିନୟ କରିଛନ୍ତି । ଏଥିରେ ଅନମୋଲ ପତି ପ୍ରଥମଥର ପାଇଁ ମୁଖ୍ୟ ଭୂମିକାରେ ପରଦାରେ ଦେଖାଦେବେ ।

ନିର୍ମାଣ ଓ ପ୍ରଯୁକ୍ତିକ ଦଳ

ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରୀତିରାଜ ଶତପଥୀ ଓ ନୈନା ଦାସ ତିୱାରୀ, ଯେଉଁଥିରେ ସହ ପ୍ରଯୋଜକ ଭାବେ ସିଦ୍ଧାର୍ଥ ତିୱାରୀ ଅଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ପ୍ରୀତିରାଜ ଶତପଥୀ , ସହ-ନିର୍ଦ୍ଦେଶନାରେ ରାଜେଶ କୁମାର ବାରିକ ଓ କ୍ରିଷ୍ଣା ।

ଚଳଚ୍ଚିତ୍ରର ସିନେମାଟୋଗ୍ରାଫି କରିଛନ୍ତି ବିଶ୍ୱଜିତ କୁଲଡି । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମା ଆନନ୍ଦ। ଫିଲ୍ମର ଗୀତ ଗୁଡ଼ିକୁ କଣ୍ଠଦାନ କରିଛନ୍ତି ଦୀପ୍ତିରେଖା, ଶଶାଙ୍କ ଶେଖର, ବିଶ୍ୱଜିତ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦା, ଶୁଭେଚ୍ଛା ଓ କୁଲଦୀପ ପଟ୍ଟନାୟକ । ଗୀତ ରଚନା କରିଛନ୍ତି ବାପୁ ଗୋସ୍ୱାମୀ ଓ ଦିବ୍ୟକୁମାର ସାହୁ । ଚଳଚ୍ଚିତ୍ରରେ ମୋଟ ୪ଟି ଗୀତ ରହିଛି ।

ପାରିବାରିକ ଭାବନା, ମାନବୀୟ ସମ୍ପର୍କ ଓ ଅଙ୍ଗଦାନର ମୂଲ୍ୟବୋଧକୁ ନେଇ ତିଆରି ହୋଇଥିବା ‘ଆFAA’ ଦର୍ଶକଙ୍କୁ ଭାବନାପ୍ରବଣ କରିବ ବୋଲି ଫିଲ୍ମ ଟିମ ଆଶା ପ୍ରକାଶ କରିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score